ଓଡ଼ିଶାଲାଇଭ୍ ବ୍ୟୁରୋ

  • ଢେଙ୍କାନାଳରେ ବିଜେପିର କୃଷକ ସମ୍ମିଳନୀ
  • ନୂଆ କୃଷି ଆଇନ ଯୋଗୁଁ ଚାଷୀଙ୍କର ଲାଭ ବଢ଼ିବ: ଧର୍ମେନ୍ଦ୍ର
  • କଂଗ୍ରେସ, ବିଜେଡି ଉପରେ ବର୍ଷିଲେ ଧର୍ମେନ୍ଦ୍ର

ଭାରତୀୟ ଜନତା ପାର୍ଟି ଢେଙ୍କାନାଳ ଶାଖା ପକ୍ଷରୁ ଶନିବାର ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ଏକ କୃଷକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏଥିରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନୂଆ କୃଷି ଆଇନ ବିଷୟରେ ଲୋକମାନଙ୍କୁ ସଚେତନ କରିବା ସହ ଏହି ଆଇନରୁ ଚାଷୀମାନେ କିପରି ଫାଇଦା ପାଇପାରିବ ସେ ବାବଦରେ କହିଛନ୍ତି। ଏଥିସହ ଦେଶରେ ନୂଆ କୃଷି ଆଇନକୁ ନେଇ ଚାଷୀ ଭାଇମାନଙ୍କୁ ଭୂଲ ସୂଚନା ଦିଆଯାଉଥିବା ଧର୍ମେନ୍ଦ୍ର କହିଛନ୍ତି।ଏହି କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଚାଷୀଙ୍କୁ ଆତ୍ମନିର୍ଭର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଜନା ଆରମ୍ଭ କରିଛନ୍ତି। ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବାକୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି, କୃଷିକୁ ବ୍ୟବସାୟର ରୂପ ଦେବା ପାଇଁ ପଦକ୍ଷେପ ନିଆଯାଇଛି। ନୂଆ କୃଷି ଆଇନ ଯୋଗୁଁ ଚାଷୀଙ୍କର ଲାଭ ବଢ଼ିବ। ଏହାକୁ ନେଇ ଚାଷୀଙ୍କ ମନରେ ଅଯଥା ଡର, ଭ୍ରମ ତିଆରି କରାଯାଉଛି”, କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କଂଗ୍ରେସ ଏବଂ ବିଜେଡିକୁ ଟାର୍ଗେଟ କରି ଧର୍ମେନ୍ଦ୍ର କହିଛନ୍ତି ଯେ, ଚାଷୀଙ୍କ ଜମି ବଡ଼ କମ୍ପାନି କିଣିନେବେ ବୋଲି ଭ୍ରମିତ କରାଯାଉଛି। ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଉଠାଇ ଦିଆଯିବ ବୋଲି ଭ୍ରମିତ କରାଯାଉଛି। ନୂଆ କୃଷି ଆଇନକୁ ନେଇ କଂଗ୍ରେସ ଏପରି ସମାଲୋଚନା କରୁଛି, ଆଉ ଶାସକ ଦଳ ବିଜେଡି ସେଥିରେ ଟିକେ ନଖ ଘଷି ଦେଉଛି।ରାଜ୍ୟରେ କେନ୍ଦ୍ର ପ୍ରଦତ୍ତ କୃଷି ସୁବିଧାଗୁଡ଼ିକର ହିସାବ ଦେଇଛନ୍ତି ଧର୍ମେନ୍ଦ୍ର। ୨୦୧୩-୧୪ରେ ଧାନ ଏମଏସପି ଥିଲା ୧୩୧୦ ଟଙ୍କା, ଏବେ ଏହା ୧୮୧୫ ଟଙ୍କା ହୋଇଛି। ଏମଏସପି ଟଙ୍କା ମୋଦୀ ଦେଇଛନ୍ତି, ଆଉ ରାଜ୍ୟ ସରକାର ସେଥିରେ ହେରଫେର କରିଛନ୍ତି ବୋଲି ଧର୍ମେନ୍ଦ୍ର ଅଭିଯୋଗ କରିଛନ୍ତି। ସେହିପରି ସମବାୟ ମନ୍ତ୍ରୀଙ୍କ ଭାଇଙ୍କ ନାଁରେ ଆସିଥିବା ଦୁର୍ନୀତି ବାବଦରେ ସେ କହିଛନ୍ତି ଯେ, ଏହି ଦୁର୍ନୀତି କେବଳ ଆଠଗଡ଼ରେ ସୀମିତ ନୁହେଁ। ଏହା ଗଁଦିଆ, ପାଲଲହଡ଼ା, ଆଠମଲ୍ଲିକକୁ ବ୍ୟାପିଛି।

ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କାଳିଆ ଟଙ୍କାର ହିସାବ ମାଗିଛନ୍ତି ଧର୍ମେନ୍ଦ୍ର। ଯିଏ ଚାଷୀଙ୍କୁ ଠକିବ, ସେ ନିଜେ ଠକାମିର ଫଳ ପାଇବ ବୋଲି ଧର୍ମେନ୍ଦ୍ର କହିଛନ୍ତି। ଏଥିସହ ବିଗତ ୬ ବର୍ଷରେ ଓଡ଼ିଶା ଚାଷୀଙ୍କ ପାଇଁ ମୋଦୀ ୬୦ ହଜାର କୋଟି ଦେଇଥିବା ବାବଦରେ ମଧ୍ୟ ସେ କହିଛନ୍ତି।ଏହି କାର୍ଯ୍ୟକ୍ରମରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପୂର୍ବତନ ରାଜସ୍ଵ ମନ୍ତ୍ରୀ ମନମୋହନ ସାମଲ, ରାଜ୍ୟ କୃଷକ ମୋର୍ଚ୍ଚାର ସଭାପତି ପ୍ରଦୀପ ପୁରୋହିତ, ବିଜେପି ନେତ୍ରୀ ପିଙ୍କି ପ୍ରଧାନ, ଢେଙ୍କାନାଳର ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣି, ଅନୁଗୁଳ ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନ, ପୂର୍ବତନ ବିଧାୟକ କୃଷ୍ଣ ଚନ୍ଦ୍ର ପାତ୍ର, ଢେଙ୍କାନାଳ ବିଜେପି ପ୍ରଭାରୀ ପ୍ରଭାତି ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ଓ ଅନଗୁଳ ଜିଲ୍ଲାର ବହୁ ଚାଷୀ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here