ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବିଜୁ ଜନତା ଦଳକୁ ପୂରିଛି ୨୩ ବର୍ଷ। ଶନିବାର ଦଳର ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ପ୍ରତିଷ୍ଠା ଦିବସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମହିଳା କାର୍ଡ ଖେଳିଛନ୍ତି। ଏହାକୁ ନେଇ ଏବେ ରାଜନୀତି କରିଡରରେ ଚର୍ଚ୍ଚା ହେଉଛି।

ପ୍ରତିଷ୍ଠା ଦିବସରେ ନବୀନଙ୍କ ପୂରା ଭାଷଣରେ କେବଳ ମହିଳା ସଶକ୍ତିକରଣ କଥା ଶୁଣିବାକୁ ମିଳିଛି। ଦେଶର ଏକମାତ୍ର ଦଳଭାବେ ବିଜେଡି ହିଁ ମହିଳାମାନଙ୍କ ସ୍ଵାର୍ଥ ପାଇଁ ଲଢୁଥିବା ନବୀନ କହିଛନ୍ତି। ତେବେ ମହିଳା କାର୍ଡ ଖେଳିବା ବିଜେଡି ପାଇଁ କିଛି ନୂଆ ନୁହେଁ। କାହିଁକି ନା ଦଳ ପ୍ରଥମରୁ ହିଁ ମହିଳା ଭୋଟରଙ୍କୁ ଗୁରୁତ୍ଵ ଦେଇ ଆସୁଛି। ତେଣୁ ମହିଳାମାନେ ହିଁ ବିଜେଡିର ମୁଖ୍ୟ ଭୋଟବ୍ୟାଙ୍କ ସାଜିଛନ୍ତି ବୋଲି ରାଜନୀତିକ ପଣ୍ଡିତମାନେ କହିଛନ୍ତି।ନବୀନଙ୍କୁ ଜଣା ମହିଳା ଭୋଟରଙ୍କ ଶକ୍ତି

ଦୀର୍ଘ ୨୦ ବର୍ଷର ଶାସନ ଭିତରେ ନବୀନ ଓଡ଼ିଶାର ଭୋଟରମାନଙ୍କ ପଲିସିକୁ ବେଶ୍ ଭଲଭାବେ ବୁଝି ପାରିଛନ୍ତି। ରାଜ୍ୟରେ ମହିଳା ଭୋଟର ଯେ ଦଳକୁ ବିଜୟ ବାନା ଉଡ଼ାଇବାରେ ସଫଳ କରିପାରିବ ତାହା ନବୀନ ହୃଦୟଙ୍ଗମ କରିଛନ୍ତି। ତେଣୁ ମହିଳାମାନଙ୍କ ପାଖରୁ କିପରି ଭୋଟ ସଂଗ୍ରହ କରାଯାଇପାରିବ ସେଥିପାଇଁ ରାଜ୍ୟରେ ଅନେକ ବିକାଶମୂଳକ ଯୋଜନା ଆପଣାଇଛନ୍ତି ନବୀନ।

ମହିଳାମାନଙ୍କ ପାଇଁ ନବୀନ ସରକାର ୨୦୧୪ ନିର୍ବାଚନ ପୂର୍ବରୁ ଯେତିକି ଯୋଜନା କରିଥିଲେ ତାହା ମହିଳାମାନଙ୍କୁ ଆକୃଷ୍ଟ କରିଥିଲା। ମିଶନ ଶକ୍ତି, ମମତା ଯୋଜନା, ପଞ୍ଚାୟତ ଏବଂ ପୌର ଭୋଟରେ ମହିଳାମାନଙ୍କ ପାଇଁ ୫୦ ପ୍ରତିଶତ ଆସନ ସଂରକ୍ଷଣ ବ୍ୟବସ୍ଥା କରି ନବୀନ ମହିଳାମାନଙ୍କର ମନ ଜିଣିଥିଲେ। ଏହାସହ ଗାଁ ଗହଳିରେ ଅଙ୍ଗନବାଡ଼ି କର୍ମୀଙ୍କୁ ପ୍ରୋତ୍ସାହିତ କରି ମାତୃ ଏବଂ ଶିଶୁର ଯତ୍ନ ଉପରେ ଗୁରୁତ୍ୱ ଦେଇଥିଲେ ନବୀନ ସରକାର।୨୦୧୪ ନିର୍ବାଚନରେ ୧ କୋଟି ୩୯ ଲକ୍ଷ ୮୭ ହଜାର ୧୮୩ ମହିଳା ଭୋଟରଙ୍କ ନାଁ ପଞ୍ଜିକୃତ ହୋଇଥିଲା। ସେଥିମଧ୍ୟରୁ ୧ କୋଟି ୪ ଲକ୍ଷ ୩୭ ହଜାର ୫୩୭ ମହିଳା ଭୋଟ ଦେଇଥିଲେ। ସେଥିମଧ୍ୟରୁ ଅଧିକାଂଶ ମହିଳା ବିଜେଡି ସପକ୍ଷରେ ଭୋଟ ଦେଇଥିବା କୁହାଯାଇଥିଲା। ତେଣୁ ମହିଳାଙ୍କ ଭୋଟ ପାଇଁ ୨୦୧୪ରେ ବିଜେଡି ନିର୍ବାଚନ ବୈତରଣୀ ପାର୍ ହୋଇଥିଲା। ମହିଳା କାର୍ଡ ହିଁ ୨୦୧୪ରେ ବିଜେଡି ପାଇଁ ଭଲ କାମ ଦେଇଥିବା ରାଜନୀତି ପଣ୍ଡିତମାନେ କହିଥିଲେ। ଫଳରେ ବିଜେଡି ମହିଳା ଭୋଟରଙ୍କ ଭୋଟ ପାଇ ସରକାର ଗଢ଼ିବାକୁ ସମର୍ଥ ହୋଇଥିଲା।୨୦୧୯ ନିର୍ବାଚନରେ ବି ମାଷ୍ଟର ଷ୍ଟ୍ରୋକ୍

ଲୋକସଭା ଏବଂ ବିଧାନସଭାରେ ୩୩ ପ୍ରତିଶତ ମହିଳା ସଂରକ୍ଷଣକୁ ନେଇ ଯେତେବେଳେ ସାରା ଦେଶରେ ବିତର୍କ ଚାଲିଥିଲା ଠିକ୍ ସେତିକି ବେଳେ ବିଜେଡି ମାଷ୍ଟର ଷ୍ଟ୍ରୋକ ଖେଳିଥିଲେ। ୨୦୧୯ ନିର୍ବାଚନରେ ଲୋକସଭା ଆସନରେ ୩୩ ପ୍ରତିଶତ ମହିଳାଙ୍କୁ ଟିକେଟ ଦେଇ ନବୀନ ବିଜୟୀ ହେବା ପାଇଁ ଅଙ୍କ କଷିଥିଲେ। ରାଜ୍ୟର ମୋଟ୍ ୨୧ଟି ଲୋକସଭା ଆସନରୁ ୭ଟି କ୍ଷେତ୍ରରେ ମହିଳାଙ୍କୁ ଟିକେଟ ଦେଇଥିଲା ବିଜେଡି।

ଆସ୍କା ଲୋକସଭା ଆସନରୁ ପ୍ରମିଳା ବିଷୋୟୀ ନିର୍ବାଚନ ଜିତି ବେଶ ଚର୍ଚ୍ଚାକୁ ଆସିଥିଲେ। ସେହିପରି କୋରାପୁଟରୁ କୌଶଲ୍ୟା ହିକ୍‌କା, ଭଦ୍ରକରୁ ମଞ୍ଜୁଲତା ମଣ୍ଡଳ, ଯାଜପୁରରେ ଶର୍ମିଷ୍ଠା ସେଠୀ, ଜଗତସିଂହପୁରରୁ ରାଜଶ୍ରୀ ମଲ୍ଲିକ ଏବଂ କେନ୍ଦୁଝରରୁ ଚନ୍ଦ୍ରାଣୀ ମୁର୍ମୁ ନବୀନଙ୍କ ଶକ୍ତି ସାଜିଥିଲେ।ଜାତୀୟ ଦଳକୁ ଟାର୍ଗେଟ

ମହିଳାମାନଙ୍କୁ ଅଗ୍ରାଧୀକାର ଦେବା କ୍ଷେତ୍ରରେ ଜାତୀୟ ଦଳକୁ ଟାର୍ଗେଟ କରିଛନ୍ତି ନବୀନ। ଦଳର ୨୪ତମ ପ୍ରତିଷ୍ଠା ଦିବସରେ ନବୀନ କହିଛନ୍ତି ଯେ, ନିର୍ବାଚନ ଆସିଲେ ଜାତୀୟ ଦଳମାନେ ସେମାନଙ୍କ ନିର୍ବାଚନୀ ଇସ୍ତାହାରରେ ମହିଳା ସଶକ୍ତିକରଣ କଥା ରଖିଥାନ୍ତି। କିନ୍ତୁ ନିର୍ବାଚନ ସରିଲା ପରେ ସେମାନଙ୍କର ପ୍ରତିଶ୍ରୁତି ଭୁଲି ଯାଆନ୍ତି। କେବଳ ବିଜୁ ଜନତା ଦଳ ହିଁ ପ୍ରଥମରୁ ମା’ମାନଙ୍କ କଥା କହିଆସିଛି, ସେମାନଙ୍କ ଅଧିକାର ପାଇଁ ଲଢ଼ିଛି। ତେଣୁ ଏବେଠାରୁ ବିଧାନସଭା, ଲୋକସଭା, ରାଜ୍ୟସଭାର ପ୍ରତିଟି ଅଧିବେସନରେ ବିଜେଡି ଜାତୀୟ ଦଳମାନଙ୍କୁ ମା’ମାନଙ୍କ ହକ୍ କଥା ମନେପକାଇ ଦେବ।

ଆଗକୁ ରାଜ୍ୟରେ ପୌର ଏବଂ ପଞ୍ଚାୟତ ନିର୍ବାଚନ ଆସୁଛି। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଏହି ମହିଳା କାର୍ଡ ଖେଳିବା ନିର୍ବାଚନୀ ପାଇଁ ପ୍ରାକ୍ ପ୍ରସ୍ତୁତି ବୋଲି ଶୁଣିବାକୁ ମିଳୁଛି।

LEAVE A REPLY

Please enter your comment!
Please enter your name here