ଓଡ଼ିଶାଲାଇଭ୍‍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଲିଉଡ ସୁପରଷ୍ଟାର୍ ବାବୁସାନ ପରଦାରେ କେବେ ବନିଛନ୍ତି ‘ସଞ୍ଜୁ’ ବା ‘ସଞ୍ଜୟ’ ତ ପୁଣି କେବେ ‘ଅମର’, ‘ବଣ୍ଟି’ ତ କେବେ ନଜର ଆସିଛନ୍ତି ‘କୁଞ୍ଜ’ ଭୂମିକାରେ। ହେଲେ ସବୁଠାରୁ ଅଧିକ ଥର ବାବୁସାନଙ୍କୁ ‘ସଞ୍ଜୁ’ ଚରିତ୍ରରେ ଦେଖିବାକୁ ମିଳିଛି ପରଦାରେ।

ଓଲିଉଡ ସୁପରଷ୍ଟାର୍ ବାବୁସାନ୍ ୨୦୦୯ର ସିନେମା ‘ରୋମିଓ ଦ ଲଭର ବୟ’ ସିନେମାରୁ କ୍ୟାରିଅର୍ ଆରମ୍ଭ କରିଥିଲେ। ତାଙ୍କର ଲାଟେଷ୍ଟ ଓଡ଼ିଆ ସିନେମା ହେଲା ‘ସୁନ୍ଦରଗଡ଼ର ସଲମାନା୍ ଖାନ୍’। ବିଗତ ନଅବର୍ଷ ଭିତରେ ଦର୍ଶକ ବାବୁସାନଙ୍କୁ ଭିନ୍ନ ଭିନ୍ନ ଚରିତ୍ରରେ ଦେଖିବାକୁ ପାଇଛନ୍ତି।

ଖାଲି ସେତିକି ନୁହେଁ ବାବୁସାନଙ୍କ ଅଭିନୀତ ଚରିତ୍ରର ନାମ ବି ଅଲଗା ଅଲଗା ରହିଛି ବିଭିନ୍ନ ସିନେମାରେ। ହେଲେ ବାବୁସାନ୍ ଏଯାଏଁ ସବୁଠାରୁ ଅଧିକ ଥର ‘ସଞ୍ଜୁ’ ବନିଛନ୍ତି ପରଦାରେ।

ଓଲିଉଡର ଲୋକପ୍ରିୟ ନାୟକ ବାବୁସାନଙ୍କ ପ୍ରଥମ ଓଡ଼ିଆ ସିନେମା ହେଲା ‘ରୋମିଓ ଦ ଲଭର ବୟ’। ବ୍ରଜରାଜ ମୁଭିଜ୍ ପ୍ରଯୋଜିତ ତଥା ହର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ବାବୁସାନଙ୍କ ଅଭିନୀତ ଚରିତ୍ରର ନାଁ ହେଲା ସଞ୍ଜୟ ଚୌଧୁରୀ (ସଞ୍ଜୁ)।

ଓଲିଉଡର ହିଟ୍ ମେକର ଅଶୋକ ପତିଙ୍କ ନିର୍ଦ୍ଦେଶନାରେ ବାବୁସାନ୍ ସର୍ବପ୍ରଥମେ କାମ କରିଥିଲେ ‘ସଞ୍ଜୁ ଆଉ ସଞ୍ଜନା’ ଫିଲ୍ମରେ। ଏହା ହିଟ୍ ହୋଇଥିଲା। ଏହାପରେ ଅଶୋକ ପତିଙ୍କ ଆଠଟି ଓଡ଼ିଆ ସିନେମାରେ ନାୟକ ‘ସଞ୍ଜୁ’ ଭୂମିକାରେ ଅଭିନୟ କରିସାରିଲେଣି ବାବୁସାନ୍।

‘ସଞ୍ଜୁ ଆଉ ସଞ୍ଜନା’ ପରେ ନିର୍ଦ୍ଦେଶକ ଅଶୋକ ପତି ତାଙ୍କର ପରବର୍ତ୍ତୀ ଓଡ଼ିଆ ସିନେମା ‘ଲୋଫର୍’ରେ ନେଇଥିଲେ ବାବୁସାନ୍‌ଙ୍କୁ। ଏଥିରେ ବି ବାବୁସାନଙ୍କ ନାଁ ରଖାଯାଇଥିଲା ସଞ୍ଜୁ।

ବ୍ରଜରାଜ ମୁଭିଜ୍ ପ୍ରଯୋଜିତ ତଥା ଅଶୋକ ପତିଙ୍କ ନିର୍ଦ୍ଦେଶିତ ‘୧୪୩ ଆଇ ଲଭ୍ ୟୁ’ ସିନେମାରେ ପୁଣି ସଞ୍ଜୟ ଭାବେ ପରଦାକୁ ଆସିଥିଲେ ବାବୁସାନ୍। ‘ଦିୱାନା ଦିୱାନି’ ସିନେମାରେ ବି ବାବୁସାନ୍‌ଙ୍କ ଅଭିନୀତ ଚରିତ୍ରର ନାଁ ଥିଲା ସଞ୍ଜୟ (ସଞ୍ଜୁ)।

ଏହାପରେ ପୁଣି ନିର୍ଦ୍ଦେଶକ ଅଶୋକ ପତିଙ୍କ ଫିଲ୍ମ ‘ଇଡିଅଟ୍’ରେ ଷ୍ଟାରସନ୍ ବାବୁସାନଙ୍କୁ ଦେଖିବାକୁ ମିଳିଥିଲା ‘ସଞ୍ଜୁ’ ଚରିତ୍ରରେ। ତା’ପରେ ଅଶୋକ ପତିଙ୍କ ନିର୍ଦ୍ଦେଶିତ ସୁପରହିଟ୍ ଫିଲ୍ମ ‘ଲଭଷ୍ଟେସନ’ରେ ବି ‘ସଞ୍ଜୁ’ ଭୂମିକାରେ ନଜର ଆସିଥିଲେ ବାବୁସାନ୍।

ଅଶୋକ ପତିଙ୍କ ପରବର୍ତ୍ତୀ ସିନେମା ‘ଲଭ ପାଇଁ କୁଛ୍ ଭି କରେଗା’ରେ ବି ବାବୁସାନ୍ ବନିଥିଲେ ସଞ୍ଜୁ।

ଏଯାବତ୍ ଶେଷଥର ପାଇଁ ବାବୁସାନ୍ ‘ସଞ୍ଜୁ’ ନାଁରେ ଯେଉଁ ସିନେମାରେ ନଜର ଆସିଛନ୍ତି ତାହା ହେଲା ‘ସିଷ୍ଟର ଶ୍ରୀଦେବୀ’। ଏହାର ପ୍ରଯୋଜନା କରିଥିଲେ ତରଙ୍ଗ ସିନେ ପ୍ରଡକ୍ସନସ ଓ ନିର୍ଦ୍ଦେଶନା ଦେଇଥିଲେ ଅଶୋକ। ଏଥିରେ ଅବଶ୍ୟ ବାବୁସାନ୍‌ଙ୍କର ଦୁଇଟି ନାଁ ଥିଲା। ସେଥିମଧ୍ୟରୁ ଗୋଟିଏ ଥିଲା ସଞ୍ଜୁ।

ନିର୍ଦ୍ଦେଶକ ଅଶୋକ ପତି ବାବୁସାନଙ୍କ ‘ସଞ୍ଜୁ’ ନାଁ ଦେବାକୁ ଲକି ମନେ କରନ୍ତି। ଏକଥା ବି ସତ ଯେ ‘ସଞ୍ଜୁ’ ନାଁରେ ବାବୁସାନ୍ ଯେତେସବୁ ଫିଲ୍ମ କରିଛନ୍ତି, ସେଥିମଧ୍ୟରୁ ଅଧିକାଂଶ ବ୍ୟାବସାୟିକ ସ୍ତରରେ ସଫଳତା ହାସଲ କରିଛନ୍ତି।ଆଗକୁ ବାବୁସାନ୍ ପୁଣି କେଉଁ ଓଡ଼ିଆ ସିନେମାରେ ‘ସଞ୍ଜୁ’ ଭୂମିକାରେ ନଜର ଆସୁଛନ୍ତି ତାହା ଦେଖିବାକୁ ବାକି ରହିଲା।

Comment