ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ: କରୋନା କଟକଣା ଯୋଗୁଁ ଦୀର୍ଘ ଦିନ ଧରି ବନ୍ଦ ପଡ଼ିଛି ମନ୍ଦିର। ଦେବାଦେବୀଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଉପରେ ଲାଗିଛି ଅଙ୍କୁଶ। ନୀତିକାନ୍ତି ହେଉଥିଲେ ବି ସାଧାରଣ ଲୋକଙ୍କ ପାଇଁ ଖୋଲୁନି ଦେବାଳୟର ଦ୍ୱାର। ଏହାକୁ ନେଇ ଶ୍ରଦ୍ଧାଳୁଙ୍କ ମନରେ ଢେର ଅବଶୋଷ ରହିଛି। କିନ୍ତୁ କୋଭିଡ୍ ନିୟମ କାନୁନ୍ ଭିତରେ ରହି କେହି ଏଦିଗରେ ନିଜ ଅସନ୍ତୋଷ ଜାହିର୍ କରୁନାହାନ୍ତି।

ରାଜ୍ୟ ସରକାର ସ୍ଥାନୀୟ ଜିଲ୍ଲା ପ୍ରଶାସନ ଉପରେ ମନ୍ଦିର ଖୋଲିବା ନିଷ୍ପତ୍ତି ଛାଡ଼ିବା ପରେ କିଛି ଜିଲ୍ଲାରେ ଦେବାଦେବୀଙ୍କ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ନିଆଗଲାଣି କିନ୍ତୁ କଟକରେ ଜିଲ୍ଲା ପ୍ରଶାସନ ଏ ଦିଗରେ ଚିନ୍ତା ବି କରୁନାହିଁ। ଏହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିଲାଣି।

ଅନ୍ୟପକ୍ଷରେ କେବଳ ସାଧାରଣ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ରହିଛି। ନଚେତ୍ ଆଉ ସବୁ କାମ ମନ୍ଦିରରେ ହେଉଥିବାର ଦେଖିବାକୁ ମିଳୁଛି। ବାହାଘର, ବ୍ରତଘରଠାରୁ ଆରମ୍ଭ କରି ବୈଠକ,ସଭାସମିତି ପର୍ଯ୍ୟନ୍ତ ସବୁକିଛି ମନ୍ଦିର ପରିସରରେ ହେଉଛି କିନ୍ତୁ ଶ୍ରଦ୍ଧାଳୁଙ୍କ ପାଇଁ ନିୟମ କଡ଼ାକଡ଼ି ରହିଛି। ଏହାକୁ ନେଇ ଲୋକେ ଆପତ୍ତି ଉଠାଇଲେଣି। ଏମିତିକି ବୁଦ୍ଧିଜୀବୀ ମହଲରେ ମଧ୍ୟ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଲାଣି।ପ୍ରାଚୀନ ଯୁଗରୁ କଟକର ଅଧିଷ୍ଠାତ୍ରୀ ଦେବୀ ଭାବେ ମା’ କଟକ ଚଣ୍ଡୀଙ୍କୁ ପୂଜା କରାଯାଇଆସୁଛି। ଓଡ଼ିଶା ତଥା ଓଡ଼ିଶା ବାହାରୁ ପ୍ରତ୍ୟେକ ଦିନ ହଜାର ହଜାର ଶ୍ରଦ୍ଧାଳୁଙ୍କ ଏଠାରେ ଭିଡ଼ ଜମିଥାଏ। ଗୁରୁବାର ଏବଂ ଅନ୍ୟାନ୍ୟ ପର୍ବପର୍ବାଣୀ ସମୟରେ ମନ୍ଦିରରେ ପ୍ରବଳରୁ ଅତିପ୍ରବଳ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥାଏ କିନ୍ତୁ କରୋନା ସଂକ୍ରମଣ ବ୍ୟାପିବା ଯୋଗୁଁ ସରକାରୀ ନିଷ୍ପତ୍ତିରେ ମନ୍ଦିର ବନ୍ଦ କରାଯାଇଥିଲା।

ଏହାପରେ ମନ୍ଦିର ପରିଚାଳନା ନେଇ ଅନେକ ସମସ୍ୟା ଉପୁଜିଛି। ଶ୍ରଦ୍ଧାଳୁଙ୍କ ଅନୁପସ୍ଥିତିରେ ମନ୍ଦିର ପରିଚାଳନା ଏବେ କଷ୍ଟକର ହେଲାଣି। ପୂଜା ଖର୍ଚ୍ଚ, ନୀତିକାନ୍ତିରେ ଆବଶ୍ୟକ ସାମଗ୍ରୀ, ପୂଜକଙ୍କୁ ଦରମା ଏବଂ ଅନ୍ୟାନ୍ୟ ଖର୍ଚ୍ଚ ତୁଲାଇବା ନେଇ ମନ୍ଦିର ପରିଚାଳନା ଟ୍ରଷ୍ଟ ଚିନ୍ତାରେ ପଡିଛି। କାରଣ ମନ୍ଦିରର ଖର୍ଚ୍ଚ ବାବଦରେ କିଛି ଅନୁଦାନ ମିଳିନଥାଏ। ଶ୍ରଦ୍ଧାଳୁଙ୍କ ଦାନ,ଦକ୍ଷିଣାରେ ମନ୍ଦିରର ପରିଚାଳନା ହୁଏ କିନ୍ତୁ ମନ୍ଦିର ବନ୍ଦ ରହିବାରୁ ସବୁ ପ୍ରକାରର ସମସ୍ୟା ଉପୁଜିଛି।

LEAVE A REPLY

Please enter your comment!
Please enter your name here