ଓଡ଼ିଶାଲାଇଭ୍ ବ୍ୟୁରୋ

ଟିମ୍ ଇଣ୍ଡିଆ ପାଇଁ କିଏ ହେବେ ସଠିକ୍ ଅଧିନାୟକ?

ଅଷ୍ଟ୍ରେଲିଆଠାରୁ ଦିନିକିଆ ସିରିଜ୍ ହାରିବା ପରେ ଏବେ ସୋସିଆଲ୍ ମିଡିଆଠୁ ଆରମ୍ଭ କରି ସବୁଆଡ଼େ ଗୋଟିଏ ଚର୍ଚ୍ଚା; ଟିମ୍ ଇଣ୍ଡିଆର କ୍ୟାପଟେନ୍ ହୁଅନ୍ତୁ ରୋହିତ ଶର୍ମା। ବିରାଟ କୋହଲିଙ୍କୁ ଦିନିକିଆ ଏବଂ ଟି-୨୦ ଅଧିନାୟକ ପଦରୁ ହଟେଇ ଏହି ସ୍ଥାନରେ ରୋହିତ ବସାଇବାକୁ ଦାବି ହୋଇଛି।

ତେବେ ଏପରି ସ୍ଥିତିରେ ଟିମ୍ ଇଣ୍ଡିଆ ପାଇଁ କିଏ ଠିକ୍ କ୍ୟାପଟେନ୍ ହେବ ତାକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି।ଭାରତୀୟ କ୍ରିକେଟ୍ ଟିମର ଅଧିନାୟକ ପଦରୁ ଧୋନୀ ହଟିବା ପରେ ବିରାଟ ଏହି ପଦରେ ରହିଛନ୍ତି। ହେଲେ ଅଧିନାୟକ ଭାବେ ସେ ଏପର୍ଯ୍ୟନ୍ତ ସେଭଳି କୌଣସି ବଡ଼ ଉପଲବ୍ଧି ହାସଲ କରିପାରିନାହାନ୍ତି। ତାଙ୍କ ନେତୃତ୍ୱରେ ଦଳ ୨୦୧୯ ବିଶ୍ୱକପ୍ ସେମିଫାଇନାଲକୁ ଯାଇ ମଧ୍ୟ ପରାଜୟ ଭୋଗିଥିଲା। ତା’ସହ ଆଇପିଏଲରେ ମଧ୍ୟ କୋହଲିଙ୍କୁ ଅଧିନାୟକ ସେତେଟା ଆଖିଦୃଶିଆ ନଥିଲା। ତେଣୁ ଏବେ କୋହଲିଙ୍କୁ ଅଧିନାୟକ ପଦରୁ ହଟାଇବାକୁ ଦାବି ହେଉଛି।ଅନ୍ୟପଟେ ରୋହିତ ଶର୍ମା ଅଧିନାୟକ ଭାବେ ଆଇପିଏଲରେ ନିଜର କମାଲ୍ ଦେଖାଇସାରିଛନ୍ତି। ତାଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ଚାରିଥର ଚାମ୍ପିୟନ ହେବାର ଗୌରବ ଅର୍ଜନ କରିପାରିଛି। ତେଣୁ ବିରାଟଙ୍କ ବଦଳରେ ଏବେ ରୋହିତ ଟିମ୍ ଇଣ୍ଡିଆର ନେତୃତ୍ୱ ନେବା ଠିକ୍ ହେବ ବୋଲ କେତେକ ପ୍ରଂଶସକ ମତ ବାଢ଼ିଛନ୍ତି।କୋହଲି ଅପ୍ରସ୍ତୁତ ଅଧିନାୟକ – ନେହେରା

ଚଳିତ ଅଷ୍ଟ୍ରେଲିଆ ଗସ୍ତରେ କୋହଲି ଘନଘନ ବୋଲିଂରେ ପରିବର୍ତ୍ତନ କରିଥିଲେ। ଯେଉଁ କାରଣରୁ ବୁମରା ଓ ସାମି ନିଜର ଲୟ ଧରି ରଖିବାକୁ ସଫଳ ହୋଇନଥିଲେ। ତେଣୁ ଟିମ୍ ଇଣ୍ଡିଆ ଉଭୟ ମ୍ୟାଚରେ ପରାଜୟ ଭୋଗିଥିଲା ବୋଲି କହିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଆଶିଷ ନେହେରା।

କୋହଲି ଜଣେ ଅପ୍ରସ୍ତୁତ ଅଧିନାୟକ ଭାବେ ପଡ଼ିଆକୁ ଓହ୍ଲାଇଥିଲେ। ଏହି କାରଣରୁ କେଉଁ ସମୟରେ ସେ କାହାକୁ ବୋଲିଂ ଦେବେ ତାହା ଚିନ୍ତା କରିପାରିନଥିଲେ। ବୁମରା ଓ ସାମି ଦୁଇ ଓଭର ବୋଲିଂ କରିବା ପରେ ନବଦୀପ ସୈନିଙ୍କୁ ବୋଲିଂ ଦେବା ଭୁଲ ନିଷ୍ପତ୍ତି ବୋଲି ନେହେରା କହିଛନ୍ତି।ଆଇପିଏଲରେ ରୋହିତ ସଫଳ, କୋହଲି ଫେଲ୍

ରୋହିତଙ୍କୁ ଅଧିନାୟକ ପଦ ଦେବା ପାଇଁ ଦାବି ହେବାର ପ୍ରମୁଖ କାରଣ ହେଉଛି ଆଇପିଏଲ୍। ରୋହିତଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ବର୍ଷ ଲଗାତାର ଦ୍ୱିତୀୟ ଥର ପାଇଁ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି। ଏହାବାଦ ମୁମ୍ବାଇର ଏହି ସଫଳତା ପଛରେ ରୋହିତଙ୍କ ଅଧିନାୟକତ୍ୱ ହିଁ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି କ୍ରିକେଟ୍ ବିଶେଷଜ୍ଞମାନେ କହିସାରିଛନ୍ତି।

କୋହଲି କିନ୍ତୁ ଆଇପିଏଲରେ ସମ୍ପୂର୍ଣ୍ଣ ଫେଲ୍ ମାରିଛନ୍ତି। ତାଙ୍କ ଅଧିନାୟକତ୍ୱରେ ଆରସିବି ପ୍ରତିଥର ଖରାପ ପ୍ରଦର୍ଶନ କରିଛନ୍ତି। ଚଳିତ ବର୍ଷ ଦଳ ପ୍ଲେ-ଅଫକୁ ଯାଇଥିଲେ ସୁଦ୍ଧା ତା’ଠୁ ଆଗକୁ ବଢ଼ିପାରିନଥିଲା। ତେଣୁ କୋହଲିଙ୍କୁ ଟିମ୍ ଇଣ୍ଡିଆର ଅଧିନାୟକ ପଦରୁ ହଟେଇବାକୁ ଦାବି ହେଉଛି।

Comment