ଓଡ଼ିଶାଲାଇଭ୍ ବ୍ୟୁରୋ

ନୟାଗଡ଼ ପରୀ ଅପହରଣ ଓ ହତ୍ୟା ଘଟଣାର ଏସ୍‌ଆଇଟି ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ଶନିବାର ଏସ୍‌ଆଇଟି ଟିମ୍ ଗଠନ କରିଛନ୍ତି ରାଜ୍ୟ ସରକାର। ଏହି ଟିମ୍‌ର ମୁଖ୍ୟ ଭାବେ ବରିଷ୍ଠ ଆଇପିଏସ୍ ଅଫିସର ଅରୁଣ ବୋଥ୍ରାଙ୍କୁ ଦାୟିତ୍ଵ ଦିଆଯାଇଛି। ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଏସ୍‌ଆଇଟି ଟିମ୍‌ରେ ବୋଥ୍ରାଙ୍କ ସମେତ ୫ ଜଣ ଅଫିସରଙ୍କୁ ଦାୟିତ୍ଵ ମିଳିଛି। କ୍ରାଇମବ୍ରାଞ୍ଚ ଏସ୍‌ପି ଆର.କେ ଦୋରା, ଏଏସ୍‌ପି ଆର୍‌.ସି. ଥାମ୍ବା, ଇନ୍ସପେକ୍ଟର ନରେନ୍ଦ୍ର ବେହେରା ଓ କ୍ରାଇମବ୍ରାଞ୍ଚ ଇନ୍ସପେକ୍ଟର ମମତାରାଣୀ ପଣ୍ଡା ଏହି ଟିମ୍‌ରେ ସାମିଲ ହୋଇଛନ୍ତି।

ଅନ୍ୟପଟେ ଏସ୍‌ଆଇଟି ଗଠନ ନେଇ ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କୁ ଗୃହ ବିଭାଗ ସ୍ଵତନ୍ତ୍ର ସଚିବ ଚିଠି ଲେଖିଛନ୍ତି। ଓଡ଼ିଶା ହାଇକୋର୍ଟର ଜଣେ କାର୍ଯ୍ୟରତ ବିଚାରପତିଙ୍କ ତତ୍ତ୍ଵାବଧାନରେ ତଦନ୍ତ ପାଇଁ ଏହି ଚିଠିରେ ନିବେଦନ କରାଯାଇଛି।

ନୟାଗଡ଼ର ୫ ବର୍ଷର ଝିଅ ‘ପରୀ’ ହତ୍ୟାକାଣ୍ଡକୁ ନେଇ ବିଧାନସଭାରେ ପ୍ରବଳ ହଟ୍ଟଗୋଳ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଏସ୍‌ଆଇଟି ତଦନ୍ତ ହେବ ବୋଲି ଘୋଷଣା କରିଥିଲେ। ଆଜି ବିଧାନସଭାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଏ ସମ୍ପର୍କିତ ବିଜ୍ଞପ୍ତିକୁ ଉପସ୍ଥାପନ କରିଥିଲେ। ଅନ୍ୟପଟେ ଆଜି ମଧ୍ୟ ପରୀ ପ୍ରସଙ୍ଗକୁ ନେଇ ବିରୋଧୀ ବିଜେପି ସଦସ୍ୟମାନେ ଗୃହରେ ପ୍ରବଳ ହୋ ହଲ୍ଲା କରିଥିଲେ। ସେମାନେ ମନ୍ତ୍ରୀଙ୍କ ବହିଷ୍କାର ସହ ସିବିଆଇ ତଦନ୍ତ ପାଇଁ ଦାବି କରିଥିଲେ।

Comment