ଓଡ଼ିଶାଲାଇଭ୍ ବ୍ୟୁରୋ

ଛାତ୍ର ସମାଜର ସ୍ୱାର୍ଥ, ସ୍ୱାଭିମାନ ଓ ଅଧିକାର ପାଇଁ ଲଢ଼େଇ କରିବ ଛାତ୍ର କଂଗ୍ରେସ। ରାଜ୍ୟର ପ୍ରତିଟି କଲେଜ, ବିଶ୍ଵବିଦ୍ୟାଳୟକୁ ଯାଇ ଛାତ୍ରମାନଙ୍କ ସହ ଠିଆହେବ କଂଗ୍ରେସ। ଶନିବାର ରାଜ୍ୟ କଂଗ୍ରେସ ଭବନରେ ଆୟୋଜିତ “କମ୍ପନ” ସମାବେଶରୁ ଏପରି ସ୍ଵର ଶୁଣିବାକୁ ମିଳିଛି।

ଶନିବାର ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସର ନୂଆକରି ହୋଇଥିବା ସଭାପତି ଆସିର ନଓ୍ଵାଜଙ୍କ ନିମନ୍ତେ ଏକ ସ୍ଵାଗତ ସମ୍ଵର୍ଦ୍ଧନା ସମାବେଶ ଆୟୋଜନ ହୋଇଥିଲା।  ଏକ ବଡ଼ ରାଲି କରି ଛାତ୍ର କଂଗ୍ରେସର କର୍ମକର୍ତାମାନେ କଂଗ୍ରେସ ନେତାମାନଙ୍କୁ ମଞ୍ଚ ପର୍ଯ୍ୟନ୍ତ ଆଣିଥିଲେ। ଏହି ସମାବେଶରେ ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଧାୟକ ଦଳ ନେତା ନରସିଂହ ମିଶ୍ର ଆଦି ବରିଷ୍ଠ କଂଗ୍ରେସ ନେତାମାନେ ମଞ୍ଚରେ ଉପସ୍ଥିତ ରହି ଛାତ୍ର କଂଗ୍ରେସର କମ୍ପନ ଡାକରାକୁ ଉତ୍ସାହିତ କରିଥିଲେ।“ବିଜେଡିର ଦୀର୍ଘ ୨୦ ବର୍ଷର ଶାସନ ଭିତରେ ସବୁବେଳେ ଛାତ୍ରମାନଙ୍କୁ ଅଣଦେଖା କରାଯାଇଛି। ସେହିପରି ଦୀର୍ଘ ୬ରୁ ୭ବର୍ଷ ଧରି କେନ୍ଦ୍ରରେ ବିଜେପି ସରକାର ମଧ୍ୟ ଭାରତ ଭଳି ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଛାତ୍ରମାନଙ୍କ ଭବିଷ୍ୟତକୁ ନଷ୍ଟଆଡ଼କୁ ଠେଲି ଦେଇଛନ୍ତି। କିନ୍ତୁ ଏବେ ଛାତ୍ରମାନଙ୍କ ପ୍ରତି ହେଉଥିବା ଏହି ଅବହେଳା ବିରୋଧରେ ଛାଟ୍ର କଂଗ୍ରେସ ଲଢ଼ିବ। ସେଥିପାଇଁ ଛାତ୍ରକଂଗ୍ରେସର ଏହି କମ୍ପନର ଡାକରା ଦେଇଛି। ପ୍ରତି ଜିଲ୍ଲାର ସବୁ କଲେଜ, ବିଶ୍ଵବିଦ୍ୟାଳୟରେ ପହଞ୍ଚି ଛାତ୍ରଙ୍କ ଅଧିକାର ପାଇଁ ଲଢ଼ିବ ଛାତ୍ର କଂଗ୍ରେସ”, କହିଛନ୍ତି ଛାତ୍ର କଂଗ୍ରେସ ସଭାପତି ଆସିର ନଓ୍ଵାଜ।ଏହି ଅବସରରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ରାଜ୍ୟ ସରକାରଙ୍କ ୨୦ ବର୍ଷ ଶାସନର ହିସାବ ଦେଇ ନବୀନ ସରକାରଙ୍କ ଉପରେ ଖୁବ ବର୍ଷିଛନ୍ତି। ନିରଞ୍ଜନ କହିଛନ୍ତି ଯେ, ବିଜେଡି କେବେ ଓଡ଼ିଶା ପାଇଁ କାମ କରିନି। ଦୀର୍ଘ ୨୦ ବର୍ଷ ଶାସନ ଭିତରେ କେବେ ବି ରାଜ୍ୟକୁ ସ୍ଵତନ୍ତ୍ର ପାହ୍ୟା ଚେଷ୍ଟା କରିନି।

ଏହି ସମାବେଶରେ ଅନ୍ୟ ମାନଙ୍କ ମଧ୍ୟରେ ପିସିସିର ପୂର୍ବତନ ସଭାପତି ପ୍ରସାଦ ହରିଚନ୍ଦନ, ଜୟଦେବ ଜେନା, ବିଧାୟକ ତାରାପ୍ରସାଦ ବାହିନୀପତି, ବରିଷ୍ଠ ବିଧାୟକ ସୁରେଶ ରାଉତରାୟ, ବିଧାୟକ ସନ୍ତୋଷ ସିଂହ ସାଲୁଜା ଆଦି ପ୍ରମୂଖ ନେତାମାନେ ଉପସ୍ଥିତ ଥିଲେ।

Comment