ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ସଙ୍କଟ ସମୟରେ ଅସହାୟ ପ୍ରବାସୀ ଏବଂ ଗରିବ ଲୋକଙ୍କୁ ସାହାଯ୍ୟ କରି ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର ୨୦୨୦ର ନ୍ୟୁଜ୍ ମେକର ପାଲଟିଛନ୍ତି ବିଷୟରେ ଅଧିକ ଜାଣନ୍ତୁ ଓଡ଼ିଶାଲାଇଭ୍ ଫ୍ଲାସବ୍ୟାକ୍ ୨୦୨୦ର ଏହି ରିପୋର୍ଟରେ 

୨୦୨୦ରେ ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର ଖୁବ୍ ଚର୍ଚ୍ଚିତ ହୋଇଥିଲେ। କରୋନା ସଙ୍କଟ ସମୟରେ ପ୍ରବାସୀ ଶ୍ରମିକ ଓ ଗରିବ ଅସହାୟ ଲୋକଙ୍କୁ ସାହାଯ୍ୟ କରି ସେ ବେଶ୍ ପ୍ରଶଂସା ସାଉଁଟିଥିଲେ। ଏଥିପାଇଁ ୨୦୨୦ରେ ନ୍ୟୁଜ୍ ମେକର ପାଲଟିଥିଲେ ଓଲିଉଡର ପାଗଳପ୍ରେମୀ ସବ୍ୟସାଚୀ ମିଶ୍ର। ଲୋକମାନେ ତାଙ୍କୁ କରୋନା ବେଳର ରିୟଲ ହିରୋ ବୋଲି ମଧ୍ୟ ଆଖ୍ୟା ଦେଇଥିଲେ। ଖାଲି ସେତିକି ନୁହେଁ ତାଙ୍କର ଏହି ମହତପଣିଆ ପାଇଁ ଭାରତୀୟ ସ୍କାଉଟ୍ ଓ ଗାଇଡ୍ ଫେଲୋସିପ୍, ରାଜ୍ୟ ଶାଖା ତରଫରୁ ସବ୍ୟସାଚୀଙ୍କୁ ‘ଜାତୀୟ ମହାତ୍ମା ଗାନ୍ଧୀ ସେବା ସମ୍ମାନ ୨୦୨୦’ରେ ସମ୍ମାନିତ କରାଯାଇଛି।
ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ

କରୋନା ଯୋଗୁଁ ଲକଡାଉନ୍ ହୋଇଯିବା ଫଳରେ ଅନେକ ପ୍ରବାସୀ ଓଡ଼ିଶା ଫେରିନପାରି ବାହାର ରାଜ୍ୟରେ ଫସି ରହିଥିଲେ। ଏଭଳି ସଙ୍କଟ ସମୟରେ ଦେବଦୂତ ସାଜି ସହାୟତାର ହାତ ବଢ଼ାଇଥିଲେ ସବ୍ୟସାଚୀ ମିଶ୍ର। ରାଜ୍ୟ ବାହାରେ ଥିବା ପ୍ରବାସୀମାନଙ୍କୁ ସୁରକ୍ଷିତ ଭାବେ ଓଡ଼ିଶା ଫେରାଇ ଆଣିବା ଲାଗି ସବ୍ୟସାଚୀ ସବୁ ପ୍ରକାର ବନ୍ଦୋବସ୍ତ କରିଥିଲେ। ତାଙ୍କର ଏହି ମହତ କାମ ପାଇଁ ସବ୍ୟସାଚୀଙ୍କୁ ଚାରିଆଡ଼ୁ ପ୍ରଶଂସା ମିଳିଥିଲା।

ଦୁବାଇରେ ଆତ୍ମହତ୍ୟା କରିଥିବା ଶ୍ରମିକଙ୍କ ଶବ ଫେରାଇ ଆଣିଲେ

ଚଳିତବର୍ଷ ଜୁଲାଇ ମାସରେ ସବ୍ୟସାଚୀଙ୍କ ମହାନତାର ଆଉ ଏକ ଉଦାହରଣ ସାମ୍ନାକୁ ଆସିଥିଲା, ଯେତେବେଳେ ସେ ଦୁବାଇରେ ଆତ୍ମହତ୍ୟା କରିଥିବା ଜଣେ ଶ୍ରମିକଙ୍କ ମୃତଦେହକୁ ଓଡ଼ିଶା ଫେରାଇ ଆଣିଥିଲେ। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଖୋଜାପାଲିର ୩୬ ବର୍ଷୀୟ ବଳରାମ ପ୍ରଧାନ ଦୁବାଇରେ ଶ୍ରମିକ ଭାବେ କାମ କରୁଥିଲେ। ତେବେ କରୋନା ଯୋଗୁ ଲକଡାଉନ୍ ହୋଇଯିବାରୁ ସେ ଘରକୁ ଫେରିପାରିନଥିଲେ। ଏହି ଦୁଃଖ ସହି ନପାରି ସେ ଜୁନ ୨୯ ତାରିଖରେ ଦୁବାଇରେ ଆତ୍ମହତ୍ୟା କରିଥିଲେ।

ଏ ସମ୍ପର୍କରେ ସବ୍ୟସାଚୀ ଜୁଲାଇ ୧୨ ତାରିଖରେ ଜାଣିବାକୁ ପାଇଥିଲେ। ଏହାପରେ ସେ ଦୁବାଇ ପୋଲିସ ସହିତ ଯୋଗାଯୋଗ କରିଥିଲେ। ସବ୍ୟଙ୍କ ଏହି ଉଦ୍ୟମ ପାଇଁ ଜୁଲାଇ ୧୬ ତାରିଖରେ ବଳରାମଙ୍କ ମର ଶରୀର ତାଙ୍କ ଗାଁ ମାଟିକୁ ଫେରି ପାରିଥିଲା।ଟ୍ୟୁମର ଅପରେସନ ପାଇଁ ସାହାଯ୍ୟ

ପୁରୀ ଜିଲ୍ଲା ସଦର ବ୍ଲକ ବାଲିପଡ଼ା ଗାଁର କୁନି ପଣ୍ଡାଙ୍କ ହାତରେ ଟ୍ୟୁମର ହୋଇଥିଲା। ଅର୍ଥାଭାବରୁ ଚିକିତ୍ସା ହୋଇପାରୁନଥିବାରୁ କୁନି ଅସହ୍ୟ ଯନ୍ତ୍ରଣା ଭୋଗୁଥିଲେ। ଚିକିତ୍ସା ପାଇଁ ଦେଢ଼ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତର କହିଥିଲେ। କିନ୍ତୁ ପାଖରେ ଟଙ୍କା ନଥିବାରୁ କୁନି ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ସାହାଯ୍ୟ ପାଇଁ ନିବେଦନ କରିଥିଲେ।

ଏକଥା ଜାଣିବା ପରେ କୁନିଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ ଅଭିନେତା ସବ୍ୟସାଚୀ ମିଶ୍ର। ଭୁବନେଶ୍ଵର ଏମ୍ସ ହସ୍ପିଟାଲରେ କୁନିଙ୍କ ପାଇଁ ସମସ୍ତ ପ୍ରକାର ଚିକିତ୍ସାର ବନ୍ଦୋବସ୍ତ କରିଥିଲେ।ମହିଳାଙ୍କୁ ସ୍ଵାବଲମ୍ବୀ କଲେ

କରୋନା ମହାମାରୀ ଯୋଗୁ ଜୀବିକା ହରାଇଥିବା ଭୁବନେଶ୍ଵରର ଜ୍ୟୋତ୍ସ୍ନା ମହାନ୍ତିଙ୍କୁ ସ୍ଵାବଲମ୍ବୀ ହେବାକୁ ବାଟ ବତାଇ ଚର୍ଚ୍ଚାକୁ ଆସିଥିଲେ ସବ୍ୟସାଚୀ। ଭୁବନେଶ୍ଵରର ରସୁଲଗଡ଼ ନିକଟସ୍ଥ ଜିଜିପି କଲୋନୀରେ ରହୁଥିବା ଜ୍ୟୋତ୍ସ୍ନା ଲକଡାଉନ୍ ଯୋଗୁ ଘୋର ଆର୍ଥିକ ଅନଟନରେ ଦିନ କାଟୁଥିଲେ।

ଏ ବିଷୟରେ ଜାଣିବା ପରେ ସବ୍ୟ ତାଙ୍କୁ ସାହାଯ୍ୟ କରିଥିଲେ। ସେ କେବଳ ଆର୍ଥିକ ସହାୟତା କଲେ ନାହିଁ, ବରଂ ତାଙ୍କୁ ନିଜ ଗୋଡ଼ରେ ସ୍ଵାଭିମାନର ସହ ଛିଡ଼ା ହେବା ପାଇଁ ବାଟ ବତାଇଦେଲେ। ଗୋଟିଏ କ୍ୟାଣ୍ଟିନ୍ ପାଇଁ ସେ ତାଙ୍କୁ ରୋଷେଇ ଉପକରଣ ଓ ଖାଦ୍ୟର କଞ୍ଚାମାଲ କିଣି ଆଣିଦେଲେ। ସବ୍ୟଙ୍କ ଏହି ବଦାନ୍ୟତା ପାଇଁ ଜ୍ୟୋତ୍ସ୍ନା ତାଙ୍କ କ୍ୟାଣ୍ଟିନ୍‌ର ନାମ ‘ସବ୍ୟସାଚୀ କ୍ୟାଣ୍ଟିନ୍’ ରଖିଛନ୍ତି।ମାନସିକ ନଡ଼ିଆକୁ ଘଟଗାଁ ପଠାଇଲେ

ଗତ ନଭେମ୍ବର ମାସରେ ସବ୍ୟସାଚୀ ରାସ୍ତା କଡ଼ରେ ମାସ ମାସ ଧରି ପଡ଼ି ରହିଥିବା ମାନସିକ ନଡ଼ିଆକୁ ଘଟଗାଁ ତାରିଣୀଙ୍କ ପାଖକୁ ପଠାଇଥିଲେ। ଭୁବନେଶ୍ୱରର ବରମୁଣ୍ଡା, ଫାୟାର୍ ଷ୍ଟେସନ୍ ଛକ, ସିଆରପି, ଆଚାର୍ଯ୍ୟବିହାର, ବାଣୀବିହାର, ରସୁଲଗଡ଼, କଟକ, ଚଣ୍ଡିଖୋଲ ପାଣିକୋଇଲିରେ ପଡ଼ି ରହିଥିବା ପାଖାପାଖି ୩୦୦ ବସ୍ତା ନଡ଼ିଆକୁ ଦୁଇଟି ଟ୍ରକ୍ ମାଧ୍ୟମରେ ଘଟଗାଁ ପଠାଇଥିଲେ ସବ୍ୟସାଚୀ। ତାଙ୍କର ଏହି ମହତ କାମ ପାଇଁ ଶହ ଶହ ଭକ୍ତଙ୍କ ମାନସିକ ନଡ଼ିଆ ମା’ ତାରିଣୀଙ୍କ ପାଖରେ ପହଞ୍ଚି ପାରିଥିଲା। ଏଥିପାଇଁ ସେ ବେଶ୍ ପ୍ରଶଂସିତ ହୋଇଥିଲେ।ଯାତ୍ରା ଅଭିନେତ୍ରୀ ରିଙ୍କିଙ୍କୁ ସାହାଯ୍ୟ

କରୋନା ଯୋଗୁ ଯାତ୍ରା ବନ୍ଦ ହୋଇଯିବାରୁ ଅଭିନେତ୍ରୀ ରିଙ୍କି ଓରଫ ପ୍ରତିଭା ମହାରଣା ରାସ୍ତା କଡ଼ରେ ଫଳ ବିକୁଥିଲେ। ଏ ବାବଦରେ ଜାଣିବା ପରେ ସବ୍ୟସାଚୀ ରିଙ୍କିଙ୍କୁ ସହାୟତାର ହାତ ବଢ଼ାଇଥିଲେ। ଏଥିସହ ରିଙ୍କିଙ୍କୁ ସାହାଯ୍ୟ କରିବା ପାଇଁ ସବ୍ୟ ଅନ୍ୟମାନଙ୍କୁ ମଧ୍ୟ ଅନୁରୋଧ କରିଥିଲେ। ଏହାପରେ ଜଣେ ଟୁଇଟର ୟୁଜରଙ୍କ ଅନୁରୋଧ କ୍ରମେ ତରଙ୍ଗ ସିନେ ପ୍ରଡକ୍ସନ ତରଫରୁ ରିଙ୍କିଙ୍କୁ ଏକ ଧାରାବାହିକରେ ଅଭିନୟ କରିବାକୁ ସୁଯୋଗ ମିଳିଥିଲା।

କେବଳ ଏତିକି ନୁହେଁ, ଏମିତି ଆହୁରି ଅନେକ ଅସୟାହ ଲୋକଙ୍କୁ ସାହାଯ୍ୟ କରି ଅନେକ ପ୍ରଶଂସା ସାଉଁଟିଛନ୍ତି ସବ୍ୟସାଚୀ, ଆଉ ନିଜର ଏହି ମହତ କାମ ପାଇଁ ରିଲ୍ ହିରୋରୁ ବନିଯାଇଛନ୍ତି ରିୟଲ ହିରୋ।

Comment