ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇପିଏଲରେ ସାମିଲ ହେବେ ଆଉ ଦୁଇଟି ନୂଆ ଟିମ୍। ୮ ଦଳ ବଦଳରେ ୧୦ ଦଳକୁ ନେଇ ଖେଳାଯିବ ୨୦୨୧ ମସିହାର ଆଇପିଏଲ୍ ଟୁର୍ଣ୍ଣାମେଣ୍ଟ। ଏନେଇ ବିସିସିଆଇ ତରଫରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇନଥିଲେ ସୁଦ୍ଧା ବିସିସିଆଇର ଆଗାମୀ ବୈଠକରେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।

ଡିସେମ୍ବର ୨୪ ତାରିଖରେ ବିସିସିଆଇର ବାର୍ଷିକ ସାଧାରଣ ବୈଠକ ବସିବାକୁ ଅଛି। ଏଥିରେ ମୋଟ ୨୩ଟି ବିଷୟ ଉପରେ ଆଲୋଚନା ହେବ। ଏହି ଆଲୋଚନା ଭିତରେ ଆଇପିଏଲରେ ଆଉ ଦୁଇଟି ନୂଆ ଟିମ୍ ସାମିଲ ହେବା ମଧ୍ୟ ଅଛି।ଚଳିତ ବର୍ଷ କୋଭିଡ୍ କାରଣରୁ ବିସିସିଆଇ ଦୁବାଇରେ ଆଇପିଏଲ୍ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଥିଲା। ସଂକ୍ରମଣ ଭୟ ହେତୁ ଦର୍ଶକମାନଙ୍କୁ ମଧ୍ୟ ଷ୍ଟାଡିୟମକୁ ପ୍ରବେଶ ମିଳିନଥିଲା। ଏହି କାରଣରୁ ବିସିସିଆଇକୁ ଅଳ୍ପ ପରିମାଣର କ୍ଷତି ସହିବାକୁ ପଡ଼ିଛି। ଏହି କ୍ଷତିକୁ ଭରଣ କରିବାକୁ ବିସିସିଆଇ ଆଗାମୀ ଆଇପିଏଲରେ ଆଉ ଦୁଇଟି ଟିମ୍ ସାମିଲ କରିବାକୁ ଚିନ୍ତା କରୁଥିବା ଜଣାପଡ଼ିଛି।

ଏହାପୂର୍ବରୁ ମଧ୍ୟ ୨୦୧୧ରେ ମଧ୍ୟ ଦଶଟି ଦଳକୁ ନେଇ ଆଇପିଏଲ୍ ଖେଳାଯାଇଥିଲା। ସେହିବର୍ଷ ନୂଆକରି ପୁନେ ୱାରିୟର୍ସ ଇଣ୍ଡିଆ ଏବଂ କୋଚି ଟସ୍କର୍ସ କେରଳା ଆଇପିଏଲରେ ସାମିଲ ହୋଇଥିଲେ। ଏହା ପରବର୍ଷ କୋଚି ଟସ୍କର୍ସ କେରଳା ନଖେଳିବା ହେତୁ ୯ଟି ଦଳକୁ ନେଇ ଆଇପିଏଲ୍ ଖେଳାଯାଇଥିଲା।

ଏହାପରେ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟ ଆଇପିଏଲରେ ସାମିଲ ହୋଇଥିଲା ଏବଂ ପୁନେ ୱାରିୟର୍ସ ଇଣ୍ଡିଆ ଆଇପିଏଲରୁ ବିଦାୟ ନେଇଥିଲା। ସେବେଠାରୁ ୮ଟି ଦଳକୁ ନେଇ ଆଇପିଏଲ୍ ଖେଳାଯାଉଛି।

Comment