ଓଡ଼ିଶାଲାଇଭ୍ ବ୍ୟୁରୋ

(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ପର୍ଯ୍ୟଟକଙ୍କ ମନ ମୋହୁଛି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ଶିଶୁଅ ପଞ୍ଚାୟତର କେଳୁଣୀ ମୁହାଣ। ଚଳିତ ପର୍ଯ୍ୟଟନ ଋତୁରେ ଏହି ମୁହାଣ ବୁଲିବାକୁ ଦୂରଦୂରାନ୍ତରରୁ ଲୋକମାନେ ଆସୁଛନ୍ତି। ଏଠାକାର ପ୍ରାକୃତିକ ଶୋଭାରାଜିକୁ ଉପଭୋଗ କରିବା ସହ ବଣଭୋଜିର ମଜା ମଧ୍ୟ ନେଉଛନ୍ତି।ଏବେ ଶୀତ ଋତୁ ଚାଲିଥିବାରୁ ଏହି ମୁହାଣକୁ ଶହ ଶହ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ମୁହାଣସଂଲଗ୍ନ ଶାନ୍ତସ୍ନିଗ୍ଧ ବେଳାଭୂମିରେ ବୁଲିବା ସହ ଭୋଜିଭାତର ଆସର ଜମାଉଛନ୍ତି ପର୍ଯ୍ୟଟକ। ଦେବୀ, କାଦୁଆ ଓ ପ୍ରାଚୀ ନଦୀ ପରି ତିନୋଟି ପବିତ୍ର ନଦୀର ମିଳନସ୍ଥଳରେ ଏହି ମୁହାଣ ଅବସ୍ଥିତ। ମୁହାଣ ନିକଟରେ ମା’ ଅମ୍ବିକା (ମା’ କେଳୁଣୀ) ପୂଜା ପାଉଛନ୍ତି। ଏଥିସହ ମୁକ୍ତେଶ୍ଵର ମହାଦେବ (ବେଲେଶ୍ଵର) ଓ ଗୋମୁଖୀ କେଶବ ପ୍ରମୁଖ ଦେବାଦେବୀ ଏଠାରେ ବିଜେ ହୋଇଥିବାରୁ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନେ ଦର୍ଶନ ପାଇଁ ଏଠାକୁ ଆସୁଛନ୍ତି। ଏହାଛଡ଼ା ଘଞ୍ଚ ଝାଉଁ ଜଙ୍ଗଲର ପ୍ରାକୃତିକ ପରିବେଶରେ ପର୍ଯ୍ୟଟକମାନେ ବିମୋହିତ ହେଉଛନ୍ତି।କେବଳ ଶୀତ ଋତୁ ନୁହେଁ, ବର୍ଷର ସବୁ ସମୟରେ ମୁହାଣ ଆଖପାଖରେ ବିଭିନ୍ନ ବହିରାଗତ ପକ୍ଷୀମାନଙ୍କ ସମାବେଶ ପର୍ଯ୍ୟଟକଙ୍କ ପାଇଁ ଅନ୍ୟତମ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥାଏ। ଜୈବ ବିବିଧତାରେ ପରିପୂର୍ଣ୍ଣ ଏହି ମୁହାଣ ଅଞ୍ଚଳରେ ବିଭିନ୍ନ ପ୍ରଜାତିର ରଙ୍ଗବେରଙ୍ଗ କଙ୍କଡ଼ା, ବିରଳ ଅକ୍ଟୋପସ୍ ମଡସ୍କିପର ପର୍ଯ୍ୟଟକଙ୍କ ମନ ମୋହିଥାଏ। ତେବେ କୋଣାର୍କ ଓ ଅସ୍ତରଙ୍ଗ ମଧ୍ୟଭାଗରେ ଥିବା ଏହି ମୁହାଣକୁ ଏପର୍ଯ୍ୟନ୍ତ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ମିଳିନାହିଁ। ଆଗାମୀ ଦିନରେ ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ରରେ ଏହାକୁ ସ୍ଥାନ ମିଳିବ ବୋଲି ଆଶା କରାଯାଉଛି।

Comment