ଓଡ଼ିଶାଲାଇଭ୍ ବ୍ୟୁରୋ

ଛାତ ଉପରେ ଅର୍ଣ୍ଣାମେଣ୍ଟାଲ ଗଛ ଲଗାଇ ମାସକୁ ୩୦ ହଜାରରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି କେରଳର ସୁମି ଶ୍ୟାମରାଜ।

ଆଜିକାଲି ଘର ସଜାଇବା ପାଇଁ ଲୋକମାନେ ବିଭିନ୍ନ ପ୍ରକାର ଅର୍ଣ୍ଣାମେଣ୍ଟାଲ ଗଛ ଲଗାଉଛନ୍ତି। ତେଣୁ ସମୟକ୍ରମେ ଏହି ଗଛର ଚାହିଦା ବଢ଼ିବା ସହିତ ରୋଜଗାର ସୁଯୋଗ ମଧ୍ୟ ସୃଷ୍ଟି ହୋଇଛି। ଅର୍ଣ୍ଣାମେଣ୍ଟାଲ ଗଛ ଲଗାଇବା ପାଇଁ କମ୍ ଜାଗା ଆବଶ୍ୟକ ପଡ଼ୁଥିବାରୁ ମହିଳାମାନେ ମଧ୍ୟ ଘରେ ରହି ଏହି ଗଛ ବ୍ୟବସାୟ କରୁଛନ୍ତି। ଏମିତି ଜଣେ ଗୃହିଣୀ ହେଉଛନ୍ତି କେରଳର ଏର୍ଣ୍ଣାକୁଲମ ନିବାସୀ ସୁମି ଶ୍ୟାମରାଜ। ସୁମି ନିଜ ଘର ଛାତ ଉପରେ ବିଭିନ୍ନ ପ୍ରକାର ଅର୍ଣ୍ଣାମେଣ୍ଟାଲ ଗଛ ଲଗାଇଛନ୍ତି। କେବଳ ସେତିକି ନୁହେଁ, ଏହି ଗଛ ବିକ୍ରି କରି ସେ ମାସକୁ ୩୦,୦୦୦ରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି।

ସ୍ୱାମୀ ଶ୍ୟାମରାଜ ଓ ଦୁଇ ବର୍ଷର ଝିଅକୁ ନେଇ ସୁମିଙ୍କ ସଂସାର। ଲକଡାଉନ ପୂର୍ବରୁ ଶ୍ୟାମରାଜ ଏକ ଦୋକାନରେ କାମ କରୁଥିଲେ। ସୁମି ଘର କାମ କରିବା ସହ ଖାଲି ସମୟରେ ନିଜ ବଗିଚାରେ ବାଇଗଣ, ଟମାଟୋ, ଗାଜର ଆଦି ପନିପରିବା ଲଗାଉଥିଲେ। ଘର ଖର୍ଚ୍ଚ ବାଦ୍ ସେଥିରୁ ବଳି ପଡ଼ୁଥିବା ପନିପରିବାକୁ ବିକ୍ରି କରି କିଛି ଟଙ୍କା ରୋଜଗାର କରୁଥିଲେ। ହ୍ୱାଟସଆପ୍ ଗ୍ରୁପରେ ପୋଷ୍ଟ କରିବା ପରେ ତାଙ୍କ ପାଖକୁ ଅର୍ଡର ଆସୁଥିଲା। କିନ୍ତୁ ଅର୍ଣ୍ଣାମେଣ୍ଟାଲ ଗଛ ବ୍ୟବସାୟ କରିବା ପାଇଁ ସେତେବେଳେ ସେ ଭାବିନଥିଲେ।ଏନେଇ ସୁମି କୁହନ୍ତି, “ଲକଡାଉନ ପୂର୍ବରୁ ଅର୍ଣ୍ଣାମେଣ୍ଟାଲ ଗଛ ବ୍ୟବସାୟ କରିବା ପାଇଁ ମୁଁ ଚିନ୍ତା ବି କରିନଥିଲି। କିନ୍ତୁ ଲକଡାଉନ ଯୋଗୁ ମୋ ସ୍ୱାମୀ ଯେଉଁ ଦୋକାନରେ କାମ କରୁଥିଲେ ତାହା ବନ୍ଦ ହୋଇଗଲା। ତେଣୁ ପରିବାର ଚଳାଇବା ପାଇଁ ମୁଁ ଏହି ଗଛ ବିକ୍ରି କରିବାକୁ ନିଷ୍ପତ୍ତି ନେଇଥିଲି।”

ଗତବର୍ଷ ମାର୍ଚ୍ଚ ମାସରୁ ସୁମି ନିଜର ଏହି ବ୍ୟବସାୟ ଆରମ୍ଭ କରିଛନ୍ତି ଏବଂ ଖୁବ କମ୍ ଦିନ ଭିତରେ ସଫଳ ହୋଇଛନ୍ତି। ସୁମିଙ୍କ ପାଖରେ ଏବେ ଥାଇଲାଣ୍ଡର ଅନେକ ଦୁର୍ଲଭ କିସମର ଅର୍ଣ୍ଣାମେଣ୍ଟାଲ ଗଛ ରହିଛି। ସେଥିମଧ୍ୟରୁ ଏପିସିଆ ନାମକ କିସମ ବିକ୍ରି କରି ସୁମି ସବୁଠୁ ବେଶି ଲାଭବାନ ହୋଇପାରିଛନ୍ତି।ସୁମି ଗତ ମାର୍ଚ୍ଚ ମାସରେ ‘ସୁମିଜ୍ ଗାର୍ଡେନ’ ନାମକ ଏକ ଫେସବୁକ୍ ପେଜ୍ ଖୋଲି ସେଥିରେ ଏପିସିଆ ଗଛର ଏକ ଫଟୋ ଅପଲୋଡ୍ କରିଥିଲେ। ଏହାର ଏକ ସପ୍ତାହ ମଧ୍ୟରେ ଦେଶର ବିଭିନ୍ନ ପ୍ରାନ୍ତରୁ ଏହି ଗଛ କିଣିବା ପାଇଁ ଅର୍ଡର ମିଳିଲା। ପରେ ପରେ ସୁମି ଏହି ଗଛ ସହ ଅନ୍ୟାନ୍ୟ ଅର୍ଣ୍ଣାମେଣ୍ଟାଲ ଗଛ ବିକ୍ରି କରିବା ଆରମ୍ଭ କଲେ। ଏବେ ସେ ଏହି ବ୍ୟବସାୟରୁ ମାସକୁ ୩୦ ହଜାରରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି।

 

ବର୍ତ୍ତମାନ ସୁମିଙ୍କ ବଗିଚାରେ ୩୦ ଟଙ୍କାରୁ ଆରମ୍ଭ କରି ୧,୦୦୦ ଟଙ୍କା ପର୍ଯ୍ୟନ୍ତ ଗଛ ରହିଛି। ଏପିସିଆ ପାଇଁ ସବୁଠୁ ଅଧିକ ଅର୍ଡର ମିଳୁଥିବାରୁ ପ୍ରାୟ ୮୦ଟି ଏପିସିଆ କିସମକୁ ସେ ନିଜ ବଗିଚାରେ ଲଗାଇଛନ୍ତି। ଏହାଛଡ଼ା ବେଗୋନିୟା, ଫିଲୋଡେଣ୍ଡ୍ରୋନ, ପେପେରୋମିୟା ପରି କିସମ ପାଇଁ ମଧ୍ୟ ଲୋକମାନେ ଅର୍ଡର କରୁଛନ୍ତି। ତେଣୁ ପ୍ରତିଦିନ ସୁମି ପାଖାପାଖି ୧୦ଟି ନୂଆ ଗଛ ନିଜ ବଗିଚାରେ ଲଗାଇଥାନ୍ତି।ସୁମିଙ୍କୁ ଏହି କାମରେ ତାଙ୍କ ସ୍ୱାମୀ ଶ୍ୟାମରାଜ ବହୁତ ସାହାଯ୍ୟ କରନ୍ତି। ଏନେଇ ସୁମି କୁହନ୍ତି, “ମୋ ସ୍ୱାମୀ ମୋତେ ସବୁ କାମରେ ସାହାଯ୍ୟ କରିଛନ୍ତି। ଆମ ଦୁଇ ବର୍ଷର ଝିଅକୁ ସମ୍ଭାଳିବାଠାରୁ ଆରମ୍ଭ କରି ବଗିଚା କାମ ସବୁଥିରେ ସେ ସହଯୋଗ କରୁଛନ୍ତି।”

ସୁମିଙ୍କୁ ଫେସବୁକ୍ ମାଧ୍ୟମରେ ବିଭିନ୍ନ ଅର୍ଣ୍ଣାମେଣ୍ଟାଲ ଗଛ ପାଇଁ ଅର୍ଡର ମିଳିଥାଏ। ଅର୍ଡର ମିଳିବା ପରେ ଗଛକୁ ପ୍ୟାକ୍ କରି ଗ୍ରାହକଙ୍କ ନିକଟକୁ ପଠାଯାଇଥାଏ। ସୁମିଙ୍କ ଏହି କାମକୁ ପ୍ରୋତ୍ସାହିତ କରିବା ପାଇଁ ତାଙ୍କୁ ଏଡ଼ଥଲା କୃଷି ଭବନ ତରଫରୁ କୃଷକଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି। ଅର୍ଣ୍ଣାମେଣ୍ଟାଲ ଗଛ ଲଗାଇ ସୁମି ଆତ୍ମନିର୍ଭର ହେବା ସହ ଅନ୍ୟ ଗୃହିଣୀମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି।

Comment