ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ନାଁରେ ଗତ କିଛି ଦିନ ହେବ ଏକ ଅଡିଓ କ୍ଲିପ୍‌ ଭାଇରାଲ୍ ହେଉଛି। ଏହି ଘଟଣାରେ ଭାଇରାଲ କରିଥିବା ସଂସ୍ଥା ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ନେବା ନିମନ୍ତେ ଶନିବାର ବୃନ୍ଦାବନ ଦାସ ଆଜାଦ ନାମକ ଜଣେ ବ୍ୟକ୍ତି କଟକ ସାଇବର୍ ଥାନାରେ ଏତଲା ଦେଇଛନ୍ତି।

ନିର୍ଦ୍ଧିଷ୍ଟ ଏକ ନ୍ୟୁଜ୍‌ ପୋର୍ଟାଲ୍ ନିଜ ସ୍ୱାର୍ଥ ସାଧନ ଉଦ୍ଦେଶ୍ୟରେ ଏହି ଅଡିଓକୁ ଭାଇରାଲ୍ କରିଥିବା ବୃନ୍ଦାବନ ତାଙ୍କ ଅଭିଯୋଗରେ ଦର୍ଶାଯାଇଛନ୍ତି। ବାଚସ୍ପତି ଭଳି ସାମ୍ବିଧାନିକ ପଦରେ ଥିବା ବ୍ୟକ୍ତିଙ୍କ ଫୋନ୍‌କୁ ତାଙ୍କ ଅଜାଣତରେ ରେକର୍ଡ କରାଯାଇ ତାହାକୁ ଭାଇରାଲ୍ କରାଯିବା ଏକ ଦଣ୍ଡନୀୟ ଅପରାଧ ବୋଲି ଏତଲାରେ ଦର୍ଶାଯାଇଛି। ତେଣୁ ଏନେଇ ମାମଲା ରୁଜୁ କରି ତଦନ୍ତ ପରେ ଦୋଷୀକୁ ଦଣ୍ଡ ଦେବାକୁ ଏତଲାକାରୀ ବୃନ୍ଦାବନ ଦାସ ଆଜାଦ ଅନୁରୋଧ କରିଛନ୍ତି।

ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଓ କୁକୁଡ଼ାଖଣ୍ଡି ବ୍ଲକ୍ ସଭାପତିଙ୍କ ମଧ୍ୟରେ ହୋଇଥିବା ଏକ ବାର୍ତ୍ତାଳାପର ଅଡିଓ କିଛି ଦିନ ହେବ କେହି ଲିକ୍ କରିଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏତଲାକାରୀ ବୃନ୍ଦାବନ ଦାସ ଆଜାଦଙ୍କ କହିବା କଥା, ଗତ ୨ ତାରିଖରେ ସେ ଫେସ୍‌ବୁକ ଖୋଲି ଦେଖୁଥିବା ବେଳେ ଏକ ନ୍ୟୁଜ୍‌ ପୋର୍ଟାଲରେ ହଠାତ୍ ଅଡିଓ କ୍ଲିପ୍ ଚାଲିଥିଲା। ଏହି ଅଡିଓ କ୍ଲିପ୍‌ ଉପରେ କ୍ୟାପ୍‌ସନ ଥିଲା ‘ହରଡ଼ ଘଣାରେ ବାଚସ୍ପତି’।

ପ୍ରାୟ ୨ ମିନିଟ୍ ୪୧ ସେକେଣ୍ଡର ଏହି ଅଡିଓକୁ ଶୁଣିବା ପରେ ସ୍ପଷ୍ଟ ହେଲା ଯେ, ଜାଣିଶୁଣି ବା ସ୍ୱାର୍ଥ ସାଧନ କରିବା ପାଇଁ ଉକ୍ତ ଅଡିଓକୁ ଫେସ୍‌ବୁକରେ ଅପ୍‌ଲୋଡ୍ କରାଯାଇଛି। ଏଥି ସହିତ ଉକ୍ତ ଅଡିଓକୁ ଭାଇରାଲ୍ ମଧ୍ୟ କରାଯାଉଛି। କାରଣ ସେତେବେଳେକୁ ଉକ୍ତ ଅଡିଓକୁ ୩୨୦୦ ଲାଇକ୍‌ସ, ୧୦୪୦ ସେୟାର ହୋଇଥିବା ବେଳେ ଏହାକୁ ଲକ୍ଷେରୁ ଅଧିକ ଲୋକ ଦେଖି ସାରିଥିଲେ।

ତେବେ ଆଇଟି ଆକ୍ଟର ଧାରା ୬୯(୧) ଅନୁସାରେ କୌଣସି ବ୍ୟକ୍ତିଙ୍କର ବ୍ୟକ୍ତିଗତ ବାର୍ତ୍ତାଳାପକୁ ବିନା ଅନୁମତିରେ ରେକର୍ଡ କରିବା ଅପରାଧ ଅଟେ।

ବାଚସ୍ପତି ଏକ ସାମ୍ବିଧାନିକ ପଦବୀ। ତେଣୁ ଏତେ ବଡ଼ ପଦବୀଧାରୀଙ୍କ ବାର୍ତ୍ତାଳାପକୁ ବିନାନୁମତିରେ ଟ୍ରାପ୍‌ କରି ତାହାକୁ ଇଣ୍ଟରନେଟ୍‌ରେ ଛାଡ଼ିବା ଗୁରୁତର ଅପରାଧ। ଯେଉଁ ନ୍ୟୁଜ୍‌ ପୋର୍ଟାଲରେ ଉକ୍ତ ଅଡିଓକୁ ଛଡ଼ାଯାଇଛି ତାହା ମନ୍ଦ ଉଦ୍ଦେଶ୍ୟ ନେଇ କରାଯାଇଥିବା ଏତଲାକାରୀ ଅଭିଯୋଗ କରିଛନ୍ତି। ଏଭଳି ସ୍ଥିତିରେ ଉକ୍ତ ପୋର୍ଟାଲର ଅଡିଓ କ୍ଲିପ୍‌କୁ ଯାଞ୍ଚ୍ କରାଯିବା ଆବଶ୍ୟକ ବୋଲି ସେ ଦର୍ଶାଇଛନ୍ତି। ଏଥିସହ ଉକ୍ତ ପୋର୍ଟାଲରୁ ସେହି ଅଡିଓକୁ ରଦ୍ଧ କରି ତାର ସଂପାଦକ ଓ ମାଲିକଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ କରାଯିବାକୁ ଏତଲାକାରୀ ଅନୁରୋଧ କରିଛନ୍ତି।

LEAVE A REPLY

Please enter your comment!
Please enter your name here