ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜନୀତି ସମ୍ବନ୍ଧୀୟ କାହାଣୀ ହେତୁ ବିବାଦ ଭିତରେ ଛନ୍ଦି ହୋଇଛି ଅନେକ ବଲିଉଡ୍ ଫିଲ୍ମ।

ଜାନୁଆରି ୨୨ ତାରିଖରେ ରିଲିଜ୍ ହେବାକୁ ଯାଉଛି ସୁବାଷ କପୁର ନିର୍ଦ୍ଦେଶିତ ଫିଲ୍ମ ‘ମ୍ୟାଡାମ୍ ଚିଫ୍ ମିନିଷ୍ଟର’; ଯାହାକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି। ଏହି ଫିଲ୍ମରେ କିଭଳି ଜଣେ ଦଳିତ ଝିଅ ରାଜନୀତି କରିବା ସହିତ ମୁଖ୍ୟମନ୍ତ୍ରୀ ଆସନରେ ବସୁଛି ତାହା ଦେଖିବାକୁ ମିଳିବ। ତେବେ ଏହି ଫିଲ୍ମର କାହାଣୀ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀଙ୍କ ଜୀବନ କାହାଣୀ ଉପରେ ନିର୍ମାଣ ହୋଇଛି ବୋଲି ଚର୍ଚ୍ଚା ହେଉଛି। ଯାହାକି ଫିଲ୍ମ ‘ମ୍ୟାଡାମ୍ ଚିଫ୍ ମିନିଷ୍ଟର’କୁ ବିବାଦ ଘେରକୁ ଆପେ ଆପେ ଟାଣି ଆଣିଛି।କେବଳ ଏହି ଫିଲ୍ମ ନୁହେଁ, ଭାରତୀୟ ଫିଲ୍ମ ଇତିହାସର ପୁରୁଣା ପୃଷ୍ଠାକୁ ଓଲଟାଇ ଦେଖିଲେ ଜଣାପଡ଼ିବ ଯେ ଏହାପୂର୍ବରୁ ମଧ୍ୟ ରାଜନୀତିକୁ ନେଇ ନିର୍ମାଣ ହୋଇଥିବା ଅନେକ ଫିଲ୍ମ ବିବାଦ ଘେରରେ ରହିଆସିଛି।ଆନ୍ଧୀ

୧୯୭୦ ଦଶକରେ ଯେତେବେଳେ ସାରା ଦେଶରେ ଜରୁରୀ ପରିସ୍ଥିତି ଲାଗୁ ହୋଇଥିଲା ସେ ସମୟରେ ରିଲିଜ୍ ହୋଇଥିଲା ବଲିଉଡ୍ ଫିଲ୍ମ ଆନ୍ଧୀ। ଏହି ଫିଲ୍ମକୁ ପ୍ରଖ୍ୟାତ ନିର୍ଦ୍ଦେଶକ ଗୁଲଜାର ନିର୍ଦ୍ଦେଶନା ଦେଇଥିଲେ। ଏହାର ମୁଖ୍ୟ ଚରିତ୍ରରେ ଦର୍ଶକମାନେ ସଞ୍ଜୀବ କୁମାର ଓ ସୁଚିତ୍ରା ସେନଙ୍କୁ ଦେଖିବାକୁ ମିଳିଥିଲା। ଏହି ଫିଲ୍ମ ଏକ ରାଜନୈତିକ କାହାଣୀକୁ ନେଇ ନିର୍ମାଣ ହୋଇଥିବାବେଳେ ଏଥିରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଝଲକ ଦେଖିବାକୁ ମିଳିଥିଲା ବୋଲି ଅଭିଯୋଗ ହୁଏ। ଯାହାର ଫଳସ୍ୱରୂପ ମାତ୍ର କିଛି ସପ୍ତାହ ହଲରେ ଚାଲିବା ପରେ ଏହି ଫିଲ୍ମକୁ ବ୍ୟାନ୍ କରିଦିଆଯାଇଥିଲା।

କିସସା କୁର୍ସି କା

ଏହାପରେ ପରେ ୧୯୭୯ ମସିହାରେ ଆଉ ଏକ ପଲିଟିକାଲ୍ ଡ୍ରାମା ଫିଲ୍ମକୁ ନେଇ ଚର୍ଚ୍ଚା ହୋଇଥିଲେ। ଏହାର ନାଁ ଥିଲା ‘କିସ୍ସା କୁର୍ସି କା’। କୁହାଯାଏ ଏହି ଫିଲ୍ମରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଓ ତାଙ୍କ ପୁଅ ସଞ୍ଜୟ ଗାନ୍ଧୀଙ୍କୁ ଟାର୍ଗେଟ କରାଯାଇଥିଲା। ଏହି ଫିଲ୍ମକୁ ଅବଶ୍ୟ ପରେ ବ୍ୟାନ କରିଦିଆଯାଇଥିଲା।ରାଜନୀତି

ପ୍ରକାଶ ଝା’ଙ୍କ ନିର୍ଦ୍ଦେଶିତ ସଫଳ ଫିଲ୍ମ ଭିତରେ ବଲିଉଡ୍ ଫିଲ୍ମ ‘ରାଜନୀତି’କୁ ରଖାଯାଏ। ପାରିବାରିକ ବିବାଦ ଓ ରାଜନୀତିକୁ ନେଇ ନିର୍ମାଣ ହୋଇଥିବା ଏହି ଫିଲ୍ମରେ ରଣବୀର କପୁର, କ୍ୟାଟ୍ରିନା କୈଫ୍, ଅଜୟ ଦେବଗନ, ନାନା ପାଟେକରଙ୍କ ଭଳି ଅଭିନେତାଙ୍କୁ ଦେଖିବାକୁ ମିଳିଥିଲା। ତେବେ ଫିଲ୍ମର ଟ୍ରେଲର ରିଲିଜ୍ ହେବା ପରେ ଏହାକୁ ନେଇ ବିବାଦ ଉଙ୍କି ମାରିଥିଲା। ସୋନିଆଙ୍କ ଚରିତ୍ରକୁ କିଛି ଲୋକ ସୋନିଆ ଗାନ୍ଧୀଙ୍କ ସହ ତୁଳନା କରିଥିଲେ।

ପରେ ଏହି ଫିଲ୍ମ ରିଲିଜ୍ ହେବା ପୂର୍ବରୁ କଂଗ୍ରେସର ଏକ ପ୍ରତିନିଧି ଏହାକୁ ବସି ଦେଖିଥିଲା। କଂଗ୍ରେସ ପ୍ରତିନିଧିମାନେ ଏହାକୁ ସବୁଜ ସଙ୍କେତ ଦେବା ପରେ ଏହା ରିଲିଜ୍ ହୋଇଥିଲା।ଇନ୍ଦୁ ସରକାର

୨୦୧୭ରେ ନିର୍ଦ୍ଦେଶକ ମଧୁର ଭଣ୍ଡାରକରଙ୍କ ଫିଲ୍ମ ‘ଇନ୍ଦୁ ସରକାର’କୁ ନେଇ ବଡ଼ ବିବାଦ ସୃଷ୍ଟି ହୋଇଥିଲେ। ଫିଲ୍ମର କାହାଣୀ ୧୯୭୫ ଜରୁରୀ ପରିସ୍ଥିତି ବେଳ ହୋଇଥିବାବେଳେ କଂଗ୍ରେସ ଏହାକୁ ନେଇ ଆପତ୍ତି ଉଠାଇଥିଲା। ଇନ୍ଦିରା ଗାନ୍ଧୀଙ୍କ ପ୍ରତିଛବିକୁ ନଷ୍ଟ କରିବା ପାଇଁ ମଧୁର ଭଣ୍ଡାରକର୍ ଜାଣିଶୁଣି ଏପରି କରିଛନ୍ତି ବୋଲି କୁହାଯାଇଥିଲା। ପରେ ଅବଶ୍ୟ ଏହି ଫିଲ୍ମ ବଡ଼ କଷ୍ଟରେ ରିଲିଜ୍ ହୋଇଥିଲା।କୁଇନ୍

ଗତବର୍ଷ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହୋଇଥିବା ୱେବସିରିଜ୍ ‘କୁଇନ୍’କୁ ନେଇ ବିବାଦ ମୁଣ୍ଡ ଟେକିଥିଲା। ଏହି ଫିଲ୍ମ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଜୀବନୀ ଉପରେ ନିର୍ମାଣ ହୋଇଥିଲା। ଯେତେବେଳେ ଏହାର ଟିଜର ରିଲିଜ୍ ହୋଇଥିଲା ସେତେବେଳେ ଜୟଲଳିତାଙ୍କ ଭାଣେଜୀ ଏହାକୁ ନେଇ ମାଡ୍ରାସ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ। ଏହି ଫିଲ୍ମରେ କିଛି ଘଟଣାକୁ ଅତିରଞ୍ଜିତ କରି ଦେଖାଯାଇଛି ବୋଲି ସେ ଅଭିଯୋଗ କରିଥିଲେ। ଅବଶ୍ୟ କିଛି ଦିନ ପରେ ଏହି ସିରିଜ୍ ଏମ୍ଏକ୍ସ ପ୍ଲେୟାରରେ ରିଲିଜ୍ ହୋଇଥିଲା।ତାଣ୍ଡବ

ଜାନୁଆରି ୧୫ ତାରିଖରେ ଆମାଜନ୍ ପ୍ରାଇମରେ ରିଲିଜ୍ ହେବାକୁ ଯାଉଛି ପଲିଟିକାଲ୍ ଡ୍ରାମା ୱେବସିରିଜ୍ ତାଣ୍ଡବ। ଯେଉଁଥିରେ ସୈଫ୍ ଅଲ୍ଲୀ ଖାନଙ୍କ ସହ ଡିମ୍ପଲ କାପାଡିଆ ଓ ସୁନୀଲ ଗ୍ରୋଭର ନଜର ଆସିବେ। ଏହି ୱେବସିରିଜରେ ଛାତ୍ର ରାଜନୀତି ଓ ଜାତୀୟ ରାଜନୀତିର ଏକ ଝଲକ ଦେଖିବାକୁ ମିଳିବ। ଏହି ଫିଲ୍ମକୁ ନେଇ ଅବଶ୍ୟ କିଛି ବିବାଦ ସୃଷ୍ଟି ହୋଇନଥିଲେ ବି ରାଜନୈତିକ ବିଷୟ ବସ୍ତୁ ଉପରେ ନିର୍ମାଣ ହୋଇଥିବାରୁ ଏହା ଏବେ ଚର୍ଚ୍ଚାରେ।

Comment