ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗଞ୍ଜାମ ପର୍ଯ୍ୟଟନ ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କଲା ବ୍ରହ୍ମପୁରର ରାମଲିଙ୍ଗେଶ୍ୱର ଜଳାଶୟ।

ଦିନେ ଅବ୍ୟବହୃତ ଓ ଅତି ଖରାପ ଅବସ୍ଥାରେ ଥିବା ବ୍ରହ୍ମପୁରର ରାମଲିଙ୍ଗେଶ୍ୱର ଜଳାଶୟ ଏବେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଜଳାଶୟ ଚାରିପଟର ସୁନ୍ଦର ଦୃଶ୍ୟ, ପାଣି ମଝିରେ ଶିବଙ୍କ ବିରାଟ ପ୍ରତିମୂର୍ତ୍ତି ଏହାସହିତ ଝିକମିକ ଆଲୋକମାଳା ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି। ୧୨କୋଟି ଟଙ୍କା ବ୍ୟୟରେ ନିର୍ମିତ ଜଳାଶୟ ଓ ପାର୍କ ଏବେ ଗଞ୍ଜାମ ପର୍ଯ୍ୟଟନ ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି।

ବ୍ରହ୍ମପୁରରେ ପର୍ଯ୍ୟଟନ ବିକାଶ ଓ ସହରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ରାମଲିଙ୍ଗେଶ୍ୱର ଜଳାଶୟର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପରେ ସୋମବାର ଭିଡିଓ କନଫରେନ୍ସିଂ ଜରିଆରେ ଏହାର ଲୋକାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ବ୍ରହ୍ମପୁରକୁ ଏକ ଆଦର୍ଶ ସହର ଭାବରେ ଗଢି ତୋଳିବାକୁ ରାଜ୍ୟ ସରକାରଙ୍କ ଉଦ୍ୟମ ଜାରି ରହିଛି। ଏ ଦିଗରେ ସମସ୍ତଙ୍କ ସହଯୋଗ କାମନା କରିବା ସହ ପବିତ୍ର ରାମଲିଙ୍ଗେଶ୍ୱର ଜଳାଶୟକୁ ପରିଷ୍କାର ରଖିବା ଏବଂ ଏହାର ସୌନ୍ଦର୍ଯ୍ୟମୟ ପରିବେଶକୁ ସୁରକ୍ଷିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଆହ୍ୱାନ ଦେଇଥିଲେ।

୮ ଏକର ପରିମିତ ଜମିରେ ଥିବା ଏହି ପ୍ରାଚୀନ ଜଳାଶୟ ବ୍ରହ୍ମପୁରର ଏକ ପବିତ୍ର ପୁଷ୍କରିଣୀ ଭାବରେ ପ୍ରସିଦ୍ଧ। ସମୟକ୍ରମେ ଏହା ଅବ୍ୟବହୃତ ହୋଇପଡିଥିଲା। ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ କ୍ରମେ ୨୦୧୭ ମସିହାରେ ୧୨ କୋଟି ଟଙ୍କା ବ୍ୟୟରେ ଏହି ଜଳାଶୟର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାମ ଆରମ୍ଭ ହୋଇଥିଲା। ଜଳାଶୟର ମଝିରେ ଭଗବାନ ଶିବଙ୍କର ୩୫ ଫୁଟ ଉଚ୍ଚତା ବିଶିଷ୍ଟ ପ୍ରତିମୂର୍ତ୍ତି ଶୋଭା ପାଉଥିବା ବେଳେ ଚତୁର୍ପାର୍ଶ୍ୱରେ ଉଦ୍ୟାନ ଏହାକୁ ଅଧିକ ଆକର୍ଷଣୀୟ କରି ଗଢିତୋଳିଛି।

Comment