ଓଡ଼ିଶାଲାଇଭ୍ ବ୍ୟୁରୋ
ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ। ଲୋକଙ୍କଠୁ ଟଙ୍କା ଠକେଇ ଏବଂ ଜାଲିଆତି ଅଭିଯୋଗରେ ତାଙ୍କୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି।
ତାଙ୍କ ବିରୋଧରେ ପୋଲିସ ୪୧୯,୪୨୦,୪୬୭,୪୬୮,୪୬୯,୪୭୧ ଏବଂ ୧୨୦- ବି’ରେ ଦଫା ରୁଜୁ କରିଛି। ଏଥିସହିତ ଆକାଶ ପାଠକଙ୍କ ସହ ମିଶି ସେ ଲୋକଙ୍କୁ ଚାକିରି ଦେବା ବାହାନାରେ ଟଙ୍କା ଠକିଥିବା ପୋଲିସ କହିଛି।ଗୁରୁବାର ସନ୍ଧ୍ୟାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମବ୍ରାଞ୍ଚର ଅଫିସରମାନେ ଉଠାଇ ନେଇଥିଲେ। ଏହାପରେ ତାଙ୍କୁ ପଚରାଉଚୁରା କରାଯାଉଥିବା କ୍ରାଇମବ୍ରାଞ୍ଚ ଟୁଇଟ୍ କରି ସୂଚନା ଦେଇଥିଲା। ଏହାର କିଛି ସମୟ ପରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।
ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ କିନ୍ତୁ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ତାଙ୍କ ପରିବାର ତଦନ୍ତ ପାଇଁ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ମଧ୍ୟ କ୍ରାଇମବ୍ରାଞ୍ଚ ତାଙ୍କୁ ଏପରି ଗିରଫ କରିବାକୁ ସେ ନିନ୍ଦା କରିଛନ୍ତି।
ଘଟଣାକ୍ରମ:
- ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ମାମଲାରେ ପ୍ରଥମେ ଭିଜିଲାନ୍ସ ସ୍କାନରକୁ ଆସିଥିଲେ ଆଇଏଫ୍ଏସ୍ ଅଫିସର ଅଭୟକାନ୍ତ ପାଠକ।
- ଏହାପରେ ତାଙ୍କ ପୁଅ ଆକାଶ ପାଠକଙ୍କ ଚାକଚକ୍ୟ ଜୀବନ ବିଷୟରେ ବି ଖୋଳତାଡ଼ ଜାରି ରଖିଥିଲା ଭିଜିଲାନ୍ସ।
- ବାପ, ପୁଅଙ୍କ ନାଁ’ରେ କୋଟି କୋଟି ଟଙ୍କାର ଆୟ ବର୍ହିଭୂତ ସମ୍ପତ୍ତି ଥିବା ନେଇ ଭିଜିଲାନ୍ସକୁ ପ୍ରମାଣ ମିଳିଥିଲା।
- ଆକାଶ ପାଠକଙ୍କ ଆକାଉଣ୍ଟରେ ମୋଟ ୧୪ କୋଟିରୁ ଅଧିକ ଟଙ୍କା ଥିବା ନେଇ ଭିଜିଲାନ୍ସ ହାତରେ ଖବର।
- ଆଇଏଫ୍ଏସ୍ ଅଫିସର ଅଭୟକାନ୍ତଙ୍କ ବିଭିନ୍ନ ସ୍ଥାନରେ ଦୁର୍ନୀତି ନେଇ ମଧ୍ୟ ମିଳିଥିବା ସୁରାକ୍।
- ଅଭୟ ପାଠକ ଓ ଆକାଶ ପାଠକ ଭିଜିଲାନ୍ସ ଦ୍ୱାରା ଗିରଫ।
- ପାଠକ ପରିବାର ସହ ଗୋପାଳପୁର ବିଧାୟକଙ୍କ ଲିଙ୍କ୍ ଥିବା ନେଇ ମିଳିଲା ସୂଚନା।
- ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅକୁ ବାହା ହେଇଥାନ୍ତେ ଆକାଶ ପାଠକ।
- ଜନବିରୋଧୀ କାମ ପାଇଁ ବିଜେଡିରୁ ବହିଷ୍କୃତ ହୋଇଥିଲେ ପ୍ରଦୀପ ପାଣିଗ୍ରାହୀ।
- ପାଠକଙ୍କ କଳାଦୁର୍ନୀତିର ତଦନ୍ତ ଭାର ଯାଇଥିଲା ଏସ୍ଆଇଟି ହାତକୁ।
- ଆକାଶ ପାଠକଙ୍କୁ ଟଙ୍କା କାରବାରରେ ସାହାଯ୍ୟ କରିଥିବାରୁ ପ୍ରଦୀପ ପାଣିଗ୍ରାହୀ ଗିରଫ।