ଓଡ଼ିଶାଲାଇଭ୍ ବ୍ୟୁରୋ

ପଶ୍ଚିମବଙ୍ଗରେ ଗସ୍ତରେ ଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାର ଉପରକୁ ପଥର ମାଡ଼। ଡାଇମଣ୍ଡ ହାର୍ବରରେ ଏକ ସଭାକୁ ଯୋଗଦେବାକୁ ଯାଉଥିବାବେଳେ ନଡ୍ଡା ଏହି ଆକ୍ରମଣର ଶିକାର ହୋଇଛନ୍ତି। ତାଙ୍କ ସହ ଯାଉଥିବା ପଶ୍ଚିମବଙ୍ଗ ବିଜେପି ପ୍ରଭାରୀ କୈଳାସ ବିଜୟବର୍ଗୀୟ ଏବଂ ମୁକୁଲ୍ ରାୟ ଏଥିରେ ସାମାନ୍ୟ ଭାବେ ଆହତ ହୋଇଥିବା ମଧ୍ୟ ଖବର ମିଳିଛି।ଗୁରୁବାର ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଓ ଅନ୍ୟ ବିଜେପି କର୍ମୀମାନେ ଏକ ସଭାରେ ଯୋଗଦେବାକୁ ଡାଇମଣ୍ଡ ହାର୍ବର ଯାଉଥିଲେ। ଏହି ସମୟରେ ରାସ୍ତାରେ ଠିଆ ହୋଇଥିବା କିଛି ଆକ୍ରମଣକାରୀ ହଠାତ୍ ତାଙ୍କ କାର୍ ଉପରକୁ ପଥର ମାଡ଼ କରିଥିଲେ। ଏଥିରେ କିଛି ନଡ୍ଡାଙ୍କ ସହ ଯାଉଥିବା କିଛି କାରର କାଚ ଭାଙ୍ଗିଯାଇଥିଲା। ଆକ୍ରମଣକାରୀଙ୍କ ପଥର ମାଡ଼ରେ କୈଳାସ ବିଜୟବର୍ଗୀୟ ଓ ମୁକୁଲ ରାୟ ପ୍ରମୁଖ ଆହତ ହୋଇଥିବା ଜଣାପଡ଼ିଛି। ତେବେ ସୌଭାଗ୍ୟବଶତଃ ନଡ୍ଡା ଏହି ଆକ୍ରମଣ ପରେ ବି ସୁରକ୍ଷିତ ଅଛନ୍ତି।

ନଡ୍ଡାଙ୍କ ଉପରକୁ ଏହି ଆକ୍ରମଣ ହେବା ପରେ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଶାହ କହିଛନ୍ତି ଯେ, ପଶ୍ଚିମବଙ୍ଗରେ ବିଜେପ ଅଧ୍ୟକ୍ଷଙ୍କ ଉପରକୁ ଯେଉଁ ଆକ୍ରମଣ ହେଲା ତା ଅତ୍ୟନ୍ତ ନିନ୍ଦନୀୟ। କେନ୍ଦ୍ର ସରକାର ଏହା ଉପରେ ଗଭୀର ଭାବେ ଚିନ୍ତା କରିବେ। ପଶ୍ଚିମବଙ୍ଗ ସରକାରଙ୍କ ଏପରି ପ୍ରାୟୋଜିତ ହିଂସା ପାଇଁ ରାଜ୍ୟର ଭୋଟରମାନେ ଠିକ୍ ଜବାବ ଦେବେ ବୋଲି ଶାହ କହିଛନ୍ତି।ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ତୃଣମୂଳ କଂଗ୍ରେସର ଶାସନରେ ପଶ୍ଚିମବଙ୍ଗ ଅତ୍ୟାଚାର, ଅରାଜକତା ଓ ଅନ୍ଧକାର ଯୁଗରେ ଅଛି। ଟିଏମସିର ଶାସନ କାଳରେ ପଶ୍ଚିମବଙ୍ଗରେ ଏପରି ରାଜନୈତିକ ହିଂସା ଚରମ ସୀମାରେ ପହଞ୍ଚିଛି ବୋଲି ଶାହ କହିଛନ୍ତି।

ଅନ୍ୟପଟେ ଆକ୍ରମଣ ପରେ ନଡ୍ଡା କହିଛନ୍ତି ଯେ, ବୁଲେଟ୍ ପ୍ରୁଫ୍ କାର୍ ହେତୁ ସୌଭାଗ୍ୟବଶତଃ ସେ ସୁରକ୍ଷିତ ଅଛନ୍ତି। କିନ୍ତୁ କୈଳାସ ବିଜୟବର୍ଗୀୟ ଓ ମୁକୁଲ୍ ରାୟ ଏହି ଆକ୍ରମଣରେ ଆହତ ହୋଇଛନ୍ତି।

Comment