ଓଡ଼ିଶାଲାଇଭ୍‌ ବ୍ୟୁରୋjagannath

ଦୀର୍ଘ ୮ ମାସ ହେଲା ମହାପ୍ରଭୁଙ୍କ ଦର୍ଶନ ନକରି ଅସ୍ଥିର ହେଲେଣି ଭକ୍ତ।

କେବେ ହେବ କାଳିଆ ଦର୍ଶନ, କେତେ ଦିନ ଆଉ ଠାକୁରଙ୍କୁ ନଦେଖି ରହିବେ ଭକ୍ତ? ଦୀର୍ଘ ୮ ମାସ ହେଲା ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ଥିବାରୁ ଏବେ ସମସ୍ତଙ୍କ ମନରେ ଏହି ଗୋଟିଏ ପ୍ରଶ୍ନ। ଏପଟେ ରାଜ୍ୟରେ ସଂକ୍ରମଣ ସଂଖ୍ୟା କମିଥିବାରୁ ମନ୍ଦିର ତୁରନ୍ତ ଖୋଲିବାକୁ ସାଧାରଣରେ ଜୋର ଧରିଲାଣି ଦାବି।

ଅନ୍ୟ ରାଜ୍ୟରେ ଖୋଲିଲାଣି ମନ୍ଦିର

ଲକଡାଉନ୍‌ ପରେ କେନ୍ଦ୍ର ସରକାର ଅନଲକ ପ୍ରକ୍ରିୟାରେ ମନ୍ଦିର ଖୋଲିବାକୁ ଅନୁମତି ଦେଇଥିଲେ। କରୋନା ଗାଇଡଲାଇନ ମାନି ମନ୍ଦିର ଖୋଲିବାକୁ କୁହାଯାଇଥିଲା। ତେବେ ଓଡ଼ିଶାକୁ ଛାଡ଼ି ଅନ୍ୟ ରାଜ୍ୟରେ ଧର୍ମାନୁଷ୍ଠାନ, ମନ୍ଦିର, ମସଜିଦ ଆଦି ଖୋଲାଯାଇଥିଲା। କରୋନା କାଳରେ ମହାରାଷ୍ଟ୍ରର ପ୍ରସିଦ୍ଧ ସିଦ୍ଧି ବିନାୟକ, ଶିରିଡ଼, କେରଳରେ ପ୍ରସିଦ୍ଧ ସାବରୀମାଳା ମନ୍ଦିର, ଜମ୍ମୁ କଶ୍ମୀରର ପ୍ରସିଦ୍ଧ ମାତା ବୈଷ୍ଣୋ ଦେବୀଙ୍କ ମନ୍ଦିର ଆଦି ଖୋଲାଯାଇଛି। ସେହିପରି ଦିଲ୍ଲୀ, ମଧ୍ୟପ୍ରଦେଶ ଆଦି ରାଜ୍ୟଗୁଡ଼ିକରେ ମଧ୍ୟ ମନ୍ଦିର ଖୋଲିଛି। ଓଡ଼ିଶାରେ କରୋନା କମିଥିଲେ ବି ମନ୍ଦିର ଖୋଲିବାକୁ ରାଜ୍ୟ ସରକାର ଅନୁମତି ଦେଇନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଲାଣି।

୧୨ରେ ଛତିଶା ନିଯୋଗ ବୈଠକ

ମନ୍ଦିର କେବେ ଖୋଲିବ ଏନେଇ ଡିସେମ୍ବର ୧୨ ତାରିଖରେ ହେବାକୁ ଥିବା ଛତିଶା ନିଯୋଗ ବୈଠକରେ ନଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି। ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିଛି। ଏହାସହିତ ଆଗାମୀ ପହିଲି ଭୋଗ ଏବଂ ନୀତି ନିର୍ଘଣ୍ଟ ଉପରେ ମଧ୍ୟ ଆଲୋଚନା କରାଯିବ।

ମନ୍ଦିର ଖୋଲିବାକୁ ଦାବି

ରାଜ୍ୟରେ କରୋନା ସଂକ୍ରମଣ ସାମାନ୍ୟ ହ୍ରାସ ହେବା ପରେ ମନ୍ଦିର ଖୋଲିବାକୁ ଦାବି ହେଉଛି। ସେବାୟତଙ୍କଠାରୁ ଆରମ୍ଭ କରି ରାଜନେତା ଓ ବିଶ୍ୱ ମାନାବାଧିକାର ସୁରକ୍ଷା ସଙ୍ଗଠନଠାରୁ ଆରମ୍ଭ କରି ସାଧାରଣ ଲୋକେ ଏବେ ମନ୍ଦିର ଖୋଲିବାକୁ ଦାବି କରିଛନ୍ତି। ଅନ୍ୟ ରାଜ୍ୟରେ ଯେଭଳି ଗାଇଡଲାଇନ ରଖି ମନ୍ଦିର ଖୋଲିବାକୁ ଅନୁମତି ଦିଆଯାଇଛି ଠିକ ସେମିତି ଓଡ଼ିଶାରେ ବି ଗାଇଡଲାଇନ ରଖି ମନ୍ଦିର ଖୋଲିବାକୁ ଅନୁମତି ଦିଆଯାଉ ବୋଲି ଅନେକ ମତ ପ୍ରକାଶ କରିଛନ୍ତି।

ବିନା ଭକ୍ତରେ ରଥାଯାତ୍ରା, ନାଗାର୍ଜୁନ ବେଶ

ଇତିହାସରେ ପ୍ରଥମ ଥର ଏଥର ବିନା ଭକ୍ତରେ ପୁରୀରେ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା। ସ୍ନାନ ପୂର୍ଣ୍ଣିମାଠାରୁ ଆରମ୍ଭ କରି ବାହୁଡ଼ା ଯାଏ ମହାପ୍ରଭୁଙ୍କ ସମସ୍ତ ପରମ୍ପରା କେବଳ ସେବାୟତ ଓ ପୋଲିସଙ୍କ ସହାୟତାରେ ହୋଇଥିଲା। ଗୁଣ୍ଡିଚା, ବାହୁଡ଼ା ଅବସରରେ ଶ୍ରୀଜିଉଙ୍କୁ ଦର୍ଶନ କରିପାରୁନଥିବାରୁ ଭାବ ବିହ୍ୱଳ ହୋଇପଡ଼ିଥିଲେ ଭକ୍ତ। ସେହିପରି ମହାପ୍ରଭଙ୍କୁ ଦୁର୍ଲଭ ନାଗାର୍ଜୁନ ବେଶକୁ ମଧ୍ୟ ଭକ୍ତ ଦେଖିପାରିନଥିଲେ। ସେହିଦିନ ଭକ୍ତ ବଡ଼ଦାଣ୍ଡରେ କେବଳ ଦୀପ ଜାଳି ପତିତପାବନଙ୍କୁ ଦର୍ଶନ କରିଥିଲେ। ସେହିପରି ରାକ୍ଷୀ ପୂର୍ଣ୍ଣିମା, କାର୍ତ୍ତିକ ପୂର୍ଣ୍ଣିମା ଭଳି ପର୍ବରେ ବି ଜଗାର ଦର୍ଶନ କରିପାରିନଥିଲେ ଭକ୍ତ।

ଆସୁଛି ନୂଆ ବର୍ଷ, ଠାକୁରଙ୍କ ଦର୍ଶନ ହେବ ନା ନାହିଁ?

ନୂଆବର୍ଷରେ ହଜାର ହଜାର ଭକ୍ତ ପୁରୀ ଯାଇ ଜଗାକୁ ଦର୍ଶନ କରନ୍ତି। ପୁରୀ ଶ୍ରୀମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରି ନବ ବର୍ଷର ଆରମ୍ଭ କରନ୍ତି ଭକ୍ତ। ବହୁ ଦୂର ଦୂରାନ୍ତରୁ ମହାପ୍ରଭୁଙ୍କ ଆଶୀର୍ବାଦ ନେବା ପାଇଁ ଆସିଥାନ୍ତି ଭକ୍ତ। କିନ୍ତୁ ଏ ବର୍ଷ ସେ ସୌଭଗ୍ୟ ମିଳିବ କି ନାହିଁ ତାହା ଜଣାପଡ଼ିନି।

ମାର୍ଚ୍ଚ ମାସରୁ ମନ୍ଦିର ବନ୍ଦ

ଦେଶରେ କରୋନା ସଂକ୍ରମଣ ବଢ଼ିବାକୁ ମାର୍ଚ୍ଚ ୨୩ରେ ସାରାଦେଶରେ ଲକଡାଉନ ଘୋଷଣା କରିଥିଲେ କେନ୍ଦ୍ର ସରକାର। ଏହି ଲକଡାଉନ ସମୟରେ ରାଜ୍ୟରେ ସ୍କୁଲ, କଲେଜ, ମନ୍ଦିର ଆଦି ବନ୍ଦ କରିବାକୁ ନିଷ୍ପତ୍ତି ହୋଇଥିଲା।  ଏହାରିମଧ୍ୟରେ ୮ ମାସ ବିତିଗଲାଣି କିନ୍ତୁ ମନ୍ଦିର ଏଯାଏଁ ଖୋଲିନି। ତେବେ ଏହି କିଛି ଦିନ ତଳେ ଡିସେମ୍ବର ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ମନ୍ଦିର ଖୋଲିବ ବୋଲି କହିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର। ଏଥିପାଇଁ ସ୍ୱତନ୍ତ୍ର ଏସଓପି ତିଆରି କରାଯିବ। ସେହି ଏସଓପିକୁ ଆଧାର କରି ଭକ୍ତ ଭଗବାନଙ୍କ ଦର୍ଶନ କରିପାରିବେ ବୋଲି ସେ କହିଥିଲେ। କିନ୍ତୁ ଡିସେମ୍ବର ପ୍ରଥମ ସପ୍ତାହ ବିତିଥିଲେ ବି କିଛି ନିଷ୍ପତ୍ତି ନିଆଯାଇପାରି ନାହିଁ।

Comment