ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜନୀତି ମଇଦାନରେ ଚଳିତବର୍ଷ ଚର୍ଚ୍ଚାରେ ରହିଥିଲେ ଏହି ନେତା।

ଚଳିତବର୍ଷ ମହାମାରୀ କରୋନା ଭାଇରସ ସାରା ବିଶ୍ୱକୁ ବିଚଳିତ କରି ରଖିଛି। ଲକଡାଉନ୍, ସଟଡାଉନ୍ ଭିତରେ ଲୋକମାନେ ନିଜ ସମୟ କାଟିଛନ୍ତି। ଶିଳ୍ପଠୁ ଆରମ୍ଭ କରି ମନୋରଞ୍ଜନ ପର୍ଯ୍ୟନ୍ତ ସବୁଠୁ କରୋନା ପ୍ରଭାବ ଦେଖିବାକୁ ମିଳିଛି। ଭାରତୀୟ ରାଜନୀତି କଥା ଯଦି କହିବା, ତେବେ ଚଳିତବର୍ଷ ସେଭଳି କୌଣସି ବଡ଼ ରାଜନୈତିକ ପରିବର୍ତ୍ତନ ଦେଖିବାକୁ ମିଳିନି; କିନ୍ତୁ ରାଜନୀତି ମଇଦାନରେ ଏଭଳି କିଛି ନେତା ଅଛନ୍ତି ଯେଉଁମାନେ ଏବର୍ଷ ହଟଚମଟ ସୃଷ୍ଟି କରି ଚର୍ଚ୍ଚାକୁ ଆସିଛନ୍ତି।ଜେପି ନଡ୍ଡା

 

ବିଜେପି ଅଧ୍ୟକ୍ଷ ପଦରୁ ଅମିତ ଶାହ ବିଦାୟ ନେବା ପରେ ଚଳିତ ବର୍ଷ ପ୍ରଥମ ମାସରେ ନଡ୍ଡାଙ୍କୁ ବିଜେପିର ନୂଆ ଅଧ୍ୟକ୍ଷ ଭାବେ ବଛାଯାଇଥିଲା। ଏପ୍ରିଲ ମାସରେ ସେ ବିଧିବଦ୍ଧ ଭାବେ ମଧ୍ୟ କାର୍ଯ୍ୟଭାର ଗ୍ରହଣ କରିଥିଲେ। ତାଙ୍କ ନେତୃତ୍ୱରେ ଦଳ ଚଳିତ ବର୍ଷ ବିହାର ନିର୍ବାଚନରେ ଚତ୍ମକାର ପ୍ରଦର୍ଶନ କରିବା ସହିତ ହାଇଦ୍ରାବାଦ ମ୍ୟୁନିସିପାଲଟି ନିର୍ବାଚନରେ ମଧ୍ୟ ସଫଳତା ପାଇଥିଲା।

୨୦୧୯ରେ ଅମିତ ଶାହ ମୋଦୀ ସରକାରରେ ଗୃହମନ୍ତ୍ରୀ ହେବା ପରଠାରୁ ନଡ୍ଡା ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ହୋଇଥିଲେ। ତାଙ୍କ ନେତୃତ୍ୱରେ ଦଳ ଦିଲ୍ଲୀରେ ପରାଜୟ ଭୋଗିଥିଲେ ମଧ୍ୟ ବିହାରରେ ତାଙ୍କର ସଫଳତା ଦଳକୁ ଉତ୍ସାହିତ କରିଛି। ଏଥର ବିହାର ନିର୍ବାଚନରେ ଶାହ ଗୋଟିଏ ବି ରାଲି କରିନଥିଲେ। ମୋଦୀଙ୍କ ଚେହେରା, ନଡ୍ଡାଙ୍କ ନେତୃତ୍ୱରେ ବିଜେପି ସେଠାରେ ମଇଦାନକୁ ଓହ୍ଲାଇଥିଲା। ପରେ ନିର୍ବାଚନ ଫଳାଫଳ ଦେଖି ରାଜନୈତିକ ପଣ୍ଡିତମାନେ ଏହାର ସମସ୍ତ ଶ୍ରେୟ ବିଜେପି ଅଧ୍ୟକ୍ଷ ନଡ୍ଡାଙ୍କୁ ଦେଇଛନ୍ତି। ଏହାସହ ଗୁଜରାଟ, କର୍ଣ୍ଣାଟକ, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶରେ ହୋଇଥିବା ଉପ-ନିର୍ବାଚନରେ ମଧ୍ୟ ଦଳ ବେଶ ଭଲ ପ୍ରଦର୍ଶନ କରିଥିଲା। ଏବେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନଜର ପଶ୍ଚିମବଙ୍ଗ ଉପରେ ପଡ଼ିଛି।ତେଜସ୍ୱୀ ଯାଦବ

ଚଳିତ ବିହାର ନିର୍ବାଚନରେ କେବଳ ବିହାର ନୁହେଁ ବରଂ ସାରା ଦେଶ ଲାଲୁ ଯାଦବଙ୍କ ପୁଅ ତେଜସ୍ୱୀ ଯାଦବଙ୍କ ତେଜ୍ ଦେଖିବାକୁ ପାଇଥିଲା। ତେଜସ୍ୱୀଙ୍କ ନେତୃତ୍ୱରେ ଏଥର ମହାମେଣ୍ଟ ଏନଡିଏକୁ କଡ୍ଡା ଟକ୍କର ଦେବା ସହିତ ୧୧୦ ସିଟ୍ ଦଖଲ କରିଥିଲା।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବିହାର ନିର୍ବାଚନ ପୂର୍ବରୁ ଫଳାଫଳ ନୀତିଶ ପକ୍ଷକୁ ଏକପାଖିଆ ହେବ ବୋଲି କୁହାଯାଉଥିଲା। ହେଲେ ତେଜସ୍ୱୀ ହିଁ ଏହି ହାୱାର ଦିଗ ବଦଳାଇ ଦେଇଥିଲେ। ଘମାସନ ପ୍ରଚାର ସାଙ୍ଗକୁ ବେରୋଜଗାରୀ, ନିଯୁକ୍ତି ଆଦିକୁ ପ୍ରସଙ୍ଗ କରି ସେ ଯୁବବର୍ଗଙ୍କ ପ୍ରିୟ ନେତା ପାଲଟିଥିଲେ। ଏଥିସହ ନିର୍ବାଚନ ଜିତିଲେ ସେ ପ୍ରଥମେ ୧୦ ଲକ୍ଷ ନିଯୁକ୍ତି ଦେବେ ବୋଲି ଘୋଷଣା କରିଥିଲେ। ଯାହା ତାଙ୍କ ନିର୍ବାଚନ ରଣନୀତିର ପ୍ରମୁଖ ପ୍ରସଙ୍ଗ ଥିଲା ବୋଲି କୁହାଯାଏ। ଫଳାଫଳ ତାଙ୍କ ପକ୍ଷରେ ଯାଇନଥିଲେ ସୁଦ୍ଧା ବିହାରରେ ଜଣେ ନେତାର ଆର୍ବିଭାବ ହୋଇଛି ବୋଲି କୁହାଯାଉଛି।ସଚିନ ପାଇଲଟ

ଚଳିତବର୍ଷ ରାଜନୈତିକ ଘଟଣାବଳୀ ମଧ୍ୟରେ ରାଜସ୍ଥାନର ଗେହଲଟ-ପାଇଲଟ ବିବାଦ ସବୁଠୁ ଅଧିକ ଚର୍ଚ୍ଚାରେ ରହିଥିଲା। ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ନିଜ ସମର୍ଥିତ ବିଧାୟକଙ୍କୁ ନେଇ ଦିଲ୍ଲୀରେ ଡେରା ପକାଇଥିଲେ। କୁହାଗଲା ଯେ, ସେ ଖୁବଶୀଘ୍ର ବିଜେପିରେ ଯୋଗଦେବେ। ଏହାପରେ ରାଜସ୍ଥାନର ଅଶୋକ ଗେହଲଟ ସରକାର ଟଳମଳ ହେବାରେ ଲାଗିଥିଲା।

ବହୁ କଂଗ୍ରେସ ନେତା ଏନେଇ ପାଇଲଟଙ୍କ ସହ କଥାବାର୍ତ୍ତା ହୋଇଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରିନଥିଲା। ଶେଷରେ ସଚିନ ପାଇଲଟଙ୍କୁ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦରୁ ମଧ୍ୟ ବାହାର କରିଦିଆଯାଇଥିଲା। ଏହାପରେ ଖୋଦ୍ ପ୍ରିୟଙ୍କା ଗାନ୍ଧୀ ଏହି ଘଟଣାରେ ହସ୍ତକ୍ଷେପ କରିବା ସହ ପାଇଲଟଙ୍କୁ ବୁଝାଇଥିଲେ। ଶେଷକୁ ପାଇଲଟ ପ୍ରିୟଙ୍କାଙ୍କ କଥାରେ ରାଜି ହେବା ସହିତ ରାଜସ୍ଥାନ ରାଜନୀତି ଝଡ଼ ଥମିଥିଲା।କେଜରିୱାଲଙ୍କ ହାଟ୍ରିକ ସରକାର

ଚଳିତବର୍ଷ ଫେବ୍ରୁଆରି ମାସରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହୋଇଥିଲା। ଯେଉଁଥିରେ ଦମଦାର ବିଜୟ ହାସଲ କରିଥିଲେ ଆପ୍ ନେତା ଅରବିନ୍ଦ କେଜରିୱାଲ। ଶାହିନବାଗ ଆନ୍ଦୋଳନ, ନାଗରିକତା ଆଇନକୁ ନେଇ ଦିଲ୍ଲୀ ରାଜନୀତି ଉଠୁଥିବା ପଡୁଥିବାବେଳେ ଏହି ନିର୍ବାଚନ ଜିତିବା କେଜରିୱାଲ ସରକାରର ସଫଳତା ବୋଲି କୁହାଯାଏ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏଠାରେ ବିଜେପିକୁ ଜିତାଇବାକୁ ସବୁ ପ୍ରକାର କସରତ କରିଥିଲେ। ଘମାସନ ପ୍ରଚାର ମଧ୍ୟ ହୋଇଥିଲା, ହେଲେ ଶେଷରେ ଆମ୍ ଆଦମୀ ପାର୍ଟି ୭୦ରୁ ୬୨ସିଟରେ ଦମଦାର ବିଜୟ ହାସଲ କରିଥିଲା।ଅସଉଦ୍ଧିନ ଔବୈସୀ

ଦେଶର ମୁସଲିମ୍ ସଂପ୍ରଦାୟର ଜଣେ ଆଗଧାଡ଼ିର ନେତା ଭାବେ ଅସଉଦ୍ଧିନ ଔବୈସୀ ବେଶ ପରିଚିତ। ତାଙ୍କ ଦଳ ଏଆଇଏମ୍ଆଇଏମ୍ ଏଥର ବିହାର ନିର୍ବାଚନରେ ଯେଉଁ ସଫଳତା ପାଇଥିଲା ତାକୁ ନେଇ ଜାତୀୟ ରାଜନୀତିରେ ବି ଆଲେଚନା ଜୋର ଧରିଥିଲା। ଏଆଇଏମ୍ଆଇଏମର ପାଞ୍ଚ ଜଣ ପ୍ରାର୍ଥୀ ଏଥର ବିହାର ନିର୍ବାଚନରେ ଜିତାପଟ ହାସଲ କରିଥିଲେ। ଯାହାଫଳରେ ଔବୈସୀଙ୍କ ଦଳ ଏକ ଜାତୀୟ ପାର୍ଟି ଭାବେ ଯୋଗ୍ୟତା ହାସଲ କରିଛି। ଏହାସହ ହାଇଦ୍ରାବାଦ ମ୍ୟୁନିସିପାଲଟି ନିର୍ବାଚନରେ ବି ବିଜେପିର ଜୋରଦାର କସରତ ପରେ ମଧ୍ୟ ଦଳ ନିଜର ସିଟ୍ ବଞ୍ଚାଇବାକୁ ସକ୍ଷମ ହୋଇଛି।

Comment