ଓଡ଼ିଶାଲାଇଭ ବ୍ୟୁରୋ

ଦେଶର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସ ସୋମବାର ୧୩୬ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। ଏହି ଅବସରରେ ଦେଶର ବିଭିନ୍ନ ସ୍ଥାନରେ ନେତା, କର୍ମୀମାନେ ଏହି ଦିବସକୁ ପାଳନ କରୁଛନ୍ତି। ଓଡ଼ିଶାର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରତିଷ୍ଠା ଦିବସ ଉପଲକ୍ଷେ ଦଳୀୟ ନେତା କର୍ମୀଙ୍କୁ କଂଗ୍ରେସର ନୀତି ଆଦର୍ଶରେ ଆଗକୁ ବଢ଼ିବାକୁ ଆହ୍ୱାନ ଦେଇଛନ୍ତି।

‘‘କଂଗ୍ରେସ ଦଳ ପ୍ରତିଷ୍ଠା ହେବାର ୧୩୬ ବର୍ଷ ହୋଇଗଲା। ଏହାରି ଭିତରେ ଆମ ଦେଶ ସ୍ୱାଧୀନତା ହାସଲ କରିଥିଲା। ଏଥିରେ କଂଗ୍ରେସର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। କଂଗ୍ରେସ ଆଦର୍ଶରେ ଅନୁପ୍ରାଣୀତ କୋଟି କୋଟି ଲୋକ ଦଳରେ ସାମିଲ ହୋଇଥିଲେ। ଦେଶ ପାଇଁ ସ୍ୱାଧୀନତା ଆଣିଥିଲେ। ଏବେ ଭାରତର ଏକ ବୃହତ ଗଣତାନ୍ତ୍ରିକ ରାଷ୍ଟ୍ର। କିନ୍ତୁ ଯଦି ଆମେ ସେହି ଆଦର୍ଶରେ କାମ ନକରିବା ତେବେ ଗଣତନ୍ତ୍ର ମୂଲ୍ୟହୀନ ହୋଇପଡ଼ିବ। ତେବେ ଆସନ୍ତୁ ପୁଣିଥିରେ ସେହି ଆଦର୍ଶରେ ଅନୁପ୍ରାଣୀତ ହେବା’’, କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

ଅନ୍ୟପଟେ କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦଳୀୟ ନେତା, କର୍ମୀଙ୍କୁ ଶୁଭେଚ୍ଛା ଦେବା ସହିତ କଂଗ୍ରେସର ସଚ୍ଚୋଟତା, ସମାନତା ଓ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି।

କଂଗ୍ରେସ ଦଳର ସ୍ଥାପନା ବା ପ୍ରତିଷ୍ଠା ବ୍ରିଟିଶ ଶାସନକାଳରୁ ହୋଇଥିଲା। ୧୮୮୫ ମସିହାରେ ଏହି ଦଳ ଗଠନ ହୋଇଥିଲା। ଦେଶ ସ୍ଵାଧୀନ ହେବାପରେ କଂଗ୍ରେସ ଦେଶର ପ୍ରଥମ ବଡ଼ ରାଜନୈତିକ ଦଳ ହୋଇଥିଲା। ଜାତୀୟ ରାଜନୀତିରେ କଂଗ୍ରେସର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ କଂଗ୍ରେସ ପକ୍ଷରୁ ୭ ଜଣ ପ୍ରଧାନମନ୍ତ୍ରୀ ହୋଇଛନ୍ତି। କଂଗ୍ରେସ ପକ୍ଷରୁ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ହୋଇଥିଲେ। ଶେଷରେ ମନମୋହନ ସିଂହ ପ୍ରଧାନମନ୍ତ୍ରୀ ରହିଥିଲେ। ତେବେ ଆଗକୁ ମଧ୍ୟ କଂଗ୍ରେସ ପକ୍ଷରୁ କେହି ଦେଶର ପ୍ରଧାନମନ୍ତ୍ରୀ ହେବେ ସେନେଇ ଆଶବାଦୀ ରହିଛି କଂଗ୍ରେସ।

Comment