ଓଡ଼ିଶାଲାଇଭ୍ ବ୍ୟୁରୋ

ଓଲିଉଡର ଷ୍ଟାର୍ ଦମ୍ପତି ବର୍ଷା-ଅନୁଭବଙ୍କ ବିବାହ ବିବାଦ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଏହି କ୍ରମରେ ଶୁକ୍ରବାର କଟକ ଏସଡିଜେଏମ୍ କୋର୍ଟରେ ହାଜର ହୋଇଛନ୍ତି ଅନୁଭବ ମହାନ୍ତି। ସେ ନିଜ ଓକିଲଙ୍କ ଜରିଆରେ କୋର୍ଟରେ ହାଜର ହୋଇ ବର୍ଷା ରୁଜୁ କରିଥିବା ମାମଲା ଉପରେ ଉତ୍ତର ରଖିବା ସହ ସତ୍ୟପାଠ ଦାଖଲ କରିଛନ୍ତି।

ପାରିବାରିକ ହିଂସା ନେଇ ବର୍ଷା ପ୍ରିୟଦର୍ଶିନୀ କଟକ ଏସଡିଜେଏମ୍ କୋର୍ଟରେ ଅନୁଭବଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ଏହାପରେ ଅନୁଭବଙ୍କୁ କୋର୍ଟରେ ହାଜର ହେବା ଲାଗି ନୋଟିସ୍ ଜାରି କରାଯାଇଥିଲା। ତେଣୁ ଆଜି ନିଜ ଓକିଲଙ୍କ ଜରିଆରେ ଅନୁଭବ କୋର୍ଟରେ ହାଜର ହୋଇ ଉତ୍ତର ରଖିଛନ୍ତି।ବର୍ଷାଙ୍କ ସହିତ ତାଙ୍କର କେଉଁ କାରଣରୁ ବିବାଦ ରହିଛି, ବର୍ଷା ସତରେ ପାରିବାରିକ ହିଂସାର ଶିକାର ହୋଇଛନ୍ତି କି ନାହିଁ ଏସବୁ ବିଷୟରେ ଅନୁଭବ ସତ୍ୟପାଠରେ ଉଲ୍ଲେଖ କରିଥିବା ଜଣାପଡ଼ିଛି। ପୂର୍ବରୁ ଏସଡିଜେଏମ୍ କୋର୍ଟ ପକ୍ଷରୁ ଏକ ଟିମ୍ ବର୍ଷାଙ୍କ ପାଖକୁ ଯାଇ ତାଙ୍କ ବୟାନ ରେକର୍ଡ କରିଥିଲେ। ଆଜି ଅନୁଭବ ଯେଉଁ ଉତ୍ତର ରଖିଛନ୍ତି ତାହାକୁ ବର୍ଷାଙ୍କ ବୟାନ ସହ ମେଳ କରାଯିବ। ଯଦି ଅଦାଲତ ଅନୁଭବଙ୍କ ଉତ୍ତରରେ ସନ୍ତୁଷ୍ଟ ନ ହୁଅନ୍ତି ତେବେ ତାଙ୍କୁ ପରବର୍ତ୍ତୀ ନୋଟିସ୍ ହୋଇପାରେ ବୋଲି ଜଣାପଡ଼ିଛି।

ଅନ୍ୟପଟେ ଅନୁଭବ କହିଛନ୍ତି ଯେ, ସେ ଆଜି ଯେଉଁ ସବୁ ତଥ୍ୟ ଏସଡିଜେଏମ୍ କୋର୍ଟରେ ଦାଖଲ କରିଛନ୍ତି ସେସବୁ ସତ୍ୟ। ତେଣୁ କୋର୍ଟ ନିଶ୍ଚୟ ନ୍ୟାୟ ପ୍ରଦାନ କରିବେ ବୋଲି ତାଙ୍କର ବିଶ୍ୱାସ ରହିଛି।

ମାମଲାର ପରବର୍ତ୍ତୀ ଶୁଣାଣି କେବେ ହେବ ସେନେଇ କିଛି ସ୍ପଷ୍ଟ ହୋଇନାହିଁ। ତେବେ କୋର୍ଟରେ ଆଇନ ଅନୁଯାୟୀ ଏହି ମାମଲାର ବିଚାର ଚାଲିବ। କୋର୍ଟ ଯଦି ଅଧିକ କିଛି ତଥ୍ୟ ଆବଶ୍ୟକ କରନ୍ତି ତାହା ମଧ୍ୟ ଦାଖଲ କରାଯିବ ବୋଲି ବର୍ଷାଙ୍କ ଓକିଲ କହିଛନ୍ତି।ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଅନୁଭବ ଓ ତାଙ୍କ ପରିବାର ବିରୋଧରେ ପାରିବାରିକ ହିଂସା ଅଭିଯୋଗ ଆଣି କଟକ ଏସଡିଜେଏମ୍ କୋର୍ଟରେ ମାମଲା ରୁଜୁ କରିଥିଲେ। ଏଥିସହ କଟକର ପାରିବାରିକ କୋର୍ଟରେ ମଧ୍ୟ ଆଉ ଏକ ପିଟିସନ୍ ଦାଖଲ କରିଥିଲେ। ଅନ୍ୟପଟେ ସାଂସଦ ଅନୁଭବ ମହାନ୍ତି ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟରେ ଏକ ଛାଡ଼ପତ୍ର ମାମଲା ରୁଜୁ କରିଛନ୍ତି। ଏହି ମାମଲାକୁ କଟକକୁ ସ୍ଥାନାନ୍ତର କରିବା ପାଇଁ କରି ବର୍ଷା ସୁପ୍ରିମ୍‌କୋର୍ଟ ଯିବା ପରେ ଉଭୟଙ୍କ ମଧ୍ୟରେ ନଭେମ୍ବର ୩୦ ସୁଦ୍ଧା ଆପୋସ ଆଲୋଚନା ମାଧ୍ୟମରେ ବିବାଦ ସମାଧାନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

Comment