ଓଡ଼ିଶାଲାଇଭ୍ ବ୍ୟୁରୋ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାଗାର୍ଜୁନ ବେଶ ପାଇଁ ପୁରୀରେ ଲାଗୁ ହେବ ୧୪୪ ଧାରା। ଆଜି ରାତି ୨ଟାରୁ ବେଶ ଓଲାଗି ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। କରୋନା ମହାମାରୀ ଏବଂ ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

ମରିଚିକୋଟ ଛକରୁ ସିଂହଦ୍ଵାର ପର୍ଯ୍ୟନ୍ତ ୧୪୪ ଧାରା ଜାରି ହେବ। ଏଥିସହ ଶ୍ରୀମନ୍ଦିର ଚାରି ପାର୍ଶ୍ଵରେ ମଧ୍ୟ ଏହି କଟକଣା ଲାଗୁ ହେବ ବୋଲି ସୂଚନା ମିଳିଛି। ଫଳରେ ଭକ୍ତମାନେ ଶ୍ରୀଜୀଉଙ୍କ ଏହି ଦୁର୍ଲଭ ବେଶ ଦେଖିବାରୁ ବଞ୍ଚିତ ହେବେ। ତେବେ ନାଗାର୍ଜୁନ ବେଶ ଓଲାଗି ପରେ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ।ଦୀର୍ଘ ୨୫ ବର୍ଷ ପରେ ଅନୁଷ୍ଠିତ ହେବାକୁ ଥିବା ଏହି ବେଶ ପାଇଁ ପୁରୀ ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଆଇନଶୃଙ୍ଖଳା ବଜାୟ ରଖିବା ପାଇଁ ୨୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହେବେ ବୋଲି ପୁରୀ ଏସ୍‌ପି କନଓ୍ଵର ବିଶାଲ ସିଂହ ସୂଚନା ଦେଇଛନ୍ତି। ସେହିପରି ୨ ଜଣ ଅତିରିକ୍ତ ଏସ୍‌ପି, ୭ ଜଣ ଡିଏସ୍‌ପି, ୭୭ ଜଣ ଏସ୍‌ଆଇ, ୨୫୦ ଜଣ ହୋମ୍‌ଗାର୍ଡ ଓ ୧୯ ଜଣ ଇନ୍ସପେକ୍ଟର ନିୟୋଜିତ ହେବେ ବୋଲି ଶ୍ରୀ ସିଂହ କହିଛନ୍ତି।

Comment