ଓଡ଼ିଶାଲାଇଭ୍ ବ୍ୟୁରୋ

ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ଜୟପୁରର ଖଗପତି ପାଙ୍ଗିକୁ ଉଠାଇନେଲା ମୁମ୍ଵାଇର ଆଣ୍ଟି ଟେରୋରିଷ୍ଟ ସ୍କ୍ଵାର୍ଡ (ଏଟିଏସ୍)। ଜୟପୁର ସଦର ଥାନା ପୋଲିସର ସହାୟତା ନେଇ ଏଟିଏସ୍ ମୁଖ୍ୟ ଆଶିଷ କୁମାରଙ୍କ ନେତୃତ୍ଵରେ ଏକ ଟିମ୍ ଶନିବାର ରାତିରେ ହଠାତ ଚଢ଼ାଉ କରି ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛନ୍ତି।

ଜୟପୁରରୁ ମହାରାଷ୍ଟ୍ରର ନାଗପୁରକୁ ଗଞ୍ଜେଇ ଚୋରା ଚାଲାଣ କରିଥିବା ନେଇ ଖଗପତିଙ୍କ ନାଁରେ ଆଗରୁ ଅଭିଯୋଗ ହୋଇଥିଲା। ଏପରିକି ନାଗପୁରଠାରେ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଜଣେ ଗିରଫ ଅଭିଯୁକ୍ତକୁ ଜେରା କରାଯିବା ପରେ ମଧ୍ୟ ସେ ଖଗପତିଙ୍କ ନାମ କହିଥିଲା। ଏହି ମାମଲାର ଅଧିକ ତଦନ୍ତ ନିମନ୍ତେ ଓଡ଼ିଶା ଆସିଥିଲା ଏଟିଏସ୍‌ର ଏକ ସ୍ପେଶାଲ ସ୍କ୍ଵାର୍ଡ। ଅଭିଯୁକ୍ତ ଖଗପତି ଜୟପୁରରେ ଥିବା ଜାଣି ଶନିବାର ରାତିରେ ହଠାତ ତାକୁ ଉଠାଇ ଆଣିଥିଲା ଏଟିଏସ୍ ଏବଂ ତାକୁ ଜେରା ପାଇଁ ନାଗପୁର ନେଇଯାଇଥିବା ଜୟପୁର ସଦର ପୋଲିସ ପକ୍ଷରୁ ସୂଚନା ମିଳିଛି। ଏହି ମାମଲାରେ ଅନ୍ୟ କେତେଜଣ ବ୍ୟକ୍ତିଙ୍କ ସଂପୃକ୍ତି ରହିଛି ତାହାର ସନ୍ଧାନ ଆରମ୍ଭ ହୋଇଛି।

ଜୟପୁର ପୋଲିସ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଧରିବାରେ ସଫଳ ହେଉଥିବା ବେଳେ ମୁମ୍ବାଇର ଏଟିଏସ୍ ଟିମ ଆସି ଜୟପୁରରୁ ଖଗପତିଙ୍କୁ ଗିରଫ କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ମାମଲାରେ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ମଧ୍ୟ ଗିରଫ ଶୀଘ୍ର କରିବା ନେଇ ସ୍ଥାନୀୟ ଅଞ୍ଚଳରେ ଦାବି ହେଉଛି। ତେବେ ଖଗତପତି ପାଙ୍ଗିକୁ ପଚରା ଉଚୁରା କରିବା ପରେ ଏହି ଗଞ୍ଜେଇ ଚାଲାଣର ଚେର କେତେଦୂର ଲମ୍ବିଛି ତାହା ଜଣାପଡିବ ବୋଲି ପୋଲିସ କହିଛନ୍ତି।

Comment