ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତ ଖରିଫ୍ ବର୍ଷ ପାଇଁ ସୁନ୍ଦରଗଡ଼ ଜିଲ୍ଲାରେ ଚାଷୀମାନଙ୍କଠାରୁ ମାଣ୍ଡିଆ କ୍ରୟ ଆରମ୍ଭ ହୋଇଛି। ଏଥିପାଇଁ କୁଆରମୁଣ୍ଡା ବ୍ଲକର ରାଇବଗାଠାରେ ମଙ୍ଗଳବାର ଦିନ ଜିଲ୍ଲାର ପ୍ରଥମ ମଣ୍ଡି ଖୋଲିଥିଲା। ଏହି ମଣ୍ଡି ପଏଣ୍ଟ ଲାଗି ୫୦ ଜଣ ଚାଷୀଙ୍କୁ ଟୋକନ ଦିଆଯାଇଥିଲା।

ରାଇବଗା ମଣ୍ଡିରେ ମାଣ୍ଡିଆ କିଣା ପୂର୍ବରୁ ଟିଡିସିସିର ପରିଚାଳନା ନିର୍ଦ୍ଦେଶକ ଜୟପ୍ରକାଶ ମହାନ୍ତି ଏହାକୁ ଉଦ୍‌ଘାଟନ କରିଥିଲେ। କୁଆରମୁଣ୍ଡା ବ୍ଲକର ଚାଷୀମାନଙ୍କଠାରୁ ମାଣ୍ଡିଆ କ୍ରୟ ପାଇଁ ରାଇବଗା ଲ୍ୟାମ୍ପସକୁ ଦାୟିତ୍ୱ ଦିଆଯାଇଛି।ପୁଷ୍ଟିଶସ୍ୟ ମିଶନ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାର ୮ଟି ବ୍ଲକରେ ମାଣ୍ଡିଆ ଚାଷ କରାଯାଉଛି। ଚଳିତ ବର୍ଷ ମାଣ୍ଡିଆ କିଣିବା ଲାଗି ଜିଲ୍ଲାର ୮ଟି ବ୍ଲକ ଅଧୀନ ୨୧ଟି ସ୍ଥାନରେ ମଣ୍ଡି ଖୋଲାଯିବ। କେଉଁ ମଣ୍ଡି କେଉଁ ଦିନ ଖୋଲା ରହିବ, ସେନେଇ ଆତ୍ମା ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ତାଲିକା ପ୍ରସ୍ତୁତ କରାଯାଇଛି। ଡିସେମ୍ବର ୧୫ରୁ ମଣ୍ଡି ଆରମ୍ଭ ହୋଇ ମାର୍ଚ୍ଚ ୨୭ ପର୍ଯ୍ୟନ୍ତ ଚାଲିବ।

ଚାଷୀମାନଙ୍କ ସୁବିଧା ପାଇଁ ପ୍ରତ୍ୟେକ ମଣ୍ଡିରେ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ତାରପୋଲିନ ସହ ଓଜନ ମାପ ଯନ୍ତ୍ର, ମଏଶ୍ଚର ମିଟର ଏବଂ ହ୍ୟାଣ୍ଡ ଗ୍ରେଡର ବ୍ୟବସ୍ଥା କରାଯାଉଛି। ସେହିପରି ସମ୍ପୃକ୍ତ ଲ୍ୟାମ୍ପସ ପକ୍ଷରୁ ଚାଷୀଙ୍କ ଅମଳ ଗଚ୍ଛିତ କରି ରଖିବା ପାଇଁ ସୁବିଧା କରାଯାଇଛି । ଚାଷୀମାନଙ୍କୁ ବିକ୍ରିର ୩ ଦିନ ମଧ୍ୟରେ ଅର୍ଥ ପ୍ରଦାନ କରାଯାଉଛି।ଏଥର ମୋଟ ୫,୮୮୯ ଜଣ ଚାଷୀଙ୍କଠାରୁ ମାଣ୍ଡିଆ କ୍ରୟ ଲାଗି ପ୍ରଶାସନ ଲକ୍ଷ୍ୟ ରଖିଛି। ଡିସେମ୍ବର ୧୪ ତାରିଖ ସୁଦ୍ଧା ୪,୨୪୯ ଜଣ ଚାଷୀ ନାମ ପଞ୍ଜୀକରଣ କରିଛନ୍ତି। ସେହି ଚାଷୀମାନେ ନିର୍ଦ୍ଧାରିତ ମଣ୍ଡିରେ ପହଞ୍ଚି କିପରି ସୁବିଧାରେ ନିଜ ଅମଳ ବିକ୍ରି କରିପାରିବେ, ସେଥିପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଉଛି ବୋଲି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ତଥା ଆତ୍ମା ପ୍ରକଳ୍ପ ନିର୍ଦ୍ଦେଶକ ଲକ୍ଷ୍ମୀ ନାରାୟଣ ଦାଶ କହିଛନ୍ତି।ଚଳିତ ବର୍ଷ ଚାଷୀଙ୍କଠାରୁ ଏଫ୍‌ଏକ୍ୟୁ ମାନର ମାଣ୍ଡିଆକୁ ସର୍ବନିମ୍ନ ସହାୟକ ମୂଲ୍ୟ ୩,୨୯୫ ଟଙ୍କାରେ କିଣାଯାଉଛି। ୮ଟି ବ୍ଲକରୁ ମୋଟ ୭,୫୦୦ କୁଇଣ୍ଟାଲ ମାଣ୍ଡିଆ ସଂଗ୍ରହ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ମଙ୍ଗଳବାର ମଣ୍ଡି ଉଦଘାଟନ ଅବସରରେ ପାନପୋଷ ଆରଏମ୍‌ସିର ମାର୍କେଟ ସୁପରଭାଇଜର ଶ୍ରୀକାନ୍ତ ଗୁମାନସିଂ, ରାଇବଗା ଲ୍ୟାମ୍ପସ ଏମ୍‌ଡି ଚିତ୍ତରଞ୍ଜନ ମହାନ୍ତି, ଓଡ଼ିଶା ମିଲେଟସ ମିଶନ ଜିଲ୍ଲା ସଂଯୋଜକ ମାନସ କୁମାର ରାଉତ ଓ ବ୍ଲକ ସଂଯୋଜକ ରମେଶ ଚନ୍ଦ୍ର ମଲ୍ଲିକ ଉପସ୍ଥିତ ଥିଲେ।

Comment