ଓଡ଼ିଶାଲାଇଭ୍ ବ୍ୟୁରୋ

  • ଜାନୁଆରି ୨୧ରୁ ଶ୍ରୀମନ୍ଦିରରେ କୋଭିଡ ରିପୋର୍ଟ ବାଧ୍ୟତାମୂଳକ ନୁହେଁ
  • ଦୈନିକ ୩୦ ହଜାର ଭକ୍ତଙ୍କୁ ଦର୍ଶନ ଅନୁମତି
  • ସକାଳ ୭ଟାରୁ ଦର୍ଶନ ଆରମ୍ଭ, ପୁରୀବାସୀଙ୍କ ପାଇଁ ୬ଟା
  • ବୟସ୍କଙ୍କ ପାଇଁ ହେବ ସ୍ଵତନ୍ତ୍ର ଧାଡ଼ି
  • ରବିବାର ଦର୍ଶନ ବନ୍ଦ

ଜଗା ଦର୍ଶନରେ ଆଉ ବାଧକ ହେବନି କରୋନା ନେଗେଟିଭ୍ ରିପୋର୍ଟ। ଜାନୁଆରି ୨୧ ତାରିଖରୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ପାଇଁ କୋଭିଡ ନେଗେଟିଭ୍ ରିପୋର୍ଟ କଟକଣା ହଟିବ। ରବିବାର ଶ୍ରୀମନ୍ଦିର ଦର୍ଶନର ସମୀକ୍ଷା ବୈଠକ ପରେ ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଏନେଇ ସୂଚନା ଦେଇଛନ୍ତି।

ଏବେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ଦରକାର ପଡୁଛି। କିନ୍ତୁ ୨୧ ତାରିଖ ପରେ ଆଉ ନେଗେଟିଭ ରିପୋର୍ଟ ଦେଖାଇବାକୁ ପଡ଼ିବ ନାହିଁ। କିନ୍ତୁ କରୋନାର ଅନ୍ୟସବୁ ନିୟମ ଯେପରି କି ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଆଦି ନିୟମକୁ ପାଳନ କରିବାକୁ ପଡ଼ିବ।ସେହିପରି ୨୧ ତାରିଖ ପରଠାରୁ ଦୈନିକ ୩୦ ହଜାର ପର୍ଯ୍ୟନ୍ତ ଭକ୍ତଙ୍କୁ ଦର୍ଶନ ପାଇଁ ଅନୁମତି ମିଳିବ। ଏହାସହ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ନୀତି ନିୟମ ନିର୍ଦ୍ଧାରଣ ହୋଇଛି। ଏବେ ସକାଳ ୮ଟାରୁ ଦର୍ଶନ ଆରମ୍ଭ ହେଉଥିବା ବେଳେ ୨୧ ତାରିଖରୁ ସକାଳ ୭ଟାରୁ ଦର୍ଶନ ଆରମ୍ଭ ହେବ। ତେବେ କେବଳ ପୁରୀବାସୀମାନେ ଏକ ଘଣ୍ଟା ପୂର୍ବରୁ ଅର୍ଥାତ୍ ସକାଳ ୬ଟାରୁ ଦର୍ଶନ କରିବାର ସୁଯୋଗ ପାଇପାରିବେ।

ସେହିପରି ବୟସ୍କ ବ୍ୟକ୍ତିଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ଧାଡ଼ି ବ୍ୟବସ୍ଥା କରାଯିବ। ଏନେଇ ପ୍ରଶାସନ ପକ୍ଷରୁ ସ୍ଵତନ୍ତ୍ର ପଦକ୍ଷେପ ଗ୍ରହଣ କରାଯିବ। ଏହିସବୁ ନିୟମ ଜାନୁଆରି ୨୧ରୁ ଫେବ୍ରୁଆରି ୨୧ ତାରିଖ ପର୍ଯ୍ୟନ୍ତ ଲାଗୁ ରହିବ। ରବିବାର ଶ୍ରୀମନ୍ଦିର ପ୍ରଶାସନର ଦର୍ଶନ ସମୀକ୍ଷା ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ କ୍ରିଷନ କୁମାର, ପୁରୀ ଜିଲ୍ଲାପାଶଳ ସମର୍ଥ ବର୍ମା ଏବଂ ଏସ୍‌ପି ବିଶାଲ କେ ସିଂହ ଉପସ୍ଥିତ ଥିଲେ।

Comment