ଓଡ଼ିଶାଲାଇଭ୍ ବ୍ୟୁରୋ

ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଅଷ୍ଟ୍ରେଲିଆ ଗସ୍ତକୁ ନେଇ ଲାଗିରହିଥିବା ସନ୍ଦେହର ଶେଷରେ ଅନ୍ତଘଟିଛି। ମଙ୍ଗଳବାର ସକାଳୁ ରୋହିତ ଟେଷ୍ଟ ମ୍ୟାଚ୍ ଖେଳିବାକୁ ଅଷ୍ଟ୍ରେଲିଆ ଗସ୍ତରେ ବାହାରିପଡ଼ିଛନ୍ତି।

ଭାରତର ଏହି ତାରକା ବ୍ୟାଟ୍ସମ୍ୟାନ ଗତ ଆଇପିଏଲ୍ ଟୁର୍ଣ୍ଣାମେଣ୍ଟ ସମୟରେ ଆହତ ହୋଇଥିଲେ। ଏହାପରେ ତାଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରୁ ବାଦ୍ ଦିଆଯାଇଥିଲା। ପରେ ଏହାକୁ ନେଇ ବିବାଦ ଦେଖାଯିବା ପରେ ତାଙ୍କୁ ଭାରତୀୟ ଟେଷ୍ଟ ଦଳରେ ସାମିଲ କରାଯାଇଥିଲା।

ଆଇପିଏଲ୍ ଶେଷ ହେବା ପରେ ରୋହିତ ଭାରତ ଚାଲିଆସିଥିଲେ। ଏଠାରେ ସେ ଜାତୀୟ କ୍ରିକେଟ ଶିବିରକୁ ଯାଇ ସେଠାରେ ନିଜର ଅଭ୍ୟାସ ଜାରି ରଖିଥିଲେ। କିନ୍ତୁ ଆହତ ଅବସ୍ଥାରୁ ମୁକୁଳିବାରେ ତାଙ୍କୁ ଅଧିକ ସମୟ ଲାଗିଥିଲା। ଏହାପରେ ତାଙ୍କୁ ପ୍ରଥମ ଦୁଇଟି ଟେଷ୍ଟରୁ ବାଦ୍ ଦିଆଯାଇଥିଲା। ଏହାପରେ ରୋହିତ ନିଜର ଅଭ୍ୟାସ ଜାରି ରଖିବା ସହିତ ଫିଟନେସ୍ ଟେଷ୍ଟରେ ପାସ୍ ହୋଇଥିଲେ। ଏହାପରେ ତାଙ୍କୁ ଅଷ୍ଟ୍ରେଲିଆ ଗସ୍ତରେ ସାମିଲ ହେବାକୁ ଅନୁମତି ମିଳିଛି। ଅନୁମତି ମିଳିବା ପରେ ମଙ୍ଗଳବାର ସେ ଅଷ୍ଟ୍ରେଲିଆ ଗସ୍ତରେ ବାହାରିପଡ଼ିଛନ୍ତି।

ରୋହିତ ଅଷ୍ଟ୍ରେଲିଆରେ ପହଞ୍ଚିବା ପରେ ସେଠାରେ ୧୪ ଦିନିଆ କ୍ୱାରେଣ୍ଟାଇନରେ ରହିବେ। ଏହାପରେ ସେ ପଡିଆକୁ ଓହ୍ଲାଇବେ ବୋଲି କୁହାଯାଇଛି।ସୂଚନାଯୋଗ୍ୟ ଯେ, ଡିସେମ୍ବର ୧୭ରୁ ଭାରତ ଅଷ୍ଟ୍ରେଲିଆ ଭିତରେ ପ୍ରଥମ ଟେଷ୍ଟ ଖେଳାଯିବ। ରୋହିତ କିନ୍ତୁ କେବଳ ତୃତୀୟ ଏବଂ ଚତୁର୍ଥ ମ୍ୟାଚ  ଖେଳିବାକୁ ଟିମ୍ ଇଣ୍ଡିଆରେ ସ୍ଥାନ ପାଇଛନ୍ତି।

Comment