ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତବର୍ଷ ଓଲିଉଡର ସୁପରହିଟ୍ ଯୋଡ଼ି ଅନୁଭବ ଓ ବର୍ଷାଙ୍କ ବିବାଦ ଚର୍ଚ୍ଚାରେ ରହିଥିଲା।

ଚଳିତବର୍ଷ ଓଲିଉଡର ସୁପରହିଟ୍ ଯୋଡ଼ି ବର୍ଷା-ଅନୁଭବଙ୍କ ବିବାହ ବିବାଦ ଚର୍ଚ୍ଚାରେ ରହିଥିଲା। ଗୋଟିଏ ପଟେ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ହିଂସା ଅଭିଯୋଗ ଏବଂ ଅନ୍ୟପଟେ ଅନୁଭବ ମହାନ୍ତିଙ୍କ ଛାଡ଼ପତ୍ର ମାମଲାକୁ ନେଇ ରାଜ୍ୟ ରାଜନୀତି ମଧ୍ୟ ସରଗରମ ହୋଇଥିଲା।

ଅନୁଭବଙ୍କ ବିରୋଧରେ ପାରିବାରିକ ହିଂସା ମାମଲା

ସାଂସଦ ସ୍ୱାମୀ ଅନୁଭବ ମହାନ୍ତିଙ୍କ ବିରୋଧରେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ପାରିବାରିକ ହିଂସା ଅଭିଯୋଗ ଆଣିଥିଲେ। ଗତ ସେପ୍ଟେମ୍ବର ମାସରେ ଏ ବିଷୟରେ ଜଣାପଡ଼ିବା ପରେ ସାରା ରାଜ୍ୟରେ ଏହାକୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା। ଅନୁଭବ ତାଙ୍କ ସହିତ ମାନସିକ ଓ ଶାରୀରିକ ଅତ୍ୟାଚାର କରୁଥିବା ବର୍ଷା ଅଭିଯୋଗ କରି ବର୍ଷା କଟକ ଏସଡିଜେଏମ୍ କୋର୍ଟରେ ମାମଲା ଦାୟର କରିଥିଲେ। ଅନୁଭବ ମଦ୍ୟପାନ କରି ଖରାପ ଭାଷାରେ ଗାଳିଗୁଲଜ କରୁଥିବା ମଧ୍ୟ ବର୍ଷା ଅଭିଯୋଗ କରିଥିଲେ।ବର୍ଷା ପ୍ରିୟଦର୍ଶିନୀ ସେତେବେଳେ ପାରିବାରିକ ହିଂସା ନିରୋଧ ଆଇନ ୨୦୦୫ର ଦଫା ୧୨, ୧୭ (ମାମଲାର ସମାଧାନ ନହେବା ପର୍ଯ୍ୟନ୍ତ ସ୍ୱାମୀଙ୍କ ଏକ ଘରେ ତାଙ୍କୁ ରହିବାକୁ ସୁଯୋଗ ଦେବା), ଦଫା ୧୮(ଘରୋଇ ହିଂସାରୁ ସୁରକ୍ଷା ଦେବା), ଦଫା ୧୯(ପୀଡ଼ିତାଙ୍କୁ ଘରେ ରହିବାରୁ ବଞ୍ଚିତ ନକରିବା), ଦଫା ୨୦(ଖର୍ଚ୍ଚ ପାଇଁ କିଛି ଅର୍ଥ ଦେବା) ଏବଂ ଦଫା ୨୨(କ୍ଷତିପୂରଣ)ରେ ଏହି ମାମଲା ରୁଜୁ କରିଥିଲେ।

କଟକ ପାରିବାରିକ କୋର୍ଟରେ ମାମଲା

ଏସଡିଜେଏମ୍ କୋର୍ଟରେ ମାମଲା ଦାୟର କରିବା ସହିତ ବର୍ଷା କଟକ ପାରିବାରିକ କୋର୍ଟରେ ମଧ୍ୟ ଏକ ମାମଲା ରୁଜୁ କରିଥିଲେ। ହିନ୍ଦୁ ମ୍ୟାରେଜ୍ ଆକ୍ଟର ଧାରା ୯ ଅନୁସାରେ ‘ବିବାହକୁ ସୁରକ୍ଷା ଦେବାକୁ, ସଂରକ୍ଷିତ ବା ଅକ୍ଷୂର୍ଣ୍ଣ ରଖିବାକୁ’, ବିବାହ-ବିଚ୍ଛେଦ ନକରାଇବାକୁ ଏକ ସ୍ୱତନ୍ତ୍ର ପିଟିସନ୍ ଦାଏର କରିଥିଲେ।ଭରଣପୋଷଣ ପାଇଁ ୧୫ କୋଟି ଦାବି

ପାରିବାରିକ ହିଂସା ଅଭିଯୋଗ ଆଣିବା ସହିତ ଅନୁଭବଙ୍କଠାରୁ ଭରଣପୋଷଣ ଓ କ୍ଷତିପୂରଣ ପାଇଁ ଦାବି କରିଥିଲେ ବର୍ଷା। ଅନୁଭବଙ୍କଠାରୁ ଘରଭଡ଼ା ବାବଦରେ ମାସିକ ୨୦ ହଜାର ଟଙ୍କା, ମାସିକ ଭରଣପୋଷଣ ବାବଦରେ ୫୦ ହଜାର ଟଙ୍କା, କ୍ଷତିପୂରଣ ବାବଦକୁ ୧୩ କୋଟି ଟଙ୍କା, ଚିକିତ୍ସା ଏବଂ ରୋଜଗାର ହରାଇଥିବାରୁ କ୍ଷତିପୂରଣ ବାବଦକୁ ୨ କୋଟି ଟଙ୍କା ବର୍ଷା ଦାବି କରିଥିଲେ। ମୋଟ ଉପରେ ୧୫ କୋଟି ଟଙ୍କାର ଭରଣପୋଷଣ ଦେବା ପାଇଁ ବର୍ଷାଙ୍କୁ ପକ୍ଷରୁ ଦାବି କରାଯାଇଥିଲା।

ଅନୁଭବଙ୍କ ଛାଡ଼ପତ୍ର ମାମଲା

ବର୍ଷାଙ୍କ ପାରିବାରିକ ହିଂସା ମାମଲା ସାମ୍ନାକୁ ଆସିବା ପରେ ଆଉ ଏକ ଖବର ଓଡ଼ିଆ ସିନେ ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଗତ ଜୁଲାଇ ମାସରେ ଅନୁଭବ ବର୍ଷାଙ୍କୁ ଛାଡ଼ପତ୍ର ଦେବାକୁ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟରେ ଆବେଦନ କରିଥିବା ଜଣାପଡ଼ିଥିଲା। ବର୍ଷା ତାଙ୍କୁ ଓ ତାଙ୍କ ପରିବାରକୁ ମାନସିକ ନିର୍ଯାତନା ଦେଉଥିଲେ ବୋଲି ଅନୁଭବ ନିଜ ଆବେଦନରେ ଦର୍ଶାଇଥିଲେ। ବର୍ଷା ଜଣେ ଭଲ ବୋହୂ କିମ୍ବା ଭଲ ସ୍ତ୍ରୀ ହୋଇପାରିନଥିବା ଅନୁଭବ ନିଜ ପିଟିସନ୍‌ରେ ଉଲ୍ଲେଖ କରିଥିଲେ। ଏଥିସହ ଅନେକ ଚେଷ୍ଟା ପରେ ବି ଉଭୟଙ୍କ ମଧ୍ୟରେ ସମ୍ପର୍କ ସୁଧୁରିନଥିବା ସେ ଅଭିଯୋଗ କରିଥିଲେ। ବର୍ଷାଙ୍କ ନାଁରେ ଏହିପରି ଆହୁରି ଅନେକ ଅଭିଯୋଗ ଆଣିଥିଲେ ଅନୁଭବ। ତେଣୁ ଯଥାଶୀଘ୍ର ମାମଲାର ଶୁଣାଣି କରି ଉଭୟଙ୍କ ମଧ୍ୟରେ ଛାଡ଼ପତ୍ରକୁ ସ୍ଵୀକୃତି ଦେବା ପାଇଁ ଅନୁଭବ ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରେ ଆବେଦନ କରିଥିଲେ।ସୁପ୍ରିମକୋର୍ଟରେ ବର୍ଷା-ଅନୁଭବ ବିବାଦ

ଅନୁଭବଙ୍କ ଛାଡ଼ପତ୍ର ମାମଲାକୁ କଟକ ଫ୍ୟାମିଲି କୋର୍ଟକୁ ସ୍ଥାନାନ୍ତର କରିବା ପାଇଁ ବର୍ଷା ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଥିଲେ। ଏହି ମାମଲାର ଶୁଣାଣି କରି ଗତ ଅକ୍ଟୋବର ମାସରେ ସୁପ୍ରିମକୋର୍ଟ ଉଭୟଙ୍କ ମଧ୍ୟରେ ଆପୋସ ବୁଝାମଣା ଦ୍ୱାରା ସମାଧାନ କରିବାକୁ ପରାମର୍ଶ ଦେଇଥିଲେ। ଏଥିସହ ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରେ ଚାଲିଥିବା ଅନୁଭବଙ୍କ ଛାଡ଼ପତ୍ର ମାମଲା ଉପରେ ରହିତାଦେଶ ଜାରି କରିଥିଲେ ସୁପ୍ରିମକୋର୍ଟ। ଆପୋସ ବୁଝାମଣା ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ସର୍ବୋଚ୍ଚ ଅଦାଲତ କହିଥିଲେ।

ବର୍ଷାଙ୍କ ନାଁରେ ଏତଲା ଦେଲେ ଅନୁଭବଙ୍କ ମା

ଅନୁଭବ-ବର୍ଷାଙ୍କ ବିବାଦକୁ ନେଇ ଚର୍ଚ୍ଚା ଥମିନଥିଲା ବେଳେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଥିଲା। ବୋହୂ ବର୍ଷାଙ୍କ ନାଁରେ ଅନୁଭବଙ୍କ ମା ମଧୁସ୍ମିତା ମହାନ୍ତି କଟକ ପୁରୀଘାଟ ଥାନାରେ ଏତଲା ଦେଇଥିଲେ। ଅନୁଭବଙ୍କ ମା ଅଭିଯୋଗରେ ଦର୍ଶାଇଥିଲେ ଯେ, ସେ ଯେଉଁ ଘରେ ରହୁଛନ୍ତି ତାହା ୬୦ ବର୍ଷ ତଳର ଘର। ଘର ମରାମତି ପାଇଁ ୧୦ ଦିନ ଲାଗି ଘର ଖାଲି କରିବାକୁ ପଡ଼ିବ। କିନ୍ତୁ ବର୍ଷାଙ୍କୁ ତାଙ୍କ ବାପଘରକୁ ଯିବାକୁ କୁହାଗଲେ ମଧ୍ୟ ବର୍ଷା ଘର ଛାଡ଼ୁନଥିବା ଅନୁଭବଙ୍କ ମା ଅଭିଯୋଗ କରିଥିଲେ।ଶାଶୁଙ୍କ ନାଁରେ ବର୍ଷାଙ୍କ ପାଲଟା ଅଭିଯୋଗ

ଏହି ଅଭିଯୋଗ ପରେ ଶାଶୁଙ୍କ ନାଁରେ ପାଲଟା ଅଭିଯୋଗ ଆଣି ଥାନାର ଦ୍ୱାରସ୍ଥ ହୋଇଥିଲେ ବର୍ଷା। ତାଙ୍କୁ ଘରୁ ବାହାର କରିବା ପାଇଁ ଏପରି ଚକ୍ରାନ୍ତ କରାଯାଉଥିବା ବର୍ଷା ତାଙ୍କ ଅଭିଯୋଗରେ ଦର୍ଶାଇଥିଲେ। ଏଥିସହ ଜୀବନ ପ୍ରତି ବିପଦ ଥିବାରୁ ବର୍ଷା ପୋଲିସଠାରୁ ସୁରକ୍ଷା ମଧ୍ୟ ଲୋଡ଼ିଥିଲେ।ବିବାଦକୁ ଆସିଥିଲେ ଜାଗୃତି ଶୁକ୍ଳା

ବର୍ଷା-ଅନୁଭବଙ୍କ ବିବାଦ ଭିତରେ ଲୋକସଭା ଟିଭି ସାମ୍ବାଦିକା ଜାଗୃତି ଶୁକ୍ଳାଙ୍କ ନାଁ ମଧ୍ୟ ସାମ୍ନାକୁ ଆସିଥିଲା। ଅନୁଭବ ଜାଗୃତିଙ୍କ କିଛି ଫଟୋ ନିଜ ସୋସିଆଲ ମଡିଆରେ ପୋଷ୍ଟ କରିବା ପରେ ଏହି ଚର୍ଚ୍ଚା ଜୋର ଧରିଥିଲା। ଏହାକୁ ନେଇ ଜାଗୃତି ମଧ୍ୟ ଜବାବ ରଖିଥିଲେ। ଅନୁଭବ ତାଙ୍କର ଭଲ ବନ୍ଧୁ, ଏହା ଛଡ଼ା ତାଙ୍କ ଭିତରେ କେବଳ ବୃତ୍ତିଗତ ସମ୍ପର୍କ ରହିଥିବା ଜାଗୃତି କହିଥିଲେ।

ଏସଡିଜେଏମ୍ କୋର୍ଟରେ ଅନୁଭବଙ୍କ ଜବାବ ଦାଖଲ

ଗତ ଡିସେମ୍ବର ୧୮ ତାରିଖରେ ଅନୁଭବ କଟକ ଏସଡିଜେଏମ୍ କୋର୍ଟରେ ହାଜର ହୋଇ ବର୍ଷାଙ୍କ ପାରିବାରିକ ହିଂସା ମାମଲା ଉପରେ ଜବାବ ରଖିଥିଲେ। ବର୍ଷାଙ୍କ ସହିତ ତାଙ୍କର କେଉଁ କାରଣରୁ ବିବାଦ ରହିଛି, ବର୍ଷା ସତରେ ପାରିବାରିକ ହିଂସାର ଶିକାର ହୋଇଛନ୍ତି କି ନାହିଁ ଏସବୁ ବିଷୟରେ ଅନୁଭବ ସତ୍ୟପାଠରେ ଉଲ୍ଲେଖ କରିଥିଲେ।ମହିଳା କମିସନରେ ହାଜର ହେଲେ ବର୍ଷା-ଅନୁଭବ

ଘରୋଇ ହିଂସା ବିରୋଧରେ ବର୍ଷା ମହିଳା କମିସନଙ୍କ ନିକଟରେ ଅଭିଯୋଗ କରିଥିଲେ। ମହିଳା କମିସନ ଡିସେମ୍ବର ୨୯ ତାରିଖରେ ବର୍ଷା, ଅନୁଭବ ଓ ତାଙ୍କ ବାପା ମାଙ୍କୁ ବ୍ୟକ୍ତିଗତ ଭାବେ ହାଜର ହୋଇ ନିଜ ନିଜ ପକ୍ଷ ରଖିବାକୁ କହିଥିଲେ। ଏହାପରେ ବର୍ଷା ଏବଂ ଅନୁଭବ ମହିଳା କମିସନଙ୍କ ନିକଟରେ ହାଜର ହୋଇ ନିଜ ପକ୍ଷ ରଖିଥିଲେ।

Comment