ଓଡିଶାଲାଇଭ୍‌ ବ୍ୟୁରୋ

ଶାସକ ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟରେ ଏସଇବିସି(ସାମାଜିକ ଓ ଅର୍ଥନୈତିକ ପଛୁଆ)ଙ୍କ ଏକ ସର୍ଭେ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହାକୁ କିନ୍ତୁ ବିରୋଧୀ ଦଳମାନେ ଭଲରେ ଗ୍ରହଣ କରିନାହାନ୍ତି। ଏହି ପଦକ୍ଷେପକୁ ‘ଚକମା’ ବୋଲି ବିରୋଧୀ ଅଭିହିତ କରୁଛନ୍ତି।

ବିଜେଡ଼ି ଯେଉଁ ସର୍ଭେ କରିବା ପାଇଁ ଯାଉଛି ତା’ ପଛରେ ଆପାତତଃ ଦୁଇଟି ଯୁକ୍ତି ରହିଛି। ଗୋଟିଏ ଯୁକ୍ତି ହେଲା ଏହା ଦଳର ଭାବମୂର୍ତ୍ତି ବଢାଇବ। ଦ୍ଵିତୀୟ ଯୁକ୍ତି ହେଉଛି ଏହି ବର୍ଗର ଲୋକଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ଅଧାଅଧି।

ଶାସକ ଦଳ ବାସ୍ତବରେ ଏହି କସରତ ପ୍ରାୟ ବର୍ଷେ ତଳୁ ଆରମ୍ଭ କରିଛି। ମନେ ପକାଇ ଦିଆ ଯାଇପାରେ ଯେ  ୨୦୨୧ ଜନଗଣନା ସହ ଏକ ସାମାଜିକ ଅର୍ଥନୈତିକ ଗଣନା ମଧ୍ୟ ହେବା ଦରକାର ବୋଲି କିଛି ମାସ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ସୁପାରିଶ କରିଥିଲେ। ଏହାର କିଛି ଦିନ ପରେ ରାଜ୍ୟ ବିଧାନସଭାରେ ଏନେଇ ଏକ ପ୍ରସ୍ତାବ ମଧ୍ୟ ଗୃହୀତ ହୋଇଥିଲା। ଏହି ପ୍ରସ୍ତାବରେ ଓଡ଼ିଶା ପଛୁଆ ବର୍ଗ କମିସନକୁ ଏସଇବିସି ସର୍ଭେ କରିବା ପାଇଁ ମଧ୍ୟ କ୍ଷମତା ଦିଆ ଯାଇଥିଲା।

ଯେତେବେଳେ କରୋନା ମହାମାରୀ ଆସିଲା ସରକାର ବାଧ୍ୟ ହୋଇ ଏହି ସର୍ଭେକୁ ବନ୍ଦ କରିଥିଲେ। ତେବେ ଏହି ବିଷୟଟି  ନିକଟରେ ଅନୁଷ୍ଠିତ ବିଜେଡିର ରାଜ୍ୟ ପରିଷଦ ବୈଠକରେ ଉଦଯାପିତ ହୋଇଥିଲା। ବୈଠକରେ ଏନେଇ ଏକ ପ୍ରସ୍ତାବ ମଧ୍ୟ ଗ୍ରହଣ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସଇବିସି ସର୍ଭେକୁ ହଁ ମାରିଥିବା ଜଣାପଡ଼ିଛି।

ରାଜନୈତିକ ବିଶେଷଜ୍ଞମାନଙ୍କ ମତରେ ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ନିର୍ବାଚନ ଜାତି ଭିତ୍ତିରେ ହୁଏ ନାହିଁ। କିନ୍ତୁ ଜାତି କଥାକୁ ବିଚାରକୁ ନେଇ ଆଗକୁ  ଭୋଟ ଲୋଡ଼ିବାର ସମ୍ଭାବନା ଥିବାରୁ ବିଜେଡ଼ି ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

ବିଗତ କୋଡ଼ିଏ ବର୍ଷ ମଧ୍ୟରେ ବିଭିନ୍ନ କଲ୍ୟାଣ ଯୋଜନା ମାଧ୍ୟମରେ ବିଜେଡ଼ି ରାଜ୍ୟର ପ୍ରାୟ ସବୁ ବର୍ଗର ମନ କିଣିପାରିଛି। ତଥ୍ୟ କହୁଛି ରାଜ୍ୟରେ ଓବିସି ବା ଅନ୍ୟ ପଛୁଆ ବର୍ଗଙ୍କ ସଂଖ୍ୟା ୫୪ ପ୍ରତିଶତ। ଏଣୁ ଏ ସମସ୍ତଙ୍କ ଆନୁଗତ୍ୟ ବିଜେଡ଼ି ଚାହୁଁଛି। ସୂଚନା ଅନୁସାରେ, ଓଡ଼ିଶାରେ ୨୦୯ଟି ପଛୁଆ ବର୍ଗ ରହିଛି।

ବିଜେଡିର ଏହି ନିଷ୍ପତ୍ତିକୁ କଡ଼ା ସମାଲୋଚନା କରିଛନ୍ତି ବିଜେପି ଓବିସି ସେଲର ପୂର୍ବତନ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ପାତ୍ର। ସେ ଏହାକୁ ଏକ ରାଜନୈତିକ ଚାଲ ବୋଲି କହିଛନ୍ତି। ଯଦି ବିଜେଡ଼ିର ଓବିସିଙ୍କ ପାଇଁ ଏତେ ଦରଦ, ସେମାନଙ୍କୁ ୨୭ ପ୍ରତିଶତ ସଂରକ୍ଷଣ କାହିଁକି ଦେଉନାହିଁ ବୋଲି ପାତ୍ର କୃଷ୍ଣଚନ୍ଦ୍ର ପାତ୍ର ପ୍ରଶ୍ନ କରିଛନ୍ତି।

ବିରୋଧୀ ଦଳର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଜେଡ଼ି ସାଧାରଣ ସମ୍ପାଦକ ବିଜୟ ନାୟକ। ସେ କହିଛନ୍ତି ରାଜ୍ୟରେ ପ୍ରକୃତରେ କେତେ ପଛୁଆ ବର୍ଗର ଲୋକ ଅଛନ୍ତି ତାହା ଜାଣିବା ନିତାନ୍ତ ଜରୁରୀ। ଏକଥା ଜାଣିଲେ ଯାଇ ସମସ୍ତଙ୍କ ବିକାଶ କଥା ଚିନ୍ତା କରାଯାଇପାରିବ। ‘ଅନ୍ତର୍ଭୁକ୍ତି’ କଥାରେ ନୁହେଁ କାର୍ଯ୍ୟରେ ହେବା ଉଚିତ ବୋଲି ସେ କହିଛନ୍ତି। ଓଡ଼ିଶାରେ ଜାତି ଭିତ୍ତିକ ଗଣନା ନବେ ବର୍ଷ ତଳେ ବା ୧୯୩୧ରେ ହୋଇଥିଲା। ଶହେ ବର୍ଷ ତଳର ଡାଟାକୁ ଧରି ସରକାର ପଛୁଆ ବର୍ଗ ପାଇଁ କେମିତି ଯୋଜନା କରିବେ ବୋଲି ସେ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି।

Comment