ଓଡ଼ିଶାଲାଇଭ୍ ବ୍ୟୁରୋ

ଟଲିଉଡର ଅନେକ ସୁପରଷ୍ଟାର ରାଜନୈତିକ ଦଳ ଗଢ଼ି ଦକ୍ଷିଣ ଭାରତୀୟ ରାଜନୀତିରେ ସକ୍ରିୟ ଅଂଶଗ୍ରହଣ କରିଛନ୍ତି।

ତାମିଲ ସୁପରଷ୍ଟାର ରଜନୀକାନ୍ତ ଏକ ନୂଆ ରାଜନୈତିକ ଦଳ ଗଢ଼ିବାକୁ ଘୋଷଣା କରିବା ପରେ ଏବେ ଚର୍ଚ୍ଚା ଜୋର ଧରିଛି। ଆସନ୍ତା ଡିସେମ୍ବର ୩୧ ତାରିଖରେ ଏନେଇ ସେ ବିଧିବଦ୍ଧ ଘୋଷଣା କରିବେ ବୋଲି ସୂଚନା ଦେଇଛନ୍ତି। ତେବେ କେବଳ ରଜନୀ ନୁହନ୍ତି, ତାଙ୍କ ପୂର୍ବରୁ ଆହୁରି ଅନେକ ସୁପରଷ୍ଟାର ମଧ୍ୟ ଦକ୍ଷିଣ ଭାରତୀୟ ରାଜନୀତିରେ ସକ୍ରିୟ ଅଂଶଗ୍ରହଣ କରିବା ସହ ନିଜର ରାଜନୈତିକ ଦଳ ଗଠନ କରିଛନ୍ତି। ଏପରିକି ସିନେ ଅଭିନେତାମାନେ ମୁଖ୍ୟମନ୍ତ୍ରୀ ଆସନରେ ମଧ୍ୟ ବସିଛନ୍ତି।ଏମ୍ କରୁଣାନିଧି–ଡିଏମକେ

ମୁଥୁବେଲ କରୁଣାନିଧି ତାମିଲନାଡ଼ୁରେ ‘କଲାଇଗନାର’ ଓ ‘ମୁତ୍ଥାମିଜ୍ ଆରିଙ୍ଗ’ର ନାମରେ ବେଶ୍ ପରିଚିତ। ତାମିଲ କଥାଚିତ୍ର ଜଗତରେ ଜଣେ ଚିତ୍ରନାଟ୍ୟ ଲେଖକ ଭାବେ ତାଙ୍କର ପ୍ରମୁଖ ଅବଦାନ ରହିଛି। ରାଜନୀତିରେ ପ୍ରବେଶ କରିବା ଆଗରୁ ସେ ଜଣେ ଚିତ୍ରନାଟ୍ୟ ଲେଖକ ଭାବେ କାମ କରୁଥିଲେ। ୧୯୫୨ ମସିହାରେ ରିଲିଜ୍ ହୋଇଥିବା ତାମିଲ ଚଳଚ୍ଚିତ୍ର ‘ପରଶକ୍ତି’କୁ ତାଙ୍କର ସବୁଠୁ ଲୋକପ୍ରିୟ ରଚନା ବୋଲି କୁହାଯାଏ।

ତେବେ ମାତ୍ର ୩୩ ବର୍ଷ ବୟସରେ କରୁଣାନିଧି ୧୯୫୭ ମସିହାରେ ତାମିଲନାଡ଼ୁ ବିଧାନ ସଭାର କୁଲିଥାଲାଇ ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୧୯୬୧ ମସିହାରେ ସେ ‘ଦ୍ରାବିଡ଼ ମୁନ୍ନେତ୍ରା କାଗଜମ୍’ (ଡିଏମକେ) ଦଳର କୋଷାଧ୍ୟକ୍ଷ ଭାବେ କାମ କରିଥିଲେ। ୧୯୬୭ରେ ଡିଏମକେ ଦଳ କ୍ଷମତାକୁ ଆସିବା ପରେ କରୁଣାନିଧି ମନ୍ତ୍ରୀ ଭାବେ କାମ କରିଥିଲେ। ୧୯୬୯ରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଅନ୍ନାଦୁରାଇଙ୍କ ଦେହାନ୍ତ ହୋଇଥିଲା। ଏହାପରେ କରୁଣାନିଧି ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ସହ ଡିଏମକେ ଡିଏମକେ ଦଳର ମୁଖ୍ୟ ନେତା ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ୧୯୬୯ରୁ ୨୦୧୧ ମଧ୍ୟରେ କରୁଣାନିଧି ୫ ଥର ମୁଖ୍ୟମନ୍ତ୍ରୀ ଭାବେ କାମ କରିଥିଲେ।ଏମ୍ କେ ଷ୍ଟାଲିନ୍–ଡିଏମକେ

୨୦୧୮ ମସିହାରେ କରୁଣାନିଧିଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ଡିଏମକେ ମୁଖ୍ୟ ଭାବେ ତାଙ୍କ ପୁଅ ଏମ.କେ ଷ୍ଟାଲିନ୍ ନିଯୁକ୍ତ ହୋଇଥିଲେ। ରାଜନୀତି ସହ ଷ୍ଟାଲିନ ଅନେକ ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ।ଜେ ଜୟଲଳିଥା–ଏଆଇଏଡିଏମକେ

ଦକ୍ଷିଣ ଭାରତୀୟ ରାଜନୀତି ଜଗତରେ ଜଣେ ସୁଦକ୍ଷ ନାରୀନେତ୍ରୀ ହେଉଛନ୍ତି ଜୟଲଳିତା ଜୟରାମ। ଚଳଚ୍ଚିତ୍ର ଅଭିନେତ୍ରୀ ଭାବେ ସ୍ୱତନ୍ତ୍ର ପରିଚୟ ହାସଲ କରିବା ପରେ ସେ ରାଜନୀତିରେ ପାଦ ଦେଇଥିଲେ। ସେ ତାମିଲନାଡ଼ୁରେ ୧୯୯୧ରୁ ୨୦୧୬ ମଧ୍ୟରେ ୧୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଥିଲେ। ମୁଖ୍ୟମନ୍ତ୍ରୀ ହେବାର ଦୁଇ ବର୍ଷ ଆଗରୁ ଅର୍ଥାତ୍ ୧୯୮୯ରୁ ସେ ଦ୍ରାବିଡ଼ ଦଳ ‘ଏଆଇଡିଏମକେ’ର ସଭାପତି ଭାବେ କାମ କରିଥିଲେ। ଜୟଲଳିତା ନିଜ ମୃତ୍ୟୁ ପର୍ଯ୍ୟନ୍ତ ଏହି ଦଳର ମୁଖ୍ୟ ଭାବେ ରହି ଆସିଥିଲେ।କମଲ ହାସନ–ମକ୍କଲ ନିଧି ମାୟମ

ଟଲିଉଡ ଓ ବଲିଉଡରେ ଅନେକ ହିଟ୍ ସିନେମା ଭେଟି ଦେଇଥିବା ସୁପରଷ୍ଟାର କମଲ ହାସନ ୨୦୧୮ ମସିହାରେ ନିଜର ଏକ ରାଜନୈତିକ ଦଳ ଗଢ଼ିଥିଲେ। ‘ମକ୍କଲ ନିଥି ମାୟମ’ (ଜନତାଙ୍କ ନ୍ୟାୟର କେନ୍ଦ୍ର) ନାମରେ ସେ ଏହି ଦଳ ଗଠନ କରିଥିଲେ। ଏହି ଦଳର ସୁପ୍ରିମୋ ଭାବେ ସେ ରାଜନୀତିରେ ପ୍ରବେଶ କରିଥିଲେ।ଏନଟିଆର୍–ତେଲୁଗୁ ଦେଶମ୍ ପାର୍ଟି

ଦକ୍ଷିଣ ଭାରତୀୟ ଫିଲ୍ମ ଜଗତରେ ନନ୍ଦମୁରି ତାରକ ରାମା ରାଓ ହେଉଛନ୍ତି ଜଣେ ଜଣାଶୁଣା ନାଁ। ତାଙ୍କୁ ଭାରତୀୟ ସିନେମା କ୍ଷେତ୍ରରେ ଅନ୍ୟତମ ଦକ୍ଷ ଅଭିନେତା ଭାବେ ବିବେଚନା କରାଯାଏ। ତେବେ ଅଭିନୟ ଦୁନିଆରେ ପରିଚିତି ହାସଲ କରିବା ପରେ ସେ ୧୯୮୨ ମସିହାରେ ‘ତେଲୁଗୁ ଦେଶମ୍ ପାର୍ଟି’ ନାମକ ଏକ ରାଜନୈତିକ ଦଳ ଗଠନ କରିଥିଲେ। ଏହି ଦଳ ଗଠନ ହେବାର ୯ ମାସ ଭିତରେ ୧୯୮୩ରେ ଏନଟିଆର୍ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ। ୧୯୮୩ରୁ ୧୯୯୫ ଭିତରେ ସେ ସାତ ବର୍ଷ ମୁଖ୍ୟମନ୍ତ୍ରୀ ଭାବେ କାମ କରିଥିଲେ।ପବନ କଲ୍ୟାଣ–ଜନସେନା ଦଳ

ଦକ୍ଷିଣ ଭାରତୀୟ ଅଭିନେତାରୁ ରାଜନୈତିକ ଦଳ ମୁଖ୍ୟ ହୋଇଥିବା ଆଉ ଜଣେ କଳାକାର ହେଲେ ଆନ୍ଧ୍ର ପ୍ରଦେଶର ପାଓ୍ୱାର ଷ୍ଟାର୍ ପବନ କଲ୍ୟାଣ। ଅନେକ ସୁପରହିଟ୍ ସିନେମାରେ ଅଭିନୟ କରିଥିବା ପବନ ୨୦୧୪ରେ ‘ଜନସେନା’ ନାମକ ଏକ ଦଳ ଗଠନ କରିଥିଲେ। ଏହାରି ସହିତ ସେ ସକ୍ରିୟ ରାଜନୀତିରେ ପ୍ରବେଶ କରିଥିଲେ।

Comment