ଓଡ଼ିଶାଲାଇଭ୍ ବ୍ୟୁରୋ  

ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟରେ ଭାରତୀୟ ବୋଲରମାନେ ଫେଲ୍ ମାରିଛନ୍ତି। ଯାହାଫଳରେ ସିଡନୀ ଟେଷ୍ଟର ତୃତୀୟ ଦିନ ଖେଳ ଶେଷ ସୁଦ୍ଧା କଙ୍ଗାରୁ ଦଳ ଦୃଢ଼ ସ୍ଥିତିରେ ରହିଛି। ଶନିବାର ସୁଦ୍ଧା ଅଷ୍ଟ୍ରେଲିଆ ଦ୍ୱିତୀୟ ଇଂନିସରେ ମାତ୍ର ଦୁଇ ୱିକେଟ୍ ହରାଇ ୧୦୩ ରନ୍ ସଂଗ୍ରହ କରିନେଇଛି।

ଅଷ୍ଟ୍ରେଲିଆ ହାତରେ ଏବେ ଆହୁରି ୮ଟି ୱିକେଟ୍ ବାକି ଥିବାବେଳେ ଦଳ ଏବେ ଟିମ୍ ଇଣ୍ଡିଆଠାରୁ ୧୯୭ ରନ ଆଗରେ ରହିଛି। ତେଣୁ ଏହି ମ୍ୟାଚ୍ ବେଶ ରୋଚକପୂର୍ଣ୍ଣ ହେବ ବୋଲି ଅନୁମାନ କରାଯାଉଛି।ଶନିବାର ଭାରତୀୟ ବ୍ୟାଟ୍ସମ୍ୟାନମାନେ ପ୍ରଥମ ଇଂନିସରେ ମାତ୍ର ୨୪୪ ରନରେ ଅଲଆଉଟ୍ ହୋଇଯାଇଥିଲେ। ଗିଲ୍ ଓ ପୂଜାରାଙ୍କ ଅର୍ଦ୍ଧଶତକ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ସେତେଟା ବଡ଼ ସ୍କୋର କରିପାରିନଥିଲେ। ଶେଷ ଆଡକୁ ରିଷଭ ପନ୍ଥ କିଛି ଭଲ ଷ୍ଟ୍ରୋକ୍ ଖେଳିଥିଲେ ବି ଏହାକୁ ବଡ଼ ସ୍କୋରରେ ପରିବର୍ତ୍ତନ କରିପାରିନଥିଲେ।

ଅଷ୍ଟ୍ରେଲିଆ ପକ୍ଷରୁ ପ୍ୟାଟ୍ କମିନ୍ସ ୪ଟି ଓ ହେଜେଲଉଡ୍ ୨ଟି ୱିକେଟ୍ ନେଇଥିଲେ। ଭାରତର ତିନିଜଣ ବ୍ୟାଟ୍ସମ୍ୟାନ ରନ୍ଆଉଟ୍ ହୋଇ ନିଜ ୱିକେଟ୍ ହରାଇଥିଲେ। ଯାହା ଦଳ ପାଇଁ ଭାରି ପଡ଼ିଥିଲା। ଏହାପରେ ଅଷ୍ଟ୍ରେଲିଆ ଦ୍ୱିତୀୟ ଇଂନିସ ପାଇଁ ପଡ଼ିଆକୁ ଓହ୍ଲାଇଥିଲା। ଦୁଇ ଓପନର ବଡ଼ ସ୍କୋର କରିନଥିଲେ ମଧ୍ୟ ସ୍ମିଥ୍ ଓ ଲବୁଚେଞ୍ଜଙ୍କ ବ୍ୟାଟିଂ ହେତୁ ଅଷ୍ଟ୍ରେଲିଆ ଏବେ ୧୦୩ ରନ୍ କରିପାରିଛି। ଖେଳର ଆହୁରି ୨ ଦିନ ବାକି ଥିବାରୁ ଏହାର ଫଳାଫଳ ବାହାରିବ ବୋଲି ଅନୁମାନ କରାଯାଉଛି।

Comment