ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

‘ମୋ ଘର ବାଟ ଦେଇ’, ‘ରାଜହଂସୀ ଚାଲିରେ’, ‘ଓଦା ଆଖି’ ଭଳି ସୁପରହିଟ ଗୀତ ଗାଇ ଦର୍ଶକଙ୍କ ମନରେ ଛାଇଛନ୍ତି ଗାୟକ କୁଲଦୀପ ପଟ୍ଟନାୟକ।

(ଭୁବନେଶ୍ୱରରୁ ଶୁଭଶ୍ରୀ ନାୟକ): ଦିନ ଥିଲା ଓଡ଼ିଆ ଆଲବମ୍‌ ଗୀତ ଦର୍ଶକଙ୍କ ମନରେ ରାଜ କରୁଥିଲା। କିନ୍ତୁ ସମୟ ବଦଳିଲା, ଲୋକଙ୍କ ମନରୁ ଉଭେଇଗଲା ଓଡ଼ିଆ ଆଲବମ୍‌। ତେବେ ଏବେ ପୁଣି ଓଡ଼ିଆ ଆଲବମ୍‌ର କ୍ରେଜ ବଢ଼ିଛି। ଲୋକ ଆଲବମ୍‌ ଗୀତକୁ ପସନ୍ଦ କରୁଛନ୍ତି। ଏହି ପରିବର୍ତ୍ତନ ପଛରେ ଅଛନ୍ତି କିଛି ନୂଆ ଗାୟକ, ଯାହାଙ୍କ କଣ୍ଠରେ ଘାଇଲା ହେଉଛନ୍ତି ଦର୍ଶକ। ସେହି ଗାୟକଙ୍କ ଭିତରୁ ଜଣେ ହେଉଛନ୍ତି କୁଲଦୀପ ପଟ୍ଟନାୟକ, ଯିଏ ‘ମୋ ଘର ବାଟ ଦେଇ’, ‘ରାଜହଂସୀ ଚାଲିରେ’, ‘ଓଦା ଆଖି’ ଭଳି ସୁପରହିଟ ଗୀତ ଗାଇ ଦର୍ଶକଙ୍କ ମନରେ ଛାଇ ଯାଇଛନ୍ତି।କୁଲଦୀପ ପଟ୍ଟନାୟକଙ୍କ ଘର କଟକ ସିଡିଏରେ। ପିଲା ବେଳୁ ତାଙ୍କର ଗୀତ ପ୍ରତି ଦୁର୍ବଳତା ଥିଲା। କିନ୍ତୁ ବଡ଼ ହୋଇ ଦିନେ ସେ ଜଣେ ଗାୟକ ହେବେ ସେ କଥା ସେ ଭାବି ନଥିଲେ। ପିଲାବେଳେ ଥରେ ତାଙ୍କ ମା’ ତାଙ୍କୁ ଗୋଟିଏ ଗୀତ ଗାଇବାକୁ କହିଥିଲେ। କୁଲଦୀପଙ୍କ କଣ୍ଠରୁ ଗୋଟଏ ଗୀତ ଶୁଣି ତାଙ୍କ ମା’ ପ୍ରଶଂସା କରିଥିଲେ। ଏହାପରେ କୁଲଦୀପ ସପ୍ତମ ଶ୍ରେଣୀରେ ପଢ଼ିବା ସମୟରେ ବିଧିବଦ୍ଧ ଭାବେସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ।

ଏନେଇ କୁଲଦୀପ କହନ୍ତି, ‘‘ସଙ୍ଗୀତ ଦୁନିଆରେ କ୍ୟାରିୟର ଗଢ଼ିବା ପାଇଁ ମୋ ବାପା, ମା’ ବହୁତ ସାହସ ଯୋଗାଇଛନ୍ତି। ପ୍ରତି ମୁହୂର୍ତ୍ତରେ ସମର୍ଥନ କରିଛନ୍ତି। ମୋ ଭିତରର ଏହି ପ୍ରତିଭାକୁ ସେମାନେ ହିଁ ପ୍ରଥମ ଆବିଷ୍କାର କରିଥିଲେ।”

‘ଭଏସ୍‌ ଅଫ୍‌ ଓଡିଶା’ରୁ କୁଲଦୀପଙ୍କ କ୍ୟାରିୟର ଆରମ୍ଭ

କୁଲଦୀପ ପଟ୍ଟନାୟକଙ୍କ ସଙ୍ଗୀତ ଯାତ୍ରା ବେଶ ଲମ୍ବା ରହିଛି। ସେ ପ୍ରଥମେ ବିଭିନ୍ନ ମଞ୍ଚରେ ଗୀତ ଗାଉଥିଲେ। ଏହାପରେ ତରଙ୍ଗର ମ୍ୟୁଜିକାଲ ରିଆଲିଟି ସୋ’ ‘ଭଏସ୍‌ ଅଫ୍‌ ଓଡିଶା’ରେ ଅଂଶଗ୍ରହଣ କରିଥିଲେ। ‘ଭଏସ୍‌ ଅଫ୍‌ ଓଡିଶା’ର ପ୍ରଥମ ସିଜିନରେ ସେ ଫାଇନାଲ ରାଉଣ୍ଡ ଯାଏଁ ପହଞ୍ଚିଥିଲେ। ଏହି ସୋ’ରେ ନିଜ ଯାଦୁଗରୀ କଣ୍ଠରେ ସେ ଲୋକଙ୍କ ମନ କିଣିଥିଲେ। ଏହି ସୋ’ରୁ ବାହାରିବା ପରେ କୁଲଦୀପ ନିଜେ ଗୀତ ଗାଇବା ସହିତ ଗୀତ ତିଆରି କରିବା ଆରମ୍ଭ କଲେ। ଓଡ଼ିଶାରେ ସେ ସବୁଠୁ ଅଧିକ ଆସାଦ ନିଜାମଙ୍କ ସହ କାମ କରିଛନ୍ତି।

ମୁମ୍ବାଇରେ ସଙ୍ଗୀତ ଯାତ୍ରା

ଓଡ଼ିଶାରୁ କ୍ୟାରିୟର ଆରମ୍ଭ କରି ସେ ଏବେ ମାୟାନଗରୀ ମୁମ୍ବାଇରେ ବି କାମ ଆରମ୍ଭ କରିଦେଇଛନ୍ତି। ଏମିତିକି କୁଲଦୀପ ସେଠାରେ ନିଜର ଏକ ମ୍ୟୁଜିକ ପ୍ରଡକ୍ସନ କମ୍ପାନି ଖୋଲିଛନ୍ତି। କିନ୍ତୁ ଏହି ଜାଗାରେ ପହଞ୍ଚିବା ପାଇଁ ତାଙ୍କୁ ସଂଘର୍ଷ କରିବାକୁ ପଡ଼ିଥିଲା।

ଇଞ୍ଜିନିୟରିଂ ପଢ଼ା ସାରି ୨୦୧୬ରେ ପ୍ରଥମ ଥର ପାଇଁ ମୁମ୍ବାଇ ଯାଇଥିଲେ କୁଲଦୀପ। ନୂଆ ଜାଗା, ନୂଆ ଲୋକ ସେଥିପାଇଁ ସେଇଠୁ ପୂରା ଶୂନରୁ ପୁଣିଥରେ ସବୁକିଛି ଆରମ୍ଭ କରିବାକୁ ପଡ଼ିଥିଲା। ବିଭିନ୍ନ ସଙ୍ଗୀତକାରଙ୍କୁ କେବଳ ନିଜର ଗୀତ ରେକର୍ଡିଂ ପଠାଇବାକୁ ପଡ଼ୁଥିଲା। ଏମିତି କରି ପ୍ରାୟ ବର୍ଷେ ପରେ କାମ ମିଳିଥିଲା ବୋଲି କହନ୍ତି କୁଲଦୀପ।

କୁଲଦୀପ, ଆଣ୍ଡ ଟିଭିରେ ପ୍ରସାରିତ ଏକ ରିଆଲିଟି ସୋ’ ‘ଭଏସ୍‌ ଅଫ୍‌ ଇଣ୍ଡିଆ’ରେ ବି ଭାଗ ନେଇଥିଲେ। ଏହି ରିଆଲିଟି ସୋ’ ପରେ ତାଙ୍କ କ୍ୟାରିୟର ମୋଡ଼ ବଦଳିଯାଇଥିଲା। ତାଙ୍କୁ ଜାଭେଦ ଅଲ୍ଲୀଙ୍କ ଭଳି ପ୍ରଖ୍ୟାତ ସଙ୍ଗୀତକାରଙ୍କ ସହ କାମ କରିବାର ସୁଯୋଗ ମିଳିଛି।

ଏବେ ଟ୍ରେଣ୍ଡରେ କୁଲଦୀପ

ଓଡ଼ିଆ ଆଲବମ୍‌ ଜଗତରେ ଏବେ ଟ୍ରେଣ୍ଡରେ ଅଛନ୍ତି କୁଲଦୀପ ପଟ୍ଟନାୟକ। ନିକଟରେ ମାର୍କେଟକୁ ଆସିଥିବା ପ୍ରାୟ ଓଡ଼ିଆ ଗୀତରେ ସେ କଣ୍ଠଦାନ କରିଛନ୍ତି, ଯାହାକି ବେଶ ହିଟ୍‌ ହୋଇଛି। ଏହି ଗୀତ ଭିତରେ ରହିଛି, ‘ରାଜହଂସୀ’, ଓ ‘ସାଥୀୟା’, ଧୀରେ ଧୀରେ, ‘ପ୍ରେମ ହୋଇଯାଏ ସେତେଥର’, ‘ଠୁମକ୍‌ ଠୁମକ୍‌ ଚାଲିରେ’ ଆଦି।