ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାମାରୀ କରୋନା କାଳରେ ନିଜକୁ ସୁରକ୍ଷିତ ରଖିବା ପାଇଁ ମଣିଷ ସବୁ ପ୍ରକାର ଚେଷ୍ଟା କରୁଥିଲା। ବିଭିନ୍ନ ପ୍ରକାର ସତର୍କତା ଆପଣେଇ ଲୋକେ ଘରୁ ବାହାରୁଥିଲେ। କିନ୍ତୁ ଘର ବାହାରେ ବି ବିପଦ ଜଗି ରହିଥିଲା। ଲେବାନନର ରାଜଧାନୀ ବେରୁଟ ଓ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ୨୦୨୦ରେ ଘଟିଥିବା ଭୟଙ୍କର ବିସ୍ଫୋରଣ ଏହାର ଉଦାହରଣ।

ଅଗଷ୍ଟ ୪ର ଘଟଣା। ଏକ ଭୟଙ୍କର ବିସ୍ଫୋରଣରେ ଥରିଥିଲା ଲେବାନନର ରାଜଧାନୀ ବେରୁଟ। ରାତି ଅନ୍ଧାରେ ଅଚାନକ ଏହି ବିସ୍ଫୋରଣ ଘଟିଥିଲା। କିଏ ବିଛି ବୁଝିବା ଆଗରୁ ଲାଲ ରଙ୍ଗର ଧୁଆଁ ପୂରା ଆକାଶରେ ଛାଇଯାଇଥିଲା। ଦେଖୁ ଦେଖୁ ଏହି ବିସ୍ଫୋରଣରେ ପ୍ରାୟ ୮୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ।

୨୦୧୪ ମସିହାରୁ କିଛି ଜାହାଜରୁ ଜବତ ହୋଇଥିବା ଆମୋନିୟମ ନାଇଟ୍ରେଟ ବନ୍ଦର ଷ୍ଟୋର ରୁମ୍‌ରେ ଗଚ୍ଛିତ ରହିଥିଲା। ଅତ୍ୟଧିକ ଚାପ ଓ ଉତ୍ତାପ ବୃଦ୍ଧି ଯୋଗୁଁ ବିସ୍ଫୋରଣ ହୋଇଥିବା ପରେ ଜଣା ପଡ଼ିଲା। ସେହିପରି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ବନ୍ଦର ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ ହୋଇଯାଇଥିଲା। ବିସ୍ଫୋରଣ ପ୍ରଭାବରେ ବେରୁଟରେ ଭୂମିକମ୍ପ ମଧ୍ୟ ସୃଷ୍ଟି ହୋଇଥିଲା।

ଏହି ଘଟଣା ପରେ ଲେବାନନରେ ୨ ସପ୍ତାହ ଯାଏଁ ଜରୁରୀ ପରିସ୍ଥିତି ଘୋଷଣା ହୋଇଥିଲା।  ଘଟଣାକୁ ମାସ ମାସ ବିତିଯାଇଥିଲେ ବି ସେହି ଭୟାନକ ମୁହୂର୍ତ୍ତକୁ ଭୁଲି ପାରିନାହାନ୍ତି ଲୋକେ।

ଭୁବନେଶ୍ୱର ପେଟ୍ରୋଲ ପମ୍ପରେ ବିସ୍ଫୋରଣ

ଲେବାନନ ଭଳି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରେ ମଧ୍ୟ ସେହିଭଳି ଏକ ଭୟଙ୍କର ବିସ୍ଫୋରଣ ଘଟିଥିଲା। ଯେଉଁ ଘଟଣାରେ ଥରିଥିଲା ଅଧା ଭୁବନେଶ୍ୱର। ରାଜଭବନ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପରେ ଏହି ଦୁର୍ଘଟଣା ଘଟିଥିଲା। ଟାଙ୍କିରେ କାମ ଚାଲିଥିଲା ବେଳେ ଅଚାନକ ନିଆଁ ଲାଗିଯାଇ ଏହି ଅଗ୍ନିକାଣ୍ଡ ଘଟିଥିଲା ବୋଲି ପରେ ଜଣାପଡ଼ିଥିଲା। ଏଠାରେ କାମ କରୁଥିବା ୨ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ମଧ୍ୟ ଘଟିଥିଲା।

ବିସ୍ଫୋରଣର ମାତ୍ରା ଏତେ ଭୟଙ୍କର ଥିଲା ଯେ ପ୍ରାୟ ୧ କିଲୋମିଟର ଯାଏଁ ଭୂମିକମ୍ପ ହେଲାଭଳି ଅନୁଭବ ହୋଇଥିଲା ବୋଲି ସ୍ଥାନୀୟ ଲୋକେ କହିଥିଲେ। ଏମିତିକି ଘଟଣା ସ୍ଥଳରେ ପୋଡ଼ା ମାଂସ, ହାଡ଼ ଆଦି ପଡ଼ିଥିବା ଦେଖିବାକୁ ମିଳିଥିଲା। ଏଭଳି ଘଟଣା ରାଜ୍ୟ ପାଇଁ ପ୍ରଥମ ଥିଲା।

Comment