ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ: ଭୁବନେଶ୍ୱର ନାବାଳିକା ବଳାତ୍କାର ମାମଲାରେ ବୁଧବାର କ୍ରାଇମ୍‌ବ୍ରାଞ୍ଚ୍ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ବ୍ୟକ୍ତିଗତ ଭାବେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ହାଇକୋର୍ଟରେ ହାଜର ହୋଇ ଜବାବ ରଖିଛନ୍ତି। ଇତିମଧ୍ୟରେ ଏହି ଘଟଣାରେ ଚାରି ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ ପାଇଁ ଉଦ୍ୟମ କରାଯାଉଛି ବୋଲି ସେ ହାଇକୋର୍ଟଙ୍କୁ ଅବଗତ କରିଛନ୍ତି। ହାଇକୋର୍ଟ ଏହି ଜବାବ ପରେ ମାମଲାର ଶୁଣାଣି ଆସନ୍ତା ଜାନୁଆରିକୁ ଧାର୍ଯ୍ୟ କରିଛନ୍ତି।

ଆଇନଜୀବୀ ଗୌତମ ସିଦ୍ଦିକଙ୍କ ପକ୍ଷରୁ ରୁଜୁ ମାମଲାର ଶୁଣାଣି କରି ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ମହମ୍ମଦ ରଫିକ୍ ଏବଂ ବିଚାରପତି ଜଷ୍ଟିସ୍ ବି.ଆର. ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ଅପରପକ୍ଷରେ ଆବେଦନକାରୀ ଗୌତମ ସିଦ୍ଦିକ ତାଙ୍କ ଘର ବାହାରେ କିଛି ଅସାମାଜିକ ଲୋକ ଭୟର ବାତାବରଣ ସୃଷ୍ଟି କରୁଥିବା ନେଇ ଅଦାଲତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏ ସଂକ୍ରାନ୍ତରେ ପୋଲିସ ଆବଶ୍ୟକ ପଦକ୍ଷେପ ନେବାକୁ ହାଇକୋର୍ଟ ଆଦେଶ ଦେଇଛନ୍ତି।

ଆଇନଜୀବୀ ଶ୍ରୀ ସିଦ୍ଦିକ ଭୁବନେଶ୍ୱର ନାବାଳିକା ବଳାତ୍କାର ମାମଲାର ଉଚ୍ଚସ୍ତରୀୟ ତଦନ୍ତ ପ୍ରାର୍ଥନା କରି ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିଲେ। ଏଥିରେ ପୋଲିସ ଏବଂ ଏକ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧ ସାମିଲ ଥିବାରୁ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରାଯାଉଛି ବୋଲି ସେ ଅଭିଯୋଗ କରିଥିଲେ। ହାଇକୋର୍ଟ ମାମଲାର ଶୁଣାଣି କରି ଏହି ଘଟଣାର ଜଣେ ଡିସିପି କିମ୍ବା ଏହାଠାରୁ ଉଚ୍ଚପଦସ୍ଥ ଅଧିକାରୀଙ୍କ ଦ୍ଵାରା ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଥିଲେ।

Comment