ଓଡ଼ିଶାଲାଇଭ୍ ବ୍ୟୁରୋ

ଶୀତଦିନେ ଅଧିକାଂଶ ମହିଳାଙ୍କର ପାଦ ଫାଟିଥାଏ। କିନ୍ତୁ କିଛି ମହିଳା ନିଜ ତ୍ଵଚା ପ୍ରତି ବିଶେଷ ଧ୍ୟାନ ଦେଉଥିବା ବେଳେ ପାଦ ପ୍ରତି ସେତେଟା ଗୁରୁତ୍ଵ ଦିଅନ୍ତି ନାହିଁ। ଫଳରେ ଏହି ସମସ୍ୟା କମିବା ବଦଳରେ ଅଧିକ ହୋଇଥାଏ। ତେବେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ଘରୋଇ ଉପାୟରେ ଫୁଟ୍ ମାସ୍କ ପ୍ରସ୍ତୁତ କରି ବ୍ୟବହାର କରିପାରିବେ।

ପ୍ରସ୍ତୁତି ପ୍ରଣାଳୀ

ଗୋଟିଏ ପାଚିଲା କଦଳୀ, ଏକ କପ୍ ଦହି, ଏକ ଚାମଚ ଚିନି, କିଛି ଲାଭେଣ୍ଡର ତେଲ ଏବଂ ଅଳ୍ପ ଟିକେ ଟି ଟ୍ରି ତେଲ ନିଅନ୍ତୁ। ପ୍ରଥମେ ଦହିକୁ ଟିକେ ଗରମ କରନ୍ତୁ। ସେଥିରେ କଦଳୀକୁ ଚକଟି ପକାଇଦିଅନ୍ତୁ। ଏହାପରେ ସେଥିରେ ଚିନି ପକାନ୍ତୁ। ଚିନି ଭଲ ଭାବେ ମିଶିଯିବା ପରେ ସେଥିରେ ତେଲ ପକାଇ ଗୋଳେଇ ଦିଅନ୍ତୁ। ଏହାକୁ ୧୦ ମିନିଟ୍ ପର୍ଯ୍ୟନ୍ତ ରଖିଦିଅନ୍ତୁ।

ଏବେ କିଛି ଉଷୁମ ପାଣିରେ ପାଦକୁ ଭଲ ଭାବେ ଧୋଇ ପୋଛିଦିଅନ୍ତୁ। ଏହାପରେ ଉପରୋକ୍ତ ଫୁଟ୍ ମାସ୍କକୁ ଭଲ ଭାବେ ଲଗାଇ ମସାଜ୍ କରନ୍ତୁ। କିଛି ସମୟ ପରେ ମାସ୍କ କାଢ଼ି ପାଦକୁ ଅଳ୍ପ ଉଷୁମ ପାଣିରେ ଧୋଇନିଅନ୍ତୁ। ଏହାପରେ ପାଦକୁ ପୋଛି କୋଲ୍ଡ କ୍ରିମ୍ ଲଗାନ୍ତୁ। ଏହି ମାସ୍କକୁ ଆପଣ ସପ୍ତାହରେ ଦୁଇ ତିନି ଥର ଲଗାନ୍ତୁ। ଏହାଦ୍ଵାରା ପାଦ ଫଟା ସମସ୍ୟା ଖୁବ୍ କମ୍ ଦିନ ମଧ୍ୟରେ ଦୂର ହୋଇଯିବ।ଫୁଟ୍ ମାସ୍କର ଫାଇଦା

କଦଳୀ ଓ ଦହିକୁ ସୌନ୍ଦର୍ଯ୍ୟ ବୃଦ୍ଧି କରିବା ପାଇଁ ବ୍ୟବହାର କରାଯାଏ। ଦହିରେ ଲାକ୍ଟିକ୍ ଏସିଡ୍ ଓ ଅଲ୍ଫା ହାଇଡ୍ରକ୍ସି ଏସିଡ୍ ରହିଥାଏ, ଯାହାକି ମୃତ କୋଷିକାଗୁଡ଼ିକୁ ବାହାର କରିବାରେ ସାହାଯ୍ୟ କରେ। ଏଥିସହ ଦହିରେ ଏସିଡୋଫିଲସ୍ ବ୍ୟାକ୍ଟେରିଆ ଥାଏ। ଏହା ପାଦକୁ ସଫା ରଖିବାରେ ସହାୟକ ହୁଏ। କଦଳୀ ତ୍ଵଚାକୁ ମୁଲାୟମ କରିବାରେ ସାହାଯ୍ୟ କରେ। ତେଣୁ ଏହି ମାସ୍କ ଲଗାଇବା ଦ୍ଵାରା ପାଦ ଫାଟିବା ବନ୍ଦ ହେବା ସହ ମୁଲାୟମ ବି ହୋଇଥାଏ।

Comment