ଓଡ଼ିଶାଲାଇଭ୍ ବ୍ୟୁରୋ

ସାଧାରଣ ନିର୍ବାଚନ ହେଉ କି ବିଧାନସଭା ନିର୍ବାଚନ, ଲୋକେ ପ୍ରାର୍ଥୀର ମୁହଁ ଅପେକ୍ଷା ପାର୍ଟିର ଚିହ୍ନ ଦେଖି ଭୋଟ୍ ଦିଅନ୍ତି। ହେଲେ ଏ ଚିହ୍ନ ଆସିଲା କେଉଁଠୁ? କେମିତି ହାତ, ପଦ୍ମ, ସାଇକେଲ, ହାତୀ, ଘାସଫୁଲ, ଶଙ୍ଖ, ଧନୁ ତୀର ଏମିତି ହଜାର ହଜାର ଚିହ୍ନ ତିଆରି ହେଲା? କେମିତି କଂଗ୍ରେସକୁ ମିଳିଲା ହାତ ଚିହ୍ନ?

ଏଥର ନିର୍ବାଚନୀ ଚିହ୍ନ ପଛର କାହାଣୀରେ ‘କଂଗ୍ରେସର ହାତ’

ସ୍ୱାଧୀନତା ପରଠାରୁ ଅତି କମରେ ୭୦ଥର କଂଗ୍ରେସ ବିଭାଜନ ହୋଇଛି। କିଛି ଛୋଟ ଛୋଟ ଦଳ ଗଠନ ହୋଇଥିଲା। ମୂଳ କଂଗ୍ରେସ ଦଳ କଂଗ୍ରେସ ଆର ଏବଂ କଂଗ୍ରେସ ଓ ନାମରେ ବିଭାଜନ ହୋଇଥିଲା।  ନେହେରୁଙ୍କ ମୃତ୍ୟୁ ପରେ ଶାସ୍ତ୍ରୀ ପ୍ରଧାନମନ୍ତ୍ରୀ ହୋଇଥିଲେ। ତେବେ ତାଙ୍କର ସନ୍ଦେହଜନକ ମୃତ୍ୟୁ ପରେ ଇନ୍ଦିରା କଂଗ୍ରେସକୁ ନିଜ ଅକ୍ତିଆରକୁ ଆଣିବାକୁ ଚେଷ୍ଟା କରିଥିଲେ। ଆଉ ନିଜକୁ କଂଗ୍ରେସର ଚେହେରା ପରିଣତ କରିବାରେ ସଫଳ ହୋଇଥିଲେ।

କଂଗ୍ରେସର ଆଭ୍ୟନ୍ତରୀଣ ବିବାଦ ଯୋଗୁ ଇନ୍ଦିରା ଗାନ୍ଧୀ କଂଗ୍ରେସ ଦଳକୁ ବିଭାଜନ କରି ନୂଆ କଂଗ୍ରେସ ଗଠନ କରିଥିଲେ। ଦଳର ନାଁ ରଖିଥିଲେ କଂଗ୍ରେସ(ଆର୍) ପୁରୁଣା କଂଗ୍ରେସ କଂଗ୍ରେସ(ଓ) ନାମରେ ପରିଚିତ ହେଲା। ମୂଳ କଂଗ୍ରେସର ଚିହ୍ନ ଥିଲା ଯୋଡ଼ି ବଳଦ। ଇନ୍ଦିରା ଗାନ୍ଧୀ ଏହି ଦଳକୁ ନିଜ ଦଳ ପାଇଁ ନେବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ଢେର୍ ଦିନ ଚିନ୍ତା କରିବା ପରେ ଇନ୍ଦିରା ଦଳ ପାଇଁ ଗାଈ ବାଛୁରୀ ଚିହ୍ନ ବାଛିଥିଲେ।

୧୯୭୧ରେ ଇନ୍ଦିରାଙ୍କୁ ଅଭୂତପୂର୍ବ ସଫଳତା ମିଳିଥିଲା। ତେବେ ୧୯୭୭ ବେଳକୁ କଂଗ୍ରେସ (ଆର)ର ଅବସ୍ଥା ଖରାପ ହେବାରେ ଲାଗିଥିଲା। ଜରୁରୀ ପରିସ୍ଥିତି ପାଇଁ କଂଗ୍ରେସ ଓ ଇନ୍ଦିରା ଗାନ୍ଧୀ ନିନ୍ଦିତ ହେବାରେ ଲାଗିଥିଲେ। ସଞ୍ଜୟ ଗାନ୍ଧୀଙ୍କ ପ୍ରଭାବ ବଢ଼ିଥିବାରୁ ଗାଈ ବାଛୁରୀ ଚିହ୍ନ ଦେଖି ଲୋକେ ଗାଈକୁ ଇନ୍ଦିରା ଓ ବାଛୁରୀକୁ ସଞ୍ଜୟ ଗାନ୍ଧୀ ବୋଲି କହିବାରେ ଲାଗିଥିଲେ।୧୯୭୭ ନିର୍ବାଚନରେ ଇନ୍ଦିରାଙ୍କ କଂଗ୍ରେସ ହାରିଯାଇଥିଲା। ସମସ୍ତେ ଇନ୍ଦିରାଙ୍କୁ ଦୋଷ ଦେବା ଆରମ୍ଭ କରିଥିଲେ। ଦଳ ପୁଣି ବିଭାଜନର ସ୍ଥିତିରେ ପହଞ୍ଚିସାରିଥିଲା। କିଛି ନେତା ଇନ୍ଦିରାଙ୍କ ପକ୍ଷରେ ଥିଲେ, ଆଉ କିଛି ଇନ୍ଦିରାଙ୍କୁ ଘୋର ବିରୋଧ କରିବା ଆରମ୍ଭ କରିଥିଲେ। ଇନ୍ଦିରା ପୁଣି ନୂଆ ଦଳ ଗଠନ କରିବା ପାଇଁ ଚିନ୍ତା କରିଥିଲେ। ନୂଆ ପାର୍ଟି ଗଠନ ହେଲା, ଦଳର ନାଁ ହେଲା କଂଗ୍ରେସ(ଆଇ)।

ପରବର୍ତ୍ତୀ ନିର୍ବାଚନରେ ଦଳ ପାଇଁ ନୂଆ ଚିହ୍ନ ଚୟନ କରିବା ବେଳେ ଗାଈ ବାଛୁରୀ ଚିହ୍ନକୁ ନେଇ ସହମତି ପ୍ରକାଶ ପାଇପାରିଲାନି। ସେପଟେ ନିର୍ବାଚନୀ ଚିହ୍ନ ପଞ୍ଜୀକରଣ ବନ୍ଦ ହୋଇସାରିଥିବାରୁ, କଂଗ୍ରେସ(ଆଇ)କୁ ପୂର୍ବରୁ ନିର୍ବାଚନ କମିଶନଙ୍କ ପାଖରେ ଥିବା ଚିହ୍ନ ମଧ୍ୟରୁ ବାଛିବାକୁ କୁହାଗଲା। ସେତେବଳେ ନିର୍ବାଚନ କମିସନ ତାଙ୍କୁ ହାତୀ, ସାଇକେଲ ଓ ହାତ ଚିହ୍ନ ଦେଖାଇଥିଲେ। ଇନ୍ଦିରା ପ୍ରଚାର ପାଇଁ ଆନ୍ଧ୍ରପ୍ରଦେଶରେ ଥାଆନ୍ତି। ନିର୍ବାଚନ କମିସନଙ୍କ ପାଖକୁ ପିଭି ନରସିଂହ ରାଓ ଏବଂ ବୁଟା ସିଂ ଚିହ୍ନ ସମ୍ପର୍କରେ ଆଲୋଚନା କରିବା ପାଇଁ ଯାଇଥିଲେ। ପରଦିନ ସକାଳ ପର୍ଯ୍ୟନ୍ତ ସମୟ ଦେଇଥିଲେ ନିର୍ବାଚନ କମିସନ। ୩ଟି ଚିହ୍ନକୁ ନେଇ ନେତାମାନେ ଦ୍ୱନ୍ଦ୍ୱରେ ପଡ଼ିଯାଇଥିଲେ।

ସେତେବେଳେ ଆରକେ ରାଜାରତ୍ନମ ହାତ ଚିହ୍ନକୁ ଚୂଡ଼ାନ୍ତ କରିବା ପାଇଁ ପରାମର୍ଶ ଦେଇଥିଲେ। ସମସ୍ତେ ସହମତ ହେବା ପରେ ତା ପର ଦିନ ସକାଳୁ ବୁଟା ସିଂ ଇନ୍ଦିରାଙ୍କୁ ଫୋନ୍ କରି ନିଷ୍ପତ୍ତି ସମ୍ପର୍କରେ ଜଣାଇଥିଲେ। କିନ୍ତୁ ଚୂଡ଼ାନ୍ତ ନିଷ୍ପତ୍ତି ସମ୍ପର୍କରେ ଜଣାଇବା ପାଇଁ ବୁଟା ସିଂ ଇନ୍ଦିରାଙ୍କୁ ହାତ ଚିହ୍ନ ଠିକ୍ ରହିବ କି ବୋଲି ଆଉଥରେ ପଚାରିଥିଲେ। ବୁଟାଙ୍କର ଉଚ୍ଚାରଣ ଶୈଳୀ ସାମାନ୍ୟ ଭିନ୍ନ ଥିବାରୁ, ଇନ୍ଦିରାଙ୍କୁ ହାତୀ ବୋଲି ଶୁଭିଥିଲା। ସେ ବୁଟାଙ୍କୁ କହିଥିଲେ, ନା ହାତୀ ନୁହେଁ ହାତ। ଇନ୍ଦିରା କହିଥିଲେ ନା ହାତୀ ନୁହେଁ ହାତ। ବୁଟା ସିଂହ କହିଥିଲେ, ଆଜ୍ଞା ମୁଁ ବି ମୂଳରୁ ସେୟା କହୁଛି; ହାତୀ ନୁହେଁ ହାତ। ତଥାପି ଉଚ୍ଚାରଣଗତ ତ୍ରୁଟି ଯୋଗୁ ଇନ୍ଦିରା ଦ୍ୱନ୍ଦ୍ୱରେ ପଡ଼ି ଫୋନ୍ ପିଭି ନରସିଂହା ରାଓଙ୍କୁ ଧରାଇ ଦେଇଥିଲେ। ଆଉ ନରସିଂହା ରାଓ, ଯିଏ ୧୫ଟି ଭାରତୀୟ ଓ ବିଦେଶୀ ଭାଷାରେ ପ୍ରବୀଣ ସେ ବୁଟା ସିଂହଙ୍କ ସହ କଥା ହୋଇଥିଲେ। ସେ ବୁଟା ସିଂହ କଣ କହୁଛନ୍ତି ବୁଝିପାରି, ଇନ୍ଦିରାଙ୍କୁ ବୁଝାଇଥିଲେ। କହିଥିଲେ ବୁଟା ହାତୀ ନୁହେଁ ହାତ(ପଞ୍ଝା) ବୋଲି କହୁଛନ୍ତି। ତା ପରେ ହାତ ଚିହ୍ନ ଚୂଡ଼ାନ୍ତ ହୋଇଯାଇଥିଲା। ୧୯୭୭ରୁ ଦଳ ହାତ ଚିହ୍ନରେ ନିର୍ବାଚନ ଲଢ଼ିଆସୁଛି କଂଗ୍ରେସ।

Comment