ଓଡ଼ିଶାଲାଇଭ୍ ବ୍ୟୁରୋ

ଜନବିରୋଧୀ କାମ ପାଇଁ ବିଜେଡିରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ମୁଁ ଯଦି କୌଣସି ଜନବିରୋଧୀ କାର୍ଯ୍ୟ କରିଛି ତେବେ ଦଳ ତାହାର ସ୍ପଷ୍ଟୀକରଣ ଦେଉ। ଏଥିସହ ସାମ୍ବାଦିକମାନେ ଉକ୍ତ ଜନବିରୋଧୀ କାର୍ଯ୍ୟର ସତ୍ୟାସତ୍ୟ ବାହାର କରନ୍ତୁ ବୋଲି ପ୍ରଦୀପ କହିଛନ୍ତି।

ଭିଜିଲାନ୍ସ ଜାଲରେ ଧରାପଡ଼ିଥିବା ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଛନ୍ତି ପ୍ରଦୀପ। ନିଜ ଭାବି ଜ୍ଵାଇଁ ଆକାଶଙ୍କ ବିଷୟରେ ପ୍ରଦୀପ କହିଛନ୍ତି, “ଆକାଶ ଆଇଟିଆର୍‌ର ଛାତ୍ର ଏବଂ ସେ ରୋମାନିଆରେ କାମ କରୁଥିଲେ। ମାଆଙ୍କ ଦେହ ଖରାପ ହେବାରୁ ସେ ଓଡ଼ିଶା ଫେରି ଆସିଥିଲେ। ୨୦୧୬ ମସିହାରେ ଜିମେଟ୍‌ରେ ସବୁଠୁ ଅଧିକ ନମ୍ବର ରଖିଥିଲେ ଆକାଶ। ଏହାପରେ ସେ ଟାଟା ଗ୍ରୁପ୍‌କୁ ମନୋନୀତ ହୋଇଥିଲେ। ଟାଟା କମ୍ପାନି ତରଫରୁ ଆକାଶଙ୍କୁ ଚାର୍ଟର ପାଇଁ ଅନୁମତି ରହିଛି।”

ସେହିପରି ଆକାଶଙ୍କ ବାପା ତଥା ଗିରଫ ଆଇଏଫ୍‌ଏସ୍ ଅଭୟକାନ୍ତ ପାଠକ ରାଜ୍ୟର ଜଣେ ଦକ୍ଷ ଅଫିସର ବୋଲି ପ୍ରଦୀପ କହିଛନ୍ତି। ଏଥିସହ ଗଞ୍ଜାମ ଜିଲ୍ଲା ସଭାପତି ଥିବା ବେଳେ ୧୫ଟି ବିଧାନସଭା ଆସନରୁ ୧୨ଟିରେ ଜିତାଇଥିବା ପ୍ରଦୀପ କହିଛନ୍ତି। ସେତେବେଳେ ଦଳର ପ୍ରାର୍ଥୀମାନଙ୍କୁ ତାଙ୍କ ଜରିଆରେ ପାଣ୍ଠି ପ୍ରଦାନ କରାଯାଇଥିଲା। ସେଥିରେ ଯଦି କିଛି ତ୍ରୁଟି ରହିଛି ତେବେ ତାହାର ପ୍ରମାଣ ଦେବାକୁ ସେ ଆହ୍ଵାନ କରିଛନ୍ତି। ଏଥିସହ ଯଦି ସେ ଜନବିରୋଧୀ କାମ କରିଛନ୍ତି ତେବେ ଭୋଟରମାନେ ତାଙ୍କୁ କିପରି ଗ୍ରହଣ କଲେ ବୋଲି ସେ ପ୍ରଶ୍ନ କରିଛନ୍ତି।ପ୍ରଦୀପ ଆହୁରି କହିଛନ୍ତି ଯେ, ଗଞ୍ଜାମ ଜିଲ୍ଲାରୁ ବାଲି, ମୋରମ ଚାଲାଣ ପ୍ରସଙ୍ଗ ଉଠାଇଥିଲି। କିନ୍ତୁ କୌଣସି ବାଲି ମାଫିଆଠାରୁ ମୁଁ ଟଙ୍କା ନେଇନି। ଜିଲ୍ଲାରେ ୮୦ଟି ମଦ ଦୋକାନ ଅଛି, କିନ୍ତୁ କାହାଠୁ କିଛି ନେଇନି। ମୁଁ କୌଣସି ଦୁର୍ନୀତି କରିନି। ଏହାର ପ୍ରମାଣ ପାଇଁ ମୋର ବ୍ୟକ୍ତିଗତ ସମ୍ପତ୍ତି ଆକଳନ କରାଯାଉ।

ଅନ୍ୟପଟେ ବିଜେଡିରେ ଥିବା ଅସନ୍ତୋଷ ବାବଦରେ ଗୁମର ଖୋଲିଛନ୍ତି ପ୍ରଦୀପ। ଦଳରେ ଉଚ୍ଚସ୍ତରରେ ଅସନ୍ତୋଷ ରହିଛି। ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନ ପାରିବା ଓ ତାଙ୍କ ପାଖେ କଥା ନ ପହଞ୍ଚିପାରିବା ଅସନ୍ତୋଷର ମୂଳ କାରଣ। କେହି ଓଡ଼ିଆ ଚୁପ୍ ରହିବାକୁ ପସନ୍ଦ କରନ୍ତିନି। କେବଳ ମୁଖ୍ୟମନ୍ତ୍ରୀଙ୍କ ଭଲପାଇବା ଓ ଶ୍ରଦ୍ଧା ଯୋଗୁ ସେମାନେ ଚୁପ୍ ଅଛନ୍ତି। ଅନୁଶାସନ, ସ୍ଥିରତା ଓ ବିକାଶ ମୁଖ୍ୟମନ୍ତ୍ରୀଙ୍କ ୩ଟି ଭଲ ଗୁଣ ବୋଲି ପ୍ରଦୀପ କହିଛନ୍ତି।

ତେବେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଲୋକଙ୍କ କଥା ପହଞ୍ଚାଇବା ପାଇଁ ଚିଠି ଲେଖିବାର ଫଳ ଭୋଗୁଥିବା ପ୍ରଦୀପ ଅଭିଯୋଗ କରିଛନ୍ତି। ଏନେଇ ସେ କହିଛନ୍ତି, “ପ୍ରବାସୀ ଶ୍ରମିକଙ୍କ ଯନ୍ତ୍ରଣା ଓ କୋଭିଡ୍ ପ୍ରସଙ୍ଗରେ ମୁଖ୍ୟମନ୍ତୀଙ୍କୁ ଚିଠି ଲେଖିଥିଲି। ସୁରଟ ଓ ଚେନ୍ନାଇରୁ ମିଳିଥିବା ଅନୁଭୂତି ଲେଖି ଜଣାଇଥିଲି। ପ୍ରବାସୀମାନେ ଓଡ଼ିଶା ଫେରିବାକୁ ଚାହୁଁଥିବା ଚିଠିରେ ଲେଖିଥିଲି। କିନ୍ତୁ ସେତେବେଳେ ରାଜ୍ୟ ସରକାର ସେମାନଙ୍କୁ ଓଡ଼ିଶା ଆଣିବାକୁ ଅମଙ୍ଗ ହେଉଥିଲେ। ଏହି ସବୁ ଚିଠି ଲେଖିବାରୁ ଆଜି ଏ ଦଶା ଭୋଗୁଛି।”

ଆଜିର ଘଟଣା ପରେ ଭୟରେ ମୋ ସହ କେହି କଥା ହେବେନି। ଦଳରେ ମୋର ଅନେକ ବନ୍ଧୁ ଥିଲେ ମଧ୍ୟ ମୋତେ କେହି ଫୋନ୍ କରିବେନି ବୋଲି ପ୍ରଦୀପ କହିଛନ୍ତି।

LEAVE A REPLY

Please enter your comment!
Please enter your name here