ଓଡ଼ିଶାଲାଇଭ୍ ବ୍ୟୁରୋ

ପଶ୍ଚିମବଙ୍ଗରେ ସରକାର ଭାଙ୍ଗିବାକୁ ରଣନୀତି କସୁଛି ବିଜେପି।

ଆସନ୍ତାବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଅଛି। ଏହାକୁ ନେଇ ତୃଣମୂଳ କଂଗ୍ରେସ ଓ ବିଜେପି ନେତାଙ୍କ ମଧ୍ୟରେ ରାଜନୈତିକ ବୟାନବାଜି ମଧ୍ୟ ଆରମ୍ଭ ହୋଇଯାଇଛି। ଏହାରି ଭିତରେ ବିଜେପି ସାଂସଦ ସୌମିତ୍ର ଖାନ ରାଜ୍ୟ ରାଜନୀତିକୁ ନେଇ ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି; ଯାହା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିନ୍ତାରେ ପକାଇଦେଇଛି।

ବିଜେପି ସାଂସଦ ସୌମିତ୍ର ଖାନ୍ କହିଛନ୍ତି ଯେ, ତୃଣମୂଳ କଂଗ୍ରେସର ପ୍ରାୟ ୬୨ ଜଣ ବିଧାୟକ ବିଜେପି ସମ୍ପର୍କରେ ଅଛନ୍ତି। ଏମାନେ କୌଣସି ମୁହୂର୍ତ୍ତରେ ବି ତାଙ୍କ ପୁରୁଣା ଦଳ ଛାଡ଼ି ବିଜେପିରେ ସାମିଲ ହୋଇପାରନ୍ତି। ସବୁକିଛି ଠିକ୍ ଠାକ୍ ଚାଲିଲେ ଡିସେମ୍ବର ୧୫ ସୁଦ୍ଧା ପଶ୍ଚିମବଙ୍ଗରୁ ମମତା ସରକାର ହଟିଯିବ ବୋଲି ସେ କହିଛନ୍ତି। ସୌମିତ୍ରଙ୍କ ଏହି ବୟାନକୁ ନେଇ ଏବେ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି।ଶୁଭେନ୍ଦୁଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା

କିଛି ଦିନ ତଳେ ମମତା ସରକାରରେ ପର୍ଯ୍ୟଟନ ମନ୍ତ୍ରୀ ଥିବା ଶୁଭେନ୍ଦୁ ଅଧିକାରୀ ନିଜ ପଦରୁ ଇସ୍ତଫା ଦେଇଥିଲେ। ଯାହାକୁ ନେଇ ପଶ୍ଚିମବଙ୍ଗରେ ରାଜନୀତି ଜୋର ଧରିଥିଲା। ଏହା ପଛରେ କାରଣ କ’ଣ ବୋଲି ସମସ୍ତେ ଜାଣିବାକୁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ଉତ୍ତର ମିଳିନଥିଲା।

ଅନ୍ୟପଟେ ମନ୍ତ୍ରୀପଦରୁ ଇସ୍ତଫା ଦେଇଥିଲେ ମଧ୍ୟ ଶୁଭେନ୍ଦୁ ଏଯାବତ ଦଳରେ ଅଛନ୍ତି; କିନ୍ତୁ କୌଣସି ମୁହୂର୍ତ୍ତରେ ବି ସେ ତୃଣମୂଳ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇପାରନ୍ତି ବୋଲି କୁହାଯାଉଛି। ଏପରି ହେଲେ ତାଙ୍କ ସହ ଅନ୍ୟ କିଛି ବିଧାୟକ ମଧ୍ୟ ବିଜେପିରେ ସାମିଲ ହୋଇପାରନ୍ତି।ପଶ୍ଚିମବଙ୍ଗ ବିଧାନସଭାର ସଂଖ୍ୟା ଗଣିତ

ପଶ୍ଚିମବଙ୍ଗର ମୋଟ ବିଧାନସଭା ସିଟ୍ ସଂଖ୍ୟା ହେଉଛି ୨୯୪ । ଯେଉଁଥିରୁ ମମତାଙ୍କ ତୃଣମୂଳ କଂଗ୍ରେସ ପାଖରେ ରହିଛି ୨୨୧ଟି ସିଟ୍। ବାକି କଂଗ୍ରେସ ସମର୍ଥିତ ମେଣ୍ଟ ପାଖରେ ୪୭ ଓ ବିଜେପି ପାଖରେ ୧୬ଟି ସିଟ୍ ରହିଛି। ଯଦି ସୌମିତ୍ରଙ୍କ କହିବା ମୁତାବକ ତୃଣମୂଳ କଂଗ୍ରେସର ୬୨ ବିଧାୟକ ଦଳରୁ ଇସ୍ତଫା ଦିଅନ୍ତି ତେବେ ମମତାଙ୍କ ପାଇଁ ଚିନ୍ତା ବଢ଼ିପାରେ।୨୦୨୧ରେ ପଶ୍ଚିମବଙ୍ଗରେ ବିଜେପି ସରକାର – ଶାହ

ଚଳିତ ମାସରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗ ଗସ୍ତରେ ଯାଇଥିଲେ। ଦଳର ସାଙ୍ଗଠନିକ ବୈଠକରେ ଯୋଗଦେବା ସହିତ ଶାହ କର୍ମୀମାନଙ୍କୁ ଗୁରୁଜ୍ଞାନ ଦେଇଥିବା ଜଣାପଡ଼ିଛି। ଏହି ଅବସରରେ ଶାହ କହିଥିଲେ ଯେ, ୨୦୨୧ରେ ବିଜେପି ପଶ୍ଚିମବଙ୍ଗରେ ସରକାର ଗଢ଼ିବ। ସେଠାକାର ଜନତା ମମତା ସରକାରରେ ଅତିଷ୍ଠ ହୋଇପଡ଼ିଲେଣି। ରାଜ୍ୟରେ ବିଜେପି ଏଥର ବହୁମତ ହାସଲ କରିବ ବୋଲି ଶାହ ଦୃଢ଼ୋକ୍ତ ପ୍ରକାଶ କରିଥିଲେ।

Comment