ଓଡ଼ିଶାଲାଇଭ୍ ବ୍ୟୁରୋ

ମଙ୍ଗଳବାର ବସିଥିଲା କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନୀ କମିଟିର ବୈଠକ।

କଂଗ୍ରେସର ପରବର୍ତ୍ତୀ ସଭାପତି କିଏ ହେବେ, ରାହୁଲ ପୁଣି ଫେରିବେ ନାଁ ଆଉ କିଏ ନୂଆ ମୁହଁ? ସହଜରେ ସୋନିଆ ଏ ପଦକୁ ଅନ୍ୟ କାହା ହାତକୁ ଯିବାକୁ ଦେବେ କି ନା ଅନୁଗତଙ୍କୁ ଅଧ୍ୟକ୍ଷ କରାଇ ନିଜ ହାତରେ ନିୟନ୍ତ୍ରଣ ରଖିବେ ରାହୁଲ? ମଙ୍ଗଳବାର ଦିନ କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନୀ କମିଟିର ବୈଠକ ବସିବା ପରେ ରାଜନୈତିକ ପଣ୍ଡିତମାନେ ଏପରି ଆଲୋଚନା ଆରମ୍ଭ କରିଦେଇଛନ୍ତି।ଗାନ୍ଧୀଙ୍କ ମନରେ କ’ଣ ଚାଲୁଛି, ତା ଉପରେ ଏବେ ସମସ୍ତଙ୍କ ନଜର। ଏମିତି ସ୍ଥିତିରେ କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ ପାଇଁ କେସି ବେଣୁଗୋପାଳଙ୍କ ନାଁ ଚର୍ଚ୍ଚାରେ ଆସୁଛି। ରାହୁଲଙ୍କ ଅତି ଘନିଷ୍ଠ ହୋଇଥିବାରୁ ତାଙ୍କୁ ପରବର୍ତ୍ତୀ ଅଧ୍ୟକ୍ଷ କରାଇବାକୁ ରାହୁଲ ଉଦ୍ୟମ କରିପାରନ୍ତି ବୋଲି ଦକ୍ଷିଣ ଭାରତ ଓ ଦିଲ୍ଲୀର କିଛି ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ବର୍ତ୍ତମାନ ସେ ଦଳର ସାଂଗଠନିକ ସାଧାରଣ ସମ୍ପାଦକ ମଧ୍ୟ ଅଛନ୍ତି।

ରାହୁଲଙ୍କ ବଦଳରେ ତାଙ୍କ ପ୍ରତିନିଧିଙ୍କୁ କଂଗ୍ରେସର ସଭାପତି ପଦ ପାଇଁ ମନୋନୀତ କରାଗଲେ, ଅସନ୍ତୁଷ୍ଟ ଗୋଷ୍ଠୀ ବିରୋଧ କରିପାରନ୍ତି। ଏପରିକି ନିର୍ବାଚନ ପାଇଁ ମଧ୍ୟ ଦାବି କରିପାରନ୍ତି। ଏହାକୁ ନେଇ କିଛି ପଦାକୁ ଆସି ନଥିଲେ ମଧ୍ୟ ଦଳ ଭିତରେ ଜୋରଦାର ଚର୍ଚ୍ଚା ଚାଲିଥିବା ସୂଚନା ମିଳିଛି।୨୦୧୪ ନିର୍ବାଚନରେ ଶୋଚନୀୟ ପ୍ରଦର୍ଶନ ପରେ ରାହୁଲ ଗାନ୍ଧୀ ଦଳର ସଭାପତି ପଦରୁ ଇସ୍ତଫା ଦେଇଥିଲେ। ସେବେଠାରୁ ସୋନିଆ ଗାନ୍ଧୀ ମଧ୍ୟବର୍ତ୍ତୀକାଳୀନ ସଭାପତି ଦାୟିତ୍ୱ ତୁଲାଇ ଆସୁଛନ୍ତି। ହେଲେ କଂଗ୍ରେସର ପୁରୁଣା ଓ କ୍ଷମତାଶାଳୀ ନେତାଙ୍କର ୨୩ ଜଣିଆ ଗୋଷ୍ଠୀ ଦଳର ସାଂଗଠନିକ ପରିବର୍ତ୍ତନ ସହ ସଭାପତି ପଦକୁ ନେଇ ଚିଠି ଲେଖିବା ପରେ କଂଗ୍ରେସରେ ହଲଚଲ ହୋଇଥିଲା।

ବର୍ତ୍ତମାନ ସଭାପତି ରାହୁଲଙ୍କ ପସନ୍ଦର ହେବେ କି କଂଗ୍ରେସରେ ସର୍ବସମ୍ମତିକ୍ରମେ ମନୋନୀତ ହେବେ ଅଥବା ନିର୍ବାଚନ ହେବ ତାହା କହିବା କଷ୍ଟକର। କିନ୍ତୁ କଂଗ୍ରେସରେ ଏପରି ନିଷ୍ପତ୍ତିରେ ସହମତି ସୃଷ୍ଟି କରାଇବାରେ ମାହିର ଅହମ୍ମଦ ପଟେଲଙ୍କ ପରଲୋକ ହୋଇସାରିଛି। ସୋନିଆ ଓ ରାହୁଲଙ୍କ ମତ ପାଇଁ ସହମତି ସୃଷ୍ଟି କରାଇବା ଲୋକଙ୍କୁ କଂଗ୍ରେସ ହରାଇସାରିଛି। ସେହିପରି ଅଣଗାନ୍ଧୀଙ୍କୁ ସଭାପତି କରାଇବାରେ ଦଳରେ ଫାଟ ସୃଷ୍ଟି ହୋଇପାରେ।ଅନ୍ୟପଟେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନାମକୁ ନେଇ ସହମତି ସୃଷ୍ଟି ହେବାର ଯଥେଷ୍ଟ ଅଧିକ ସମ୍ଭାବନା ରହିଛି। ଅଶୋକ ଗେହଲଟ ନିଜେ ଓବିସି ବର୍ଗକୁ ପ୍ରତିନିଧିତ୍ୱ କରିବା ସହ କଥା କହିବାର ଚମତ୍କାର କଳା ଥିବାରୁ ସେ ମୋଦୀଙ୍କୁ ଚ୍ୟାଲେଞ୍ଜ ଦେବାର ଦକ୍ଷତା ରଖିଛନ୍ତି। ତେବେ କମଳନାଥ ଓ ଦିଗବିଜୟ ସିଂହଙ୍କ ପ୍ରାର୍ଥୀତ୍ୱକୁ ଦଳ ଭିତରେ ଘୋର ବିରୋଧ ହେବାର ଆଶଙ୍କା ରହିଛି।

Comment