ଓଡ଼ିଶାଲାଇଭ୍ ବ୍ୟୁରୋ
- କଂଗ୍ରେସ ଚାଷୀଙ୍କ ସହ ଥିଲା, ଅଛି, ଆଗକୁ ବି ରହିବ
- କାଲି ରାଜ୍ୟର ସବୁ ବ୍ଲକ ଘେରିବ କଂଗ୍ରେସ
- ବିଜେଡି କାନ୍ଥର ବିଲେଇ ସାଜିଛି: ତାରା
- ବିଜେପି, ବିଜେଡି କେବେ ଚାଷୀଙ୍କ ସହ ନାହାନ୍ତି
ନୂଆ କୃଷି ଆଇନକୁ ନେଇ ଦେଶବ୍ୟାପୀ ଚାଷୀମାନେ ତୀବ୍ର ଆନ୍ଦୋଳନ କରୁଥିବା ବେଳେ ଚାଷୀମାନଙ୍କ ସମସ୍ୟାକୁ ନେଇ ରାଜ୍ୟ କଂଗ୍ରେସ ନିଜର ମତ ରଖିଛି। ଏହି ପ୍ରସଙ୍ଗରେ ଉଭୟ ବିଜେପି ଏବଂ ବିଜେଡିକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ବିଜେଡି କେବେ ବି ଚାଷୀଙ୍କ ସହ ନାହାନ୍ତି। କିନ୍ତୁ କଂଗ୍ରେସ ସବୁବେଳେ ଚାଷୀଙ୍କ ପାଇଁ ଥିଲା, ଅଛି ଏବଂ ଆଗକୁ ବି ରହିବ ବୋଲି ତାରା ପ୍ରତିକ୍ରିୟା ଦେଇଛନ୍ତି।
ଡିସେମ୍ଵର ୧୪ ତାରିଖରେ ଦେଶବ୍ୟାପୀ ହେବାକୁ ଥିବା ଧାରଣାରେ କଂଗ୍ରେସ ବହୁ ମାତ୍ରାରେ ସାମିଲ ହେବ। ଆସନ୍ତା କାଲି ରାଜ୍ୟର ପ୍ରତିଟି ବ୍ଲକ କାର୍ଯ୍ୟାଳୟ ଘେରାଉ କରିବ କଂଗ୍ରେସ। ଏଥିସହ ପ୍ରତିଟି ମଣ୍ଡିକୁ ଯାଇ ଚାଷୀଙ୍କ ପାଖରେ ପହଞ୍ଚିବ ଏବଂ ସେମାନଙ୍କୁ ସଚେତନ କରିବ।
ଅନ୍ୟପଟେ ଚାଷୀ ଆନ୍ଦୋଳନକୁ ନେଇ ବିଜେଡିର ଆଭିମୁଖ୍ୟକୁ କଟାକ୍ଷ କରିଛି କଂଗ୍ରେସ। କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି ଯେ, ବିଜେଡି, ବିଜେପି କେବେ ବି ଚାଷୀ ସହ ନାହାନ୍ତି। ଏହା ପ୍ରମାଣିତ ହୋଇଛି। ସଂସଦରେ ନୂଆ କୃଷି ବିଲ୍ ପାସ ବେଳେ ବିଜେଡି କାନ୍ଥର ବିଲେଇ ସାଜିଥିଲା। ବିଜେଡି ଦୋମୁହାଁ ନିତି ଆପଣାଉଛି। ଏବେ ସେ କେଉଁ ବାଟକୁ ଯିବ କିଛି ନିର୍ଦ୍ଧାରଣ କରିପାରୁନାହିଁ।


















