ଓଡ଼ିଶାଲାଇଭ୍ ବ୍ୟୁରୋ

  • ମୃତ୍ୟୁ ହେଲେ ପରିବାରକୁ ମିଳିବ ୪ ଲକ୍ଷ ଟଙ୍କା
  • ପିଲାଙ୍କ ପଢ଼ା ଖର୍ଚ୍ଚ ବହନ କରିବେ ସରକାର
  • ସବୁଦିନ ପାଇଁ ଅକ୍ଷମ ହେଲେ ୨ ଲକ୍ଷ ଟଙ୍କା
  • ଗୁରୁତର ରୋଗର ଚିକିତ୍ସା ପାଇଁ ଅତିରିକ୍ତ ସହାୟତା
  • ଗୃହ ଋଣ ଓ ଗାଡ଼ି ଋଣ ମିଳିବ

କାର୍ଯ୍ୟରତ ସାମ୍ବାଦିକମାନଙ୍କ ସ୍ଵାସ୍ଥ୍ୟ ଓ ସାମାଜିକ ସୁରକ୍ଷା ପାଇଁ ଏକାଧିକ ଯୋଜନା ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏଥିପାଇଁ ‘ଓଡ଼ିଶା ରାଜ୍ୟ କାର୍ଯ୍ୟରତ ସାମ୍ବାଦିକ କଲ୍ୟାଣ ପାଣ୍ଠି ନିୟମ-୨୦୦୬’ ଅଧିନିୟମକୁ ସଂଶୋଧନ କରାଯାଇଛି। ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଛି।

ବିଜ୍ଞପ୍ତି ଅନୁଯାୟୀ, କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ। ଏଥିସହ ସରକାର ତାଙ୍କ ପୁଅ ଝିଅଙ୍କ ପାଠପଢ଼ା ଖର୍ଚ୍ଚ ବହନ କରିବେ। ପିଲାଙ୍କ ପାଠପଢ଼ା ବାବଦକୁ ମାଟ୍ରିକ୍ ପର୍ଯ୍ୟନ୍ତ ମାସିକ ୧,୫୦୦ ଟଙ୍କା ଓ ଉଚ୍ଚଶିକ୍ଷା ପାଇଁ ୨,୫୦୦ ଟଙ୍କା ଦିଆଯିବ।

ଖାଲି ସେତିକି ନୁହେଁ, କାର୍ଯ୍ୟରତ ସାମ୍ବାଦିକ ଯଦି ଦୁର୍ଘଟଣା, ରୋଗ କିମ୍ବା ଅନ୍ୟ କୌଣସି କାରଣ ପାଇଁ ସବୁଦିନ ଲାଗି ଅକ୍ଷମ ହୋଇଯାନ୍ତି, ତେବେ ସରକାର ତାଙ୍କୁ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବେ। ସ୍ଵାସ୍ଥ୍ୟ ବୀମାକୁ ଛାଡ଼ି କାର୍ଯ୍ୟରତ ସାମ୍ବାଦିକ କିମ୍ବା ତାଙ୍କ ପରିବାରର କୌଣସି ସଦସ୍ୟ କିଡ୍‌ନୀ, ହୃଦ୍‌ରୋଗ ଓ କର୍କଟ ପରି ଜଟିଳ ରୋଗରେ ପୀଡ଼ିତ ହେଲେ ଚିକିତ୍ସା ପାଇଁ ସରକାର ଅତିରିକ୍ତ ଆର୍ଥିକ ସହାୟତା ଯୋଗାଇବେ। ତେବେ ଏଥିପାଇଁ ଡିଏମ୍‌ଇଟି ଅନୁମତି ଆବଶ୍ୟକ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।

ସେହିପରି ସାମ୍ବାଦିକଙ୍କୁ ୩ ପ୍ରତିଶତ ସୁଧରେ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗୃହ ଋଣ ମିଳିବ। ଏଥିସହ ୩ ପ୍ରତିଶତ ସୁଧରେ ଦୁଇଚକିଆ ଗାଡ଼ି କିଣିବାକୁ ସର୍ବାଧିକ ୫୦ ହଜାର ଟଙ୍କା ଓ ଚାରିଚକିଆ ଗାଡ଼ି ପାଇଁ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମିଳିବ। ତେବେ ସାମ୍ବାଦିକଜଣକ ଯଦି ନିୟମିତ ଭାବେ ନିଜ କିସ୍ତି ପୈଠ କରୁଥିବେ ତେବେ ତାଙ୍କୁ ଏହି ସୁଯୋଗ ମିଳିବ। ଅର୍ଥାତ୍, ସମ୍ପୃକ୍ତ ସାମ୍ବାଦିକ ଗୋଟିଏ ବର୍ଷରେ ଯେତିକି ପରିମାଣର ସୁଧ ବ୍ୟାଙ୍କ୍‌ରେ ପରିଶୋଧ କରିଥିବେ ତାର ୩ ପ୍ରତିଶତ ଅର୍ଥ ସରକାର ଯୋଗାଇଦେବେ।

ଏହାଛଡ଼ା ସାମ୍ବାଦିକମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ଆଇଆଇଏମ୍‌ସିରେ ତାଲିମ ବ୍ୟବସ୍ଥା କରିବେ ସରକାର। ୫ ବର୍ଷର ଅଭିଜ୍ଞତା ଥିବା ସାମ୍ବାଦିକଙ୍କ ତାଲିମ ପାଇଁ ଜଣକ ପିଛା ସରକାର ୧୦ ହଜାର ଟଙ୍କା ଯୋଗାଇଦେବେ।

Comment