ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାସ୍ତାକଡ଼ରେ ମାସ ମାସ ଧରି ପଡ଼ି ରହିଥିବା ମାନସିକ ନଡ଼ିଆକୁ ଘଟଗାଁ ତାରିଣୀକୁ ପଠାଇଲେ ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର।

ପ୍ରତିଦିନ କେନ୍ଦୁଝରର ଆରାଧ୍ୟା ଦେବୀ ମା’ ତାରିଣୀଙ୍କ ପାଖକୁ ଶହ ଶହ ମାନସିକ ନଡିଆ ଆସିଥାଏ। କିଏ ବସ୍‌ରେ ନଡ଼ିଆ ପଠାଇଥାଏ ତ କିଏ ରାସ୍ତାକଡ଼ରେ ମା’ଙ୍କ ନାଁରେ ନଡ଼ିଆ ଥୋଇଥାଏ। କିନ୍ତୁ କୋଭିଡ ମହାମାରୀ ଯୋଗୁଁ ଗତ କିଛି ମାସ ହେବ ମା’ଙ୍କ ନିକଟରେ ଏହି ମାନସିକ ନଡ଼ିଆ ସବୁ ପହଞ୍ଚି ପାରୁନଥିଲା। ଯେଉଁଥିପାଇଁ ରାସ୍ତାକଡ଼ରେ ଓ ବସଷ୍ଟାଣ୍ଡରେ ଗଦେଇ ହୋଇ ଆସୁଥିଲା ମାନସିକ ନଡ଼ିଆ। ଆଜି ସେହି ନଡ଼ିଆ ସବୁକୁ ଉଠାଇ ମା’ଙ୍କ ପୀଠକୁ ପଠାଇଛନ୍ତି ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର। ତାଙ୍କ ମହତକାମ ଯୋଗୁଁ ଆଜି ଶହ ଶହ ଭକ୍ତଙ୍କ ମାନସିକ ନଡ଼ିଆ ମା’ ତାରିଣୀଙ୍କ ପୀଠରେ ପହଞ୍ଚିପାରିଛି।

ଭୁବନେଶ୍ୱରର ବରମୁଣ୍ଡା, ଫାୟାର୍ ଷ୍ଟେସନ୍ ଛକ, ସିଆରପି, ଆଚାର୍ଯ୍ୟବିହାର, ବାଣୀବିହାର, ରସୁଲଗଡ଼, କଟକ, ଚଣ୍ଡିଖୋଲ ପାଣିକୋଇଲିରୁ ଏଇଭଳି ଅଟକି ରହିଥିବା ପାଖାପାଖି ୩୦୦ ବସ୍ତା ନଡ଼ିଆକୁ ଦୁଇଟି ଟ୍ରକ୍ ମାଧ୍ୟମରେ ଘଟଗାଁ ପଠାଇଛନ୍ତି ସବ୍ୟସାଚୀ।

ଏହି ନଡ଼ିଆ ସବୁ ଗଦେଇ ହେବା ଯୋଗୁଁ ସହରର ପରିବେଶ ଓ ସୌନ୍ଦର୍ଯ୍ୟ ନଷ୍ଟ ହେବାରେ ଲାଗିଥିଲା। କିଛି ନଡ଼ିଆରୁ ଗଜା ବାହାରିସାରିଥିଲା ବେଳେ କିଛି ନଡ଼ିଆ ପଚି ସେଥିରୁ ଦୁର୍ଗନ୍ଧ ବାହାରୁଥିଲା।  ଆଉ କିଛି ନଡ଼ିଆ ରାସ୍ତାକୁ ଗଡି ଆସୁଥିବା ଫଳରେ ଅନେକ ଦୁର୍ଘଟଣା ମଧ୍ୟ ହେଉଥିଲା। କରୋନା ଭୟ ଯୋଗୁଁ କେହି ବି ଏହାକୁ ହାତ ମାରନଥିଲେ। ହେଲେ ସବ୍ୟସାଚୀ ନିଜ ମହାନ ହୃଦୟର ପରିଚୟ ଦେଇ ଆଜି ଏହି ସବୁ ନଡ଼ିଆକୁ ଠିକଣା ଜାଗାରେ ପଠାଇଛନ୍ତି। ଘଟଗାଁରେ ଏହି ନଡ଼ିଆ ସବୁ ପହଞ୍ଚି ସାରିଥିବା ମନ୍ଦିର କର୍ତ୍ତୃପକ୍ଷ ଜଣାଇଛନ୍ତି।

‘‘ଆଜି ଏହି କାମ କରି ମୁଁ ଜାଣିନଥିବା ହଜାର ହଜାର ପରିବାର ମୋ ନିଜର ଲାଗୁଛନ୍ତି। ସମସ୍ତଙ୍କ ମାନସିକ ପୂରଣ ହେଉ ଏତିକି ମୋର କାମନା’’, କହିଛନ୍ତି ସବ୍ୟସାଚୀ।

ତେବେ ସମ୍ୟସାଚୀଙ୍କ ଏଭଳି ପଦକ୍ଷେପ ପ୍ରଥମ ନୁହେଁ। ଲକଡାଉନ୍‌ ସମୟରେ କିଛି ପ୍ରବାସୀ ଓଡ଼ିଆଙ୍କୁ ଓଡ଼ିଶା ଆଣିବାରେ ସାହାଯ୍ୟ କରିଥିଲେ ସେ। ଏହି କାମ ପାଇଁ ରାଜ୍ୟରେ ବେଶ ପ୍ରଶଂସିତ ହୋଇଥିଲେ ସବ୍ୟସାଚୀ।

Comment