ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୫ବର୍ଷ ପରେ ମହାପ୍ରଭୁ ଆଜି ଧାରଣ କରିଛନ୍ତି ନାଗାର୍ଜୁନ ବେଶ। କିନ୍ତୁ କରୋନା ମହମାରୀ ଯୋଗୁଁ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶକୁ ଦେଖିପାରିନାହାନ୍ତି ଭକ୍ତ। ଦୂରରୁ ମୁଣ୍ଡିଆ ମାରି ବଡ଼ଦାଣ୍ଡରୁ କାନ୍ଦି କାନ୍ଦି ଫେରିଛନ୍ତି ଶ୍ରଦ୍ଧାଳୁ।

ମନ୍ଦିରରେ ସମସ୍ତ ନୀତିକାନ୍ତି ହେଲା। ଘଣ୍ଟ କୀର୍ତ୍ତନରେ ଶ୍ରୀମନ୍ଦିର ପରସର କମ୍ପିଲା। ପାଟ ପଟୁଆରେ ଠାକୁରଙ୍କ ବସ୍ତ୍ର ପୋଷାକ ଆସିଲା। ହେଲେ କରୋନା କଟକଣା ଯୋଗୁଁ ମନ୍ଦିର ଭକ୍ତ ଶୂନ୍ୟ ଥିଲା।

‘‘ଜଗାର ନାଗାର୍ଜୁନ ବେଶ ଦେଖିବା ପାଇଁ ମାସ ମାସ ହେଲା ପୁରୀରୁ ଥିଲୁ। ୨୫ ବର୍ଷ ପରେ ଏହି ବେଶ ଦେଖିବାକୁ ସୁଯୋଗ ମିଳିଥିଲା। କରୋନା ପାଇଁ ଦର୍ଶନ ହୋଇପାରିଲା ନାହିଁ। ପୁଣି କେବେ ପଡ଼ିବ କିଏ ଜାଣିଛି। ବଞ୍ଚିଥିଲେ ପୁଣି କେବେ ଏହି ଦୁର୍ଲଭ ବେଶ ଦେଖିବାକୁ ମିଳିବ’’,  କାନ୍ଦି କାନ୍ଦି କହିଛନ୍ତି ଜଣେ ମହିଳା ଭକ୍ତ।

‘‘କାଳିଆର ନାଗା ବେଶ ଦେଖିବାକୁ ବହୁ ଦିନରୁ ମନରେ ଇଚ୍ଛା ବାନ୍ଧି ବସିଥିଲି। କିନ୍ତୁ କାଳିଆର ଏହି ବିରଳ ବେଶ ଦେଖିପାରିଲିନି। ମନରେ ବହୁତ କଷ୍ଟ ଲାଗୁଛି। ଆଉ ଥରେ ଏହି ବେଶ ହେଲା ବେଳକୁ ମୁଁ ବଞ୍ଚିଥିବି କି ନାହିଁ। ଆଜି କିନ୍ତୁ ଦର୍ଶନରୁ ବଞ୍ଚିତ ହେଲି’’, କହିଛନ୍ତି ଆଉ ଜଣେ ମହିଳା ଭକ୍ତ।

୮ ମାସ ହେଲା ଆମେ ମହାପ୍ରଭୁଙ୍କୁ ଦର୍ଶନ କରିନୁ। ଆଜି ଟିକିଏ ଦର୍ଶନ କରିବାର ସୁଯୋଗ ମିଳିବ ବୋଲି ମନରେ ଆଶା ଥିଲା। ବର୍ଷ ପର୍ଷର ଅପେକ୍ଷା ପରେ ଏହି ଦିନ ଆସିଥିଲା। କିନ୍ତୁ ପ୍ରଶାସନର କଟକଣା ଯୋଗୁଁ ଆଜି ବି ଦର୍ଶନ କରିପାରିଲୁନି। ଆଉ କେତେଦିନ ଭଗବାନ ଏମିତି ଭକ୍ତର ପରୀକ୍ଷା ନେବେ’’, କହିଛନ୍ତି ଅନ୍ୟ ଜଣେ ଭକ୍ତ।

କରୋନା କଟକଣା ଥିବାରୁ ଆଜି ମହାପ୍ରଭୁଙ୍କୁ ପାଖରୁ ଦେଖିପାରିନାହାନ୍ତି ଭକ୍ତ। ଫଳରେ ଦୂରରୁ ଦୀପ ଜାଳି କାଳିଆ ସାଆନ୍ତଙ୍କୁ ଗୁହାରି ଜଣାଇଛନ୍ତି ପୁରୀ ସହରର ଶହ ଶହ ଭକ୍ତ। ଦୀପ ଜାଳିବା ବେଳେ ଭକ୍ତଙ୍କ ଆଖିରୁ ଝରି ଆସିଥିଲା ଲୁହ। ହରିବୋଲ ହୁଳାହୁଳି କମ୍ପିଥିଲା ବଡ଼ଦାଣ୍ଡ।

ଯଦି ଆଜି କରୋନା ନଥାନ୍ତା କି କାଳିଆ ଦାଣ୍ଡରେ କଟକଣାର ଗାର ଟଣା ହୋଇନଥାନ୍ତା ତେବେ ଶ୍ରମନ୍ଦିରରେ ସୃଷ୍ଟି ହୋଇଥାନ୍ତି ଭକ୍ତ ସମୁଦ୍ର। ରାସ୍ତାଘାଟ, ଗଳି କନ୍ଦି, ଛାତ ସବୁଠି  ଏକାଠି ହୋଇଥାନ୍ତେ ଭକ୍ତ।, ହେଲେ ଆଜି ଶୂନଶାନ ଶ୍ରୀକ୍ଷେତ୍ର, ଖାଁ ଖାଁ ବଡଦାଣ୍ଡ। ସ୍ୱଳ୍ପ ସେବାୟତ, ପୋଲିସ, ପ୍ରଶାସନ ସାହାଯ୍ୟରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ନାଗାର୍ଜୁନ ବେଶ କରାଗଲା।

Comment