ଓଡ଼ିଶାଲାଇଭ୍ ବ୍ୟୁରୋ

ଏକାମ୍ର କ୍ଷେତ୍ରର ଐତିହ୍ୟ ବହନ କରୁଥିବା ବିନ୍ଦୁସାଗର ପୁଣିଥରେ ପୂର୍ବ ସୌନ୍ଦର୍ଯ୍ୟ ଫେରି ପାଇବ। ଏଥିପାଇଁ ସରକାର ବିନ୍ଦୁସାଗରକୁ ବିଶୋଧନ କରିବାପାଇଁ ଅଭିଯାନ ଆରମ୍ଭ କରିଛନ୍ତି। ଏଥିପାଇଁ ଶନିବାର ସ୍ଵଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଶୁଭ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଆଇଓସିଏଲ ଦ୍ୱାରା ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ କେମିକାଲ୍ ଟେକ୍ନୋଲୋଜି, ଭୁବନେଶ୍ୱର ଏବଂ ଓଡ଼ିଶା ସେତୁ ନିର୍ମାଣ ନିଗମ ଏହି କାର୍ଯ୍ୟ ହାତକୁ ନେଇଛି। ଏହି ପ୍ରକଳ୍ପରେ ପ୍ରଥମେ ବିନ୍ଦୁସାଗରକୁ ସଫେଇ କରାଯିବ ଏବଂ ପରେ ଏହାର ସୌନ୍ଦର୍ଯ୍ୟକରଣ କାମ କରାଯିବ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ଯେ, ବିନ୍ଦୁସାଗର ଆମ ଆସ୍ଥା ଓ ବିଶ୍ୱାସର ତୀର୍ଥଭୂମି। ତେଣୁ ଏହାକୁ ସ୍ୱଚ୍ଛ କରିବା ଆମ ସମସ୍ତଙ୍କ ନୈତିକ ଦାୟିତ୍ୱ। ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ସହ ବିନ୍ଦୁସାଗରର ଭୂମିକା ରହିଛି।

“ଏକାମ୍ର ଯୋଜନା କାର୍ଯ୍ୟକୁ ଆଗେଇ ନେବା ପାଇଁ ଭାରତ ସରକାରଙ୍କ ପୂର୍ଣ୍ଣ ସହଯୋଗ ରହିବ। ତେଣୁ ଓଡ଼ିଆ ଜାତିର ଏହି ମହାନ ଗୌରବକୁ ବିଶ୍ଵ ଦରବାରରେ ପହଞ୍ଚାଇବା ପାଇଁ ଆମ ସମସ୍ତଙ୍କୁ ଏକାଠି ହୋଇ କାମ କରିବାକୁ ପଡ଼ିବ”, କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଏକାମ୍ର ବିଧାୟକ ଅଶୋକ ପଣ୍ଡା, ରାଜ୍ୟସଭା ସାଂସଦ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଆଦି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Comment