ଓଡ଼ିଶାଲାଇଭ୍ ବ୍ୟୁରୋ

କିଟ୍ ବିଶ୍ୱବିଦ୍ୟାଳୟର ମାସ୍ କମ୍ୟୁନିକେସନ ସ୍କୁଲ୍ ପକ୍ଷରୁ ଏହାର ଦ୍ଵିତୀୟ ଲୋକସମ୍ପର୍କ ସମ୍ମିଳନୀ ଶୁକ୍ରବାର ଅନୁଷ୍ଠିତ ହୋଇଛି। ପବ୍ଲିକ୍ ରିଲେସନ ସୋସାଇଟି ଅଫ୍ ଇଣ୍ଡିଆର ଭୁବନେଶ୍ୱର ଗ୍ରୁପ ସହଯୋଗରେ ଭର୍ଚୁଆଲ୍ ମାଧ୍ୟମରେ ଏହି ସମ୍ମିଳନୀକୁ ଆୟୋଜିତ କରାଯାଇଥିଲା। ଏଥିରେ କୋଭିଡ-୧୯ ମହାମାରୀ ସମୟରେ ଲୋକସମ୍ପର୍କ ଓ ଗଣମାଧ୍ୟମ ବିଷୟବସ୍ତୁ ଉପରେ ଆଲୋଚନା ହୋଇଥିଲା।

ଏହି ଅବସରରେ ଉଦ୍‌ବୋଧନ ଦେଇ ପବ୍ଲିକ୍ ରିଲେସନ ସୋସାଇଟି ଅଫ୍ ଇଣ୍ଡିଆର ଜାତୀୟ ସଭାପତି ଡକ୍ଟର ଅଜିତ ପାଠକ କହିଥିଲେ ଯେ, ଲୋକ ସମ୍ପର୍କ ଶିକ୍ଷା ଓ ଗବେଷଣା ଉପରେ ଆଗ୍ରହ ବଢ଼ିବା ଆବଶ୍ୟକ। ତେଣୁ ଅଧିକରୁ ଅଧିକ ଛାତ୍ରଛାତ୍ରୀ ଏବଂ ପ୍ରଫେସନାଲ୍‍ ଲୋକସମ୍ପର୍କ ବୃତ୍ତିକୁ ଆଗେଇ ଆସିବା ଉଚିତ।ପ୍ରଥମ ଅଧିବେସନରେ ଲୋକସମ୍ପର୍କ ପ୍ରଫେସନାଲ୍‍ ଡକ୍ଟର ଭି. ଆର. ରାଜୁ, ପିଆରଏସଆଇ, ଭୁବନେଶ୍ୱର ଚାପ୍ଟରର ଅଧ୍ୟକ୍ଷ ଅମର ଜ୍ୟୋତି ମହାପାତ୍ର, ପିପିଏଲ କର୍ପୋରେଟ୍ କମ୍ୟୁନିକେସନ ମୁଖ୍ୟ ସୁଧିର ରଂଜନ ମିଶ୍ର, ଏନଟିପିସି କର୍ପୋରେଟ୍ କମ୍ୟୁନିକେସନ ସାଧାରଣ ପରିଚାଳକ ଆଶୁତୋଷ ରଥ, ସହକାରୀ ସାଧାରଣ ପରିଚାଳକ କେ ଏମ ପ୍ରଶାନ୍ତ ପ୍ରମୁଖ ଯୋଗଦେଇ ମହାମାରୀ ସମୟରେ ଲୋକସମ୍ପର୍କ (ପିଆର) ପର୍ସୋନେଲମାନଙ୍କ ପାଇଁ ସୃଷ୍ଟିହୋଇଥବା ଚ୍ୟାଲେଞ୍ଜ ଓ ଏହାର ମୁକାବିଲା ଉପରେ ଆଲୋକପାତ କରିଥିଲେ। ଏଥିସହ ସମ୍ବାଦ ପରିବେଷଣ ଓ ଲୋକ ସମ୍ପର୍କ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟା କିପରି ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଛି, ବିପତ୍ତି ସମୟରେ ଦୃଢ ଡିଜିଟାଲ୍ ଭିତ୍ତିଭୂମି, ଆନ୍ତଃ ଯୋଗାଯୋଗ ବ୍ୟବସ୍ଥା ସହ ପିଆର ପ୍ରଫେସନାଲ୍‍ମାନେ ଅଧିକ ଜଡ଼ିତ ରହି କାର୍ଯ୍ୟ କରିବାର ଆବଶ୍ୟକତା ଆଦି ବିଷୟରେ ଏହି ଅଧିବେସନରେ ଆଲୋଚନା ହୋଇଥିଲା।

ଉଦ୍‍ଯାପନୀ ଅଧିବେସନରେ ଏବିପି ନ୍ୟୁଜ୍‌ର ପଲିଟିକାଲ୍ ଏଡିଟର ପଙ୍କଜ ଝା, ଦୈନିକ ଜାଗରଣର ଗ୍ରୁପ୍‌ର ସମ୍ପାଦକ କମଲେଶ ରଘୁବଂଶୀ, ନ୍ୟୁଜ୍ ୨୪ର କାର୍ଯ୍ୟକାରୀ ସମ୍ପାଦକ ସୁକେଶ ରଞ୍ଜନ, ଇଣ୍ଡିଆ ନ୍ୟୁଜ୍ ନେଟ୍ୱାର୍କର ଗ୍ରୁପ୍ ସମ୍ପାଦକ ରାଣା ଯଶବନ୍ତ ପ୍ରମୁଖ ଯୋଗଦେଇ ସମ୍ବାଦ ଓ ଲୋକ ସମ୍ପର୍କର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।

ଆଲୋଚନା ପରେ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ସମଗ୍ର ଦେଶ ଓ ବିଦେଶରୁ ଯୋଗ ଦେଇଥିବା ଅତିଥିମାନେ ବିଷୟବସ୍ତୁର ବିଭିନ୍ନ ଦିଗ ଉପରେ ଅତିଥିମାନଙ୍କୁ ପ୍ରଶ୍ନ ପଚାରିଥିଲେ। କିଟ୍ ମାସ୍‍ କମ୍ୟୁନିକେସନ ସ୍କୁଲର ସହକାରୀ ପ୍ରଫେସର ରୁବି ନନ୍ଦ ଅଧିବେଶନ ପରିଚାଳନା କରିଥିବା ବେଳେ ଫାକଲ୍ଟି ଆସୋସିଏଟ୍ ସୌପ୍ତିକ୍ ଗରାଇ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ କିଟ୍ ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ହୃଷୀକେଶ ମହାନ୍ତି, କୁଳସଚିବ ପ୍ରଫେସର ଜ୍ଞାନ ରଂଜନ ମହାନ୍ତି, କିଟ୍ ମାସ୍ କମ୍ୟୁନିକେସନ ସ୍କୁଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫେସର ହିମାଂଶୁ ଖଟୁଆ, କୋର୍ସ କୋଅଡିନେଟର ଡକ୍ଟର ବିଧୁ ଭୂଷଣ ଦାଶ, ସହକାରୀ ପ୍ରଫେସର ଡକ୍ଟର ଅନୁରାଗ ସାହୁ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସସରେ କିଟ୍ ମାସ୍ କମ୍ୟୁନିକେସନ ସ୍କୁଲରେ ଛାତ୍ରଛାତ୍ରୀଙ୍କ ପାଇଁ ଏକ ପବ୍ଲିକ୍ ରିଲେସନ୍‍ସ କ୍ଲବ୍ (ପିଆରସି) ଗଠନ କରିବାକୁ ପ୍ରଫେସର ହିମାଂଶୁ ଖଟୁଆ ଘୋଷଣା କରିଥିଲେ।

Comment