ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଆ ଫିଲ୍ମ ଜଗତରେ ବହୁ ସମୟରୁ ବଙ୍ଗୀୟ ଅଭିନେତ୍ରୀଙ୍କ ରାଜ ଚାଲିଛି। ଓଡ଼ିଆ କହିପାରୁନଥିଲେ ବି ନିଖୁଣ ଅଭିନୟ କରି ସେମାନେ ଓଡ଼ିଆ ଦର୍ଶକଙ୍କ ମନ ଜିତିବାରେ ସଫଳ ହୋଇଛନ୍ତି।

ରଚନା

ବଙ୍ଗୀୟ ଅଭିନେତ୍ରୀ ନାଁ କହିଲେ ସମସ୍ତଙ୍କ ମନକୁ  ପ୍ରଥମେ ଗୋଟିଏ ନାଁ ଆସେ, ସେ ହେଲେ ରଚନା ବାନାର୍ଜୀ। ଅତୀତରେ ସେ ବହୁ ଓଡ଼ିଆ ଫିଲ୍ମ ଅଭିନୟ କରି ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଇଛନ୍ତି। ରଚନା ବାନାର୍ଜୀ ପାଖାପାଖି ଦଶ ବର୍ଷ ଧରି ଓଡ଼ିଆ ସିନେଜଗତ ସହିତ ଜଡ଼ିତ ଥିଲେ। ସେ ଅଲରାଉଣ୍ଡର ରାଜୁ ମିଶ୍ରଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ସାଗରଗଙ୍ଗା’ ଜରିଆରେ ଓଲିଉଡ୍‌ରେ ଏଣ୍ଟ୍ରି କରିଥିଲେ। ଓଲିଉଡର ଖ୍ୟାତନାମା ନିର୍ଦ୍ଦେଶକ ରବି କିନ୍ନାପୀଙ୍କ ସୁପରହିଟ୍ ଫିଲ୍ମ ‘ଭାଇ ହେଲା ଭଗାରି’ ରିଲିଜ୍ ହେବା ପରେ ରଚନା ବାନାର୍ଜୀ ବନିଥିଲେ ହିଟ୍ ହିରୋଇନ୍। ଏହା ପରେ ରଚନା ଆଉ ପଛକୁ ଫେରି ଚାହିଁନଥିଲେ। ସେ କ୍ରମାଗତ ଭାବେ ଓଡ଼ିଆ ଫିଲ୍ମରେ ନାୟିକା ଭୂମିକାରେ ଅଭିନୟ କରିଚାଲିଲେ।

ବଙ୍ଗୀୟ ନାୟିକା ରଚନା ବାନାର୍ଜୀ ଓଲିଉଡ଼ରେ ଅନେକ ହିଟ୍ ଓ ସୁପରହିଟ୍ ସିନେମା ଦେଇଛନ୍ତି। ସେଥିମଧ୍ୟରେ ରହିଛି ‘ଭାଇ ହେଲା ଭଗାରୀ’, ‘ଲକ୍ଷେ ଶିବ ପୂଜି ପାଇଛି ପୁଅ’, ‘ଯଶୋଦା’, ‘ଲକ୍ଷ୍ମଣରେଖା’, ‘ଲକ୍ଷ୍ମୀ ପ୍ରତିମା’, ‘ଗଙ୍ଗା ଯମୁନା’, ‘ସୁହାଗ ସିନ୍ଦୁର’, ‘କଣ୍ଢେଇ ଆଖିରେ ଲୁହ’, ‘ସିନ୍ଦୂର ନୁହେଁ ଖେଳ ଘର’, ‘ମୋ’ କୋଳ ତୋ’ ଝୁଲଣା’, ‘ସୁନା ହରିଣୀ’, ‘ନାରୀ ନୁହେଁ ତୁ ନାରାୟଣୀ’, ‘ସାକ୍ଷୀ ରହିବ ମୋ’ ଶଙ୍ଖା ସିନ୍ଦୂର’, ‘ନାରୀ ବି ପିନ୍ଧି ପାରେ ରକ୍ତ ସିନ୍ଦୂର’, ଏବଂ ‘ସନ୍ତାନ’ ଆଦି।

ଝିଲିକ୍‌

ଝିଲିକ୍ ଓଲିଉଡ଼ରେ ଏଣ୍ଟ୍ରି ଦେଇଥିଲେ ୨୦୧୩ରେ। ବଙ୍ଗୀୟ ନାୟିକା ଝିଲିକଙ୍କ ଅଭିନୀତ ପ୍ରଥମ ଓଡ଼ିଶା ସିନେମା ହେଲା ‘ଟାର୍ଗେଟ୍’। ନିରଞ୍ଜନ ରଣା ଏହାର ପ୍ରଯୋଜକ ଓ ଏସକେ ମୁରଲୀ ଧରନ୍ ନିର୍ଦ୍ଦେଶକ। ଏଥିରେ ତାଙ୍କ ବିପକ୍ଷରେ ନାୟକ ବନିଥିଲେ ଅମ୍ଳାନ। ଝିଲିକଙ୍କ ଅଭିନୀତ ପ୍ରଥମ ଫିଲ୍ମ ‘ଟାର୍ଗେଟ୍’କୁ ମଧ୍ୟ ବ୍ୟାବସାୟିକ ସଫଳତା ମିଳିନଥିଲା। ତେବେ ତାଙ୍କୁ ପ୍ରଯୋଜକ, ନିର୍ଦ୍ଦେଶକମାନେ ଗ୍ରହଣ କରିଥିଲେ। ଝିଲିକଙ୍କ ଜୟଯାତ୍ରା ପ୍ରକୃତରେ ଆରମ୍ଭ ହୋଇଥିଲା ବ୍ଲକବଷ୍ଟର ମୁଭି ‘ଆଖିରେ ଆଖିରେ’ରୁ।

ସୀତାରାମ ଅଗ୍ରୱାଲଙ୍କ ପ୍ରଯୋଜନାରେ ନିର୍ମିତ ଏହି ଓଡ଼ିଆ ସିନେମାର ନିର୍ଦ୍ଦେଶନା ଦେଇଥିଲେ ସୁଶାନ୍ତ ମଣି। ‘ଆଖିରେ ଆଖିରେ’ ଝିଲିକଙ୍କୁ ଷ୍ଟାରସନ୍ ବାବୁସାନ୍‌ଙ୍କ ବିପକ୍ଷରେ ନାୟିକା ଭାବେ ଦେଖିବାକୁ ମିଳିଥିଲା। ବାବୁସାନ୍‌-ଝିଲିକ୍ ଯୋଡ଼ି ପ୍ରଥମ ଫିଲ୍ମରେ ସୁପରହିଟ୍ ଯୋଡ଼ିର ମାନ୍ୟତା ପାଇଲେ। ଝିଲିକ୍ ଗତ ପାଞ୍ଚ ବର୍ଷ ଭିତରେ ଅନେକ ସୁପରିହଟ୍ ଫିଲ୍ମ ଦେଇଛନ୍ତି। ଏଥିମଧ୍ୟରେ ରହିଛି ‘ଆଖିରେ ଆଖିରେ’, ‘ଲେଖୁ ଲେଖୁ ଲେଖି ଦେଲି’, ‘ଜବରଦସ୍ତ ପ୍ରେମିକ’, ‘ଅଗସ୍ତ୍ୟ’, ‘ଜଗା ହାତରେ ପଘା’, ‘ସୁପର ମିଛୁଆ’, ‘ତୁ ମୋ’ ହିରୋ’ ଇତ୍ୟାଦି।

ମେଘା ଘୋଷ

ଓଲିଉଡରେ ରାଜ୍‌ କରିଥିବା ଆଉ ଜଣେ ଅଭିନେତ୍ରୀ ମେଘା ଘୋଷ। ୨୦୦୯ରେ ମେଘା ଓଡ଼ିଆ ଫିଲ୍ମ ଜଗତରେ ତାଙ୍କର ଅଭିନୟ ଜୀବନ ‘ଲଭ୍ ଡଟ୍ କମ୍‌’ରୁ ଆରମ୍ଭ କରିଥିଲେ। ଏହାପରେ ତାଙ୍କୁ ଗୋଟିଏ ପରେ ଗୋଟିଏ ଫିଲ୍ମର ଅଫର ମିଳିଥିଲା। ତାଙ୍କ ଅଭିନୀତ ଫିଲ୍ମ ମଧ୍ୟରେ ରହିଛି ‘ଶ୍ୱଶୂର ଘର ଜିନ୍ଦାବାଦ’, ‘ମୋଷ୍ଟ ଓ୍ୱାଣ୍ଟେଡ’,  ‘ଦୋସ୍ତି’, ‘ଚାନ୍ଦିନୀ ଆଇ ମିସ୍ ୟୁ’, ‘ଲୁଚକାଳି’,  ‘ମୁଁ ଆଶିକ୍‌ ମୁଁ ଆଓ୍ୱାରା’, ‘ହରି ଓମ୍‌ ହରି’।

କୋଏଲ ବାନାର୍ଜୀ

ଅଭିନେତ୍ରୀ କୋଏଲ ବାନାର୍ଜୀ ମଧ୍ୟ ଜଣେ ବଙ୍ଗୀୟ ଅଭିନେତ୍ରୀ। ୨୦୧୦ ମସିହାରେ ଓଡ଼ିଆ ଫିଲ୍ମ ‘ତୁ ଥାଆ ମୁଁ ଯାଉଚି ରୁଷି’ ଫିଲ୍ମରୁ ସେ ଓଲିଉଡରେ ଡେବ୍ୟୁ କରିଥିଲେ। ଏହାପରେ ‘ତତେ ଭଲ ପାଉଛି ବୋଲି’,  ‘୧୪୩ ଆଇ ଲଭ୍‌ ୟୁ’,  ‘ମନ ମୋର ପ୍ରଜାପତି’, ‘ଓମ୍‌ ସାଇ ରାମ୍‌, ‘ଆମେ ତ ଟୋକ ଷଣ୍ଢ ମାର୍କା’, ‘ଆଶିକ’ ଭଳି ଫିଲ୍ମରେ କାମ କରିଛନ୍ତି କୋଏଲ।

ସ୍ୱସ୍ତିକା

କମ୍‌ ଓଡ଼ିଆ ଫିଲ୍ମରେ ଅଭିନୟ କରିବାର ସୁଯୋଗ ପାଇଥିଲେ ବି ଓଲିୁଡରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇପାରିଥିଲେ ବଙ୍ଗୀୟ ଅଭିନେତ୍ରୀ ସ୍ୱସ୍ତିକା ମୁଖାର୍ଜୀ। ୨୦୦୩ରେ ହିଟ୍‌ ଫିଲ୍ମ ‘ସୁନା ସଙ୍ଖାଳିରେ’ ରେ ସେ ଅଭିନୟ କରିବାର ସୁଯୋଗ ପାଇଥିଳେ। ଏହାପରେ ତାଙ୍କ ଫିଲ୍ମ ‘କାଳୀ ଶଙ୍କର’ରେ ବି ଦେଖିବାକୁ ମିଳିଥିଲା।

ଏହି ଅଭିନେତ୍ରୀଙ୍କ ବ୍ୟତୀତ ଫିଲ୍ମ ‘ମହାନାୟକ’ରେ ଅନୁଭବଙ୍କ ସହିତ ବଙ୍ଗୀୟ ଅଭିନେତ୍ରୀ କୋଏଲ ମଲ୍ଲିକ ଦେଖିଥିଲେ ଦର୍ଶକ। ସେହିପରି ଫିଲ୍ମ ‘ଆ ଜହ୍ନରେ ଲେଖିବା ନାଁ’ରେ ବି ଜଣେ ବଙ୍ଗୀୟ ଅଭିନେତ୍ରୀ ଗୀତାଞ୍ଜଳି, ‘ନୂଆ ନୂଆ ପ୍ରେମରେ’, ‘କିଏ ଦେବ ଟକ୍କର’ରେ ବଙ୍ଗୀୟ ଅଭିନେତୀ ପତ୍ରାଳି ଚଟ୍ଟୋପଧ୍ୟାୟ ନଜର ଆସିଥିଲେ।

Comment