ଓଡ଼ିଶାଲାଇଭ୍ ବ୍ୟୁରୋ
ସରକାର ଓ ସଙ୍ଗଠନକୁ ସୁଦୃଢ଼ କରିବାକୁ ଦଳୀୟ ନେତାଙ୍କୁ ମତାମତ ମାଗିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସୋମବାର ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ହୋଇଥିବା ରାଜ୍ୟ ପରିଷଦ ବୈଠକରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗଦେଇ ନବୀନ ଦଳୀୟ ନେତୃବୃନ୍ଦଙ୍କୁ ଏହି ମତାମତ ମାଗିଛନ୍ତି।
ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ଓ ବିଜେଡିର କାର୍ଯ୍ୟକାରିଣୀ ବୈଠକ ପରେ ସୋମବାର ଦଳର ରାଜ୍ୟ ପରିଷଦ ବୈଠକ ବସିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏଥିରେ ଅଧ୍ୟକ୍ଷତା କରୁଛନ୍ତି। ଆଜି ଦିନ ତମାମ ଏହି ବୈଠକ ବସିବ। ତେବେ ଏହି ଅବସରରେ ଦଳକୁ ଏବଂ ସରକାରରୁ କିପରି ଅଧିକ ସଙ୍ଗଠିତ ଓ ସୃଦୃଢ଼ କରାଯିବ ସେନେଇ ପରିଷଦର ସଦସ୍ୟଙ୍କଠାରୁ ମତାମତ ମଗାଯାଇଛି।
ସଦସ୍ୟମାନେ ଆଜି ସନ୍ଧ୍ୟା ସୁଦ୍ଧା ସେମାନଙ୍କ ମତାମତକୁ ଗୋଟିଏ କାଗଜରେ ଲେଖି ଏହାକୁ ବାକ୍ସରେ ପକାଇବେ। ଏହାକୁ ଦେଖିବା ପରେ ସଙ୍ଗଠନକୁ ମଜଭୁତ୍ କରିବାକୁ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି। ସୋମବାର ବିଜେଡିର ଏହି ରାଜ୍ୟ ପରିଷଦର ବୈଠକରେ ଦଳର ସମସ୍ତ ବିଧାୟକ, ସାଂସଦ, ବରିଷ୍ଠ ନେତାଙ୍କ ସହ ଅନେକ କର୍ମୀମାନେ ଯୋଗଦେଇଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକ ଭର୍ଚୁଆଲ୍ ମାଧ୍ୟମରେ ଏହି ବୈଠକ ସହ ଯୋଡ଼ି ହୋଇଥିଲେ।


















