ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲା ଚାଷୀଙ୍କୁ ମଣ୍ଡିରେ ଧାନ ବିକ୍ରୟ କରିବା ପାଇଁ ଟୋକନ ଦିଆଯାଉନାହିଁ। ଧାନ କିଣାରେ ବିଭ୍ରାଟ ସୃଷ୍ଟି କରି ଘରୋଇ ସଂସ୍ଥାକୁ ପ୍ରୋତ୍ସାହନ ଦେବା ସକାଶେ ସରକାର ଉଦ୍ୟମ କରୁଛନ୍ତି। ଏହି ସମସ୍ୟା ବଳବତ୍ତର ରହିଲେ ପରବର୍ତ୍ତୀ ସମୟରେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ରାୟଗଡ଼ା ଜିଲ୍ଲା କଂଗ୍ରେସ କମିଟି ସଭାପତି ଦୁର୍ଗା ପ୍ରସାଦ ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛନ୍ତି।

ଗତ ନଭେମ୍ବର ୨୭ ତାରିଖ ଦିନ ରାୟଗଡ଼ାରେ ଧାନ ମଣ୍ଡିର ଶୁଭାରମ୍ଭ ହୋଇଥିବା ବେଳେ ଆଜି ସୁଦ୍ଧା ଜିଲ୍ଲାରେ ଧାନକିଣା ପ୍ରକ୍ରିୟା ଆରମ୍ଭ ହୋଇପାରିନାହିଁ। ଯୋଗାଣ ବିଭାଗ ଓ ମିଲର୍ସଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ରହିଥିବାରୁ ସମୟ ଗଡ଼ି ଚାଲିଥିବା ଦୁର୍ଗା ପ୍ରସାଦ ପଣ୍ଡା ଅଭିଯୋଗ କରିଛନ୍ତି। ଏହାର ସୁଯୋଗ ନେଇ ଆନ୍ଧ୍ରର ଧାନ ଦଲାଲମାନେ ଗାଁ ଗାଁ ବୁଲି ଶାଗ ମାଛ ଦରରେ ୧,୧୦୦ ଟଙ୍କାରୁ ୧,୩୫୦ ଟଙ୍କା ଦେଇ ଚାଷୀଙ୍କଠାରୁ ଅମଳ ଧାନ କିଣୁଛନ୍ତି। ରାଜ୍ୟ ସରକାର ଓ ପ୍ରଶାସନକୁ ଦାୟୀ କରିଛନ୍ତି।

ସମଗ୍ର ଜିଲ୍ଲାରେ ୧୮,୦୦୦ରୁ ଊର୍ଦ୍ଧ୍ୱ ଚାଷୀ ଧାନ ବିକ୍ରୟ ସକାଶେ ପଞ୍ଜିକରଣ କରିଥିବାବେଳେ ଆଜି ସୁଦ୍ଧା ମାତ୍ର ୨୦ ପ୍ରତିଶତ ଚାଷୀଙ୍କୁ ଟୋକନ ପ୍ରଦାନ କରାଯାଇଛି। ତରବରିଆ ଭାବେ ପ୍ରଶାସନ ଗତ ୧୨ ତାରିଖ ଦିନ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ହାତଗଣତି କିଛି ଚାଷୀଙ୍କୁ ଆଣି ବୈଠକ କରିଥିଲା। ଉକ୍ତ ବୈଠକରେ ଜିଲ୍ଲା ପ୍ରଶାସନ ୬ ଦିନ ମଧ୍ୟରେ ପ୍ରକୃତ ଚାଷୀଙ୍କୁ ରାଜସ୍ୱ ନିରୀକ୍ଷକଙ୍କ ଦ୍ୱାରା ଚିହ୍ନଟ କରି ଟୋକନ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିଲା।କିନ୍ତୁ ଏଥିମଧ୍ୟରେ ଅନେକ ଦିନ ବିତିଯାଇଥିଲେ ସୁଦ୍ଧା କୃଷକ କ୍ଷେତରେ ସରକାରୀ ଅଧିକାରୀଙ୍କ ଦେଖା ମିଳୁନଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି। ଏପରି ସ୍ଥଳେ ଧାନକିଣା ପ୍ରକ୍ରିୟା ବିଳମ୍ବ ହେଉଥିବାରୁ ନିଜ କଷ୍ଟ ଅର୍ଜିତ ଅମଳ ଧାନକୁ କେଉଁଠି ରଖିବେ ସେନେଇ ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ଯଦି ତୁରନ୍ତ ଜିଲ୍ଲାରେ ଚାଷୀଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦିଆନଯାଏ ତେବେ ଆଗାମୀ ଦିନରେ କୃଷକଙ୍କ ସହଯୋଗ କ୍ରମେ ଦଳ ଆନ୍ଦୋଳନକୁ ତୀବ୍ରତର କରିବ ବୋଲି ଦଳ ସଭାପତି ଶ୍ରୀ ପଣ୍ଡା ଚେତାବନୀ ଦେଇଛନ୍ତି।

ଅନ୍ୟପଟେ ବିଜେଡି ସରକାର ବିଜେପିର ‘ବି’ ଟିମ୍ ବୋଲି କୋରାପୁଟ ଲୋକସଭା କ୍ଷେତ୍ର ସାଂସଦ ସପ୍ତଗିରି ଉଲ୍ଲାକା କହିଛନ୍ତି। କେନ୍ଦ୍ର ସରକାର ଆଧ୍ୟାଦେଶ ଆଣି କୃଷି ବିଲ୍ ସଂସଦରେ ପାରିତ କରିଛନ୍ତି। କୃଷକଙ୍କ ଅଧିକାର ସୁନିଶ୍ଚିତ କରୁଥିବା ଏପିଏମ୍‌ସି ଆକ୍ଟକୁ ପରିବର୍ତ୍ତନ କରି ମଣ୍ଡି ବ୍ୟବସ୍ଥାକୁ ଉଚ୍ଛେଦ କରିବା ଓ ଚାଷୀଙ୍କୁ ଶୋଷଣ କରିବା ପାଇଁ ଘରୋଇ ସଂସ୍ଥାକୁ ସୁଯୋଗ ଦେବା ମିଳିତ ସରକାରଙ୍କ ଚାଲ୍ ବୋଲି ଉଲ୍ଲାକା ଅଭିଯୋଗ କରିଛନ୍ତି।

ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ବିଧାୟକ ଦଳ ପ୍ରାର୍ଥୀ ଆପଲସ୍ୱାମୀ କାଡ୍ରାକା, ଏଆଇସିସି ସଦସ୍ୟା ରତ୍ନମଣି ଉଲ୍ଲାକା, ଡିସିସି ଉପ ସଭାପତି ଶଙ୍କର୍ଷଣ ମଙ୍ଗରାଜ, ଜିଲ୍ଲା ପରିଷଦ ସଦସ୍ୟ ନନ୍ଦକିଶୋର ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here