ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ ଜିଲ୍ଲାରେ ବୁଲିବା ପାଇଁ ଅନେକ ପ୍ରାକୃତିକ ସ୍ଥାନ ରହିଛି। ସେଥିମଧ୍ୟରୁ ‘ଡାବରଖୋଲ’ ଜଳପ୍ରପାତ ଅନ୍ୟତମ। ଜିଲ୍ଲାର ନରସିଂହପୁର ଓଲବ ପଞ୍ଚାୟତର ଗୁପ୍ତମାଣିକ ଗାଁରେ ରହିଛି ଏହି ସୁନ୍ଦର ଜଳପ୍ରପାତ। ନରସିଂହପୁର ମୁଖ୍ୟ ରାସ୍ତା ଦେଇ ଗୋପପୁର ଠାରୁ ପ୍ରାୟ ୧୪ କିଲୋମିଟର ପରେ ପଡ଼ିଥାଏ ଏହି ଜଳପ୍ରପାତ। ବିଶେଷ ଭାବରେ ଲୋକଲୋଚନକୁ ଏହା ଆସିନଥିଲେ ସୁଦ୍ଧା ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟରାଜିକୁ ଦେଖି ଯେ କେହି ବି ଆକର୍ଷିତ ହୋଇଯିବ।କ’ଣ ଦେଖିବେ?

ଡାବରଖୋଲରେ ଛୋଟ ବଡ଼ କରି ଦୁଇଟି ଝରଣା ରହିଛି। ପ୍ରକୃତିର କୋଳରେ ଆପଣ ଏହି ଦୁଇଟି ଜଳପ୍ରପାତର ମଜା ନେଇପାରିବେ। ଦୁଇଟି ଝରଣା ଥିବାରୁ ସ୍ଥାନୀୟ ଲୋକମାନେ ଏହାକୁ ଡବଲ ଡାବରଖୋଲ ବୋଲି କହିଥାନ୍ତି। ଝରଣା ସହିତ ଏଠାରେ ଅନେକ ପ୍ରାଚୀନ ଗୁମ୍ଫାମାନ ରହିଛି। ପଥର ଖୋଲରେ ରହିଥିବା ଏହି ସୁନ୍ଦର ଗୁମ୍ଫାଗୁଡ଼ିକ ବେଶ୍ ଆକର୍ଷଣୀୟ ଲାଗିଥାଏ। ଡାବରଖୋଲ ଝରଣାରେ ଗୋଧୋଇବା ପାଇଁ ବପୁତ ମଜା ଲାଗିଥାଏ। ବର୍ଷା ଋତୁ କି ଛାଡ଼ି ଅନ୍ୟ ଯେକୌଣସି ଋତୁରେ ଏହି ଜଳପ୍ରପାତକୁ ଆପଣ ବୁଲିବାକୁ ଯାଇପାରିବେ।କିମ୍ଵଦନ୍ତୀରେ ଡାବର ଖୋଲ

ଗୁପ୍ତମାଣିକ ଗାଁର ଲୋକମାନେ ପାହାଡକୁ ଡାବର କହିଥାନ୍ତି। ପାହାଡ ମଧ୍ୟ ଭାଗ ଅର୍ଥାତ ଖୋଲରୁ ଝରଣା ଦୁଇଟିର ସୃଷ୍ଟି ହୋଇଥିବାରୁ ଏହି ସ୍ଥାନର ନାମକରଣ ଡାବରଖୋଲ ହୋଇଛି। ସେହିପରି ଏଠାରେ ଯେଉଁ ଗୁମ୍ଫାମାନ ରହିଛି ତାହା ଦିନେ ମୁନା ଋଷିମାନଙ୍କର ସ୍ଵର୍ଗ ଥିଲା ବୋଲି ସ୍ଥାନୀୟ ଲୋକଙ୍କ ବିଶ୍ଵାସ ରହିଛି।ଆଖପାଖ ଦର୍ଶନୀୟ ସ୍ଥାନ

ଯଦି ଆପଣ ଡାବରଖୋଲ ଯାଉଛନ୍ତି ତେବେ ଯିବାଆସିବା ରାସ୍ତାରେ ଆହୁରି ଅନେକ ବୁଲିବା ସ୍ଥାନ ରହିଛି। ଆପଣ ଡାବରଖୋଲ ସହିତ ସେସବୁ ସ୍ଥାନଗୁଡ଼ିକ ମଧ୍ୟ ବୁଲିପାରିବେ।

  • ଭଟ୍ଟାରିକା ମନ୍ଦିର (୩୦ କିଲୋମିଟର)
  • କଣ୍ଟିଲୋ ନୀଳମାଧବ ମନ୍ଦିର (୩୫ କିଲୋମିଟର)
  • ଚମ୍ପେଶ୍ଵର ମନ୍ଦିର
  • ଅଂଶୁପା ହ୍ରଦ
  • ଦେଓଝର ଜଳପ୍ରପାତ

କେମିତି ଯିବେ?

କଟକ ସହରରୁ ଡାବରଖୋଲର ଦୂରତା ପାଖାପାଖି ୧୦୦ କିଲୋମିଟର। ବାଙ୍କୀ-ଆଠଗଡ଼-ନରସିଂହପୁର ରାସ୍ତା ଦେଇ ଆପଣ ଡାବରଖୋଲ ଯାଇପାରିବେ। ଯଦି ଆପଣ ଖୋର୍ଦ୍ଧା ପଟୁ ଯିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ କଣ୍ଟିଲୋ ଦେଇ ୧୪୪ କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ପଡ଼ିବ। ଅନୁଗୋଳ କିମ୍ଵା ଢେଙ୍କାନାଳ ଆଡୁ ଆସୁଥିଲେ ଢେଙ୍କାନାଳ-ଆଠଗଡ଼ ରାସ୍ତା ଦେଇ ଆପଣ ଡାବରଖୋଲରେ ପହଞ୍ଚି ପାରିବେ। କଟକ ସହରରୁ ନରସିଂହପୁର ପର୍ଯ୍ୟନ୍ତ ବସ୍‌ କିମ୍ଵା କାର୍‌ ଯୋଗେ ଯାଇହେବ। ତାପରେ ଅବଶିଷ୍ଟ ୧୨ରୁ ୧୩ କିଲୋମିଟର ରାସ୍ତା ଆପଣଙ୍କୁ ଭଡ଼ା ଗାଡ଼ି କରି ଯିବାକୁ ହେବ।

Comment