ଓଡ଼ିଶାଲାଇଭ୍ ବ୍ୟୁରୋ

ଶନିବାର ବରିଷ୍ଠ କଂଗ୍ରେସ ନେତାଙ୍କ ସହ ଆଲୋଚନା କରିଛନ୍ତି ସୋନିଆ ଗାନ୍ଧୀ।

କଂଗ୍ରେସ ଦଳର ପରବର୍ତ୍ତୀ ଅଧ୍ୟକ୍ଷ କିଏ ହେବେ? ଗାନ୍ଧୀ ପରିବାର ନା ଅଣଗାନ୍ଧୀ ପରିବାର ହାତରେ ରହିବ କଂଗ୍ରେସ ଅଧ୍ୟକ୍ଷ ପଦ? ଏଭଳି ଅନେକ ପ୍ରଶ୍ନକୁ ନେଇ ଜାତୀୟ ରାଜନୀତି ସରଗରମ ଥିବାବେଳେ, ରାହୁଲ ଗାନ୍ଧୀ ପୁଣିଥରେ କଂଗ୍ରେସ ଅଧ୍ୟକ୍ଷ ପଦକୁ ଫେରିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି।

ଶନିବାର ଦଳୀୟ ନେତୃତ୍ୱ ଓ କଂଗ୍ରେସ କନ୍ଦଳର ସମାଧାନ ପାଇଁ ସୋନିଆ ଗାନ୍ଧୀଙ୍କ ବାସଭବନରେ ଦଳର ବରିଷ୍ଠ ନେତାମାନେ ଏକାଠି ହୋଇଥିଲେ। ପ୍ରାୟ ୫ ଘଣ୍ଟା ଧରି ଏହି ନେତାମାନେ ସୋନିଆ ଗାନ୍ଧୀଙ୍କ ସହ ଆଲୋଚନା କରିଛନ୍ତି। ଏହି ଆଲୋଚନା କାଳରେ କଂଗ୍ରେସର ଅଧ୍ୟକ୍ଷ ପଦ ପୁଣିଥରେ ରାହୁଲଙ୍କ ହାତକୁ ଯିବ ବୋଲି ଏକ ପ୍ରକାର ପକ୍କା ହୋଇଛି। ରାହୁଲ ମଧ୍ୟ ଦଳ ଯାହା ଦାୟିତ୍ୱ ଦେବ ତାହା ତୁଲାଇବାକୁ ରାଜି ଥିବା ବୈଠକରେ କହିଛନ୍ତି ବୋଲି ସୂଚନା ମିଳିଛି।ସୋନିଆଙ୍କ ସହ ଏହି ବୈଠକରେ ଗୁଲାମ ନବୀ ଆଜାଦ, ମନମୋହନ ସିଂହ, ଅଶୋକ ଗେହଲଟ, ପୃଥ୍ୱୀରାଜ ଚୌହାନ, ପି ଚିଦାମ୍ବରମ, ଆନନ୍ଦ ଶର୍ମା, ମନୀଷ ତିୱାରୀ ଓ ଶଶି ଥରୁର ଭଳି ନେତା ସାମିଲ ହୋଇଥିଲେ। ଯେଉଁମାନେ ରାହୁଲଙ୍କୁ ଅଧ୍ୟକ୍ଷ ପଦ ଦେବାକୁ ସମ୍ମତି ପ୍ରକାଶ କରିଛନ୍ତି।

କଂଗ୍ରେସରେ ଚିଠି ଯୁଦ୍ଧ

ଗତ ଅଗଷ୍ଟ ମାସରେ କଂଗ୍ରେସର ୨୩ ଜଣ ବରିଷ୍ଠ ନେତା ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ଦଳରେ ନେତୃତ୍ୱ ପରିବର୍ତ୍ତନ କରିବାକୁ ନିବେଦନ କରିଥିଲେ। ତା’ସହ ବର୍ତ୍ତମାନ କଂଗ୍ରେସରେ ସାଙ୍ଗଠନିକ ପରିବର୍ତ୍ତନ ମଧ୍ୟ ନିହାତି ଆବଶ୍ୟକ ବୋଲି ଏହି ଚିଠିରେ ଲେଖାଯାଇଥିଲା। ଯାହାକୁ ନେଇ କଂଗ୍ରେସରେ କନ୍ଦଳ ଦେଖିବାକୁ ମିଳିଥିଲା।

କିଛି ନେତା ଏହି ଚିଠିକୁ ସମର୍ଥନ କରିଥିବାବେଳେ ଅନ୍ୟ କିଛି ନେତା ଗାନ୍ଧୀ ପରିବାର ବିରୋଧରେ ଯାଇ ନେତୃତ୍ୱ ପରିବର୍ତ୍ତନ କଥାକୁ ନାପସନ୍ଦ କରିଥିଲେ। କଂଗ୍ରେସ ନେତା କପିଲ ସିବଲ ଏହି କଥାକୁ ଉଠାଇଥିବାରୁ ତାଙ୍କୁ ଚାରିଆଡୁ ସମାଲୋଚନା ଶୁଣିବାକୁ ପଡ଼ିଥିଲା। ରାହୁଲ ପୁଣି ଅଧ୍ୟକ୍ଷ ହେଲେ ଏହି କନ୍ଦଳର ଅନ୍ତ ଘଟିବ ବୋଲି କୁହାଯାଉଛି।୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ଶୋଚନୀୟ ପରାଜିତ ହେବା ପରେ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧୀ ଇସ୍ତଫା ଦେଇଥିଲେ। ଏହାପରେ ସୋନିଆଙ୍କୁ ଅନ୍ତରୀଣ ଅଧ୍ୟକ୍ଷ ଭାବେ ନିର୍ବାଚିତ କରାଯାଇଥିଲା। ମାତ୍ର ବର୍ଷକ ପାଇଁ ତାଙ୍କ କାର୍ଯ୍ୟକାଳ ଥିଲା। ସୋନିଆ କିନ୍ତୁ ଏବେ ବି କଂଗ୍ରେସର ଅଧ୍ୟକ୍ଷ ପଦରେ ରହିଛନ୍ତି। ସ୍ୱାସ୍ଥ୍ୟଗତ କାରଣରୁ ସେ ଏବେ ଦଳ ସାଙ୍ଗଠନିକ ଦାୟିତ୍ୱ ନେବାକୁ ଅମଙ୍ଗ ଥିବା ଜଣାପଡ଼ିଛି। ତେଣୁ ରାହୁଲଙ୍କ ପାଖକୁ ପୁଣିଥରେ କଂଗ୍ରେସର ନେତୃତ୍ୱ ଭାର ଯିବା ଏକପ୍ରକାର ପକ୍କା ହୋଇଛି।

Comment