ଓଡ଼ିଶାଲାଇଭ୍ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ପାଢୀ): ମକର ସଂକ୍ରାନ୍ତି ପାଳନ ପାଇଁ ଉତ୍ସବ ମୁଖର ସାରା ଆନ୍ଧ୍ରପ୍ରଦେଶ। ଉତ୍ସବ ପାଳନ ପାଇଁ ସବୁଠି ଚାଲିଛି ବିଶେଷ ପ୍ରସ୍ତୁତି। ବୁଧବାର ଭୋଗୀ ପର୍ବ ପାଳନ ହେଉଥିବା ବେଳେ, ଗୁରୁବାର ମକର ସଂକ୍ରାନ୍ତି ପାଳନ ପାଇଁ ତେଲୁଗୁ ଭାଷାଭାଷୀ ଲୋକମାନେ ଉତ୍ସାହିତ ରହିଛନ୍ତି। କିନ୍ତୁ ଚଳିତ ବର୍ଷ କୋଭିଡ଼ କଟକଣା ଯୋଗୁଁ ବଡ଼ ଧରଣର ଉତ୍ସବ ଆୟୋଜନ ନଥିଲେ ମଧ୍ୟ ପ୍ରତ୍ୟେକ ସହର ଓ ସାହି ସାହିରେ କଟକଣା ସହ ମକର ଉତ୍ସବ ପାଳନ ହେଉଛି।   ତେଲୁଗୁ ଭାଷଭାଷୀ ଲୋକଙ୍କର ମକର ସଂକ୍ରାନ୍ତି ହେଉଛି ସବୁଠାରୁ ବଡ଼ ଏବଂ ପବିତ୍ର ପର୍ବ। ଏହି ପର୍ବକୁ ୪ ଦିନ ଧରି ଧୁମ୍ ଧାମରେ ପାଳନ କରାଯାଏ। ମକର ସଂକ୍ରାନ୍ତି ପୂର୍ବ ଦିନ ଭୋଗୀ ପାଳନ କରାଯାଏ। ଭୋଗୀ ଦିନ ଭୋର ସକାଳୁ ସମସ୍ତେ ଏକତ୍ରିତ ହୋଇ କାଠ ଗଣ୍ଡିରେ ନିଆଁ ଲଗାଇ ପୂଜା ଆରମ୍ଭ କରିଥାନ୍ତି, ଏହି ନିଆଁରେ ପାଣି ଗରମ କରି ଗାଧୋଇବା ଦ୍ଵାରା ସମସ୍ତ ଚର୍ମରୋଗ ଭଲ ହୋଇଥାଏ ବୋଲି ବିଶ୍ଵାସ ରହିଛି। ସେହିପରି ଭୋଗୀ ଦିନଠାରୁ ଶୀତର ପ୍ରକୋପ କମିଥାଏ ବୋଲି ମଧ୍ୟ ତେଲୁଗୁ ସମ୍ପ୍ରଦାୟ ଲୋକମାନେ ବିଶ୍ଵାସ କରିଥିାନ୍ତି।ଏହି ଭୋଗୀ ପର୍ବକୁ ରାବଣ ପୋଡି ପର୍ବ ରୂପେ ମଧ୍ୟ ପାଳନ କରାଯାଏ। ଏହିଠାରୁ ହିଁ ମକର ପର୍ବର ଶୁଭାରମ୍ଭ ହୋଇଥାଏ। ଲୋକମାନେ ମକର ସଂକ୍ରାନ୍ତି ଦିନ ନିଜ ପୂର୍ବ ପୁରୁଷଙ୍କୁ ଶ୍ରାଦ୍ଧ ଦେବା ପରେ ପର୍ବ ପାଳନ ଆରମ୍ଭ କରିଥାନ୍ତି। ତା’ ପରେ ଘରର ସମସ୍ତ ବ୍ୟକ୍ତି ନୂଆ ଜାମା ପିନ୍ଧନ୍ତି ଓ ପିଠା ପଣା ଖାଇଥାନ୍ତି। ସାରା ଆନ୍ଧ୍ରପ୍ରଦେଶ ସହ ରାଜ୍ୟ ବାହାରେ ରହୁଥିବା ସମସ୍ତ ତେଲୁଗୁ ସମ୍ପ୍ରଦାୟ ପକ୍ଷରୁ ଏହି ପର୍ବକୁ ବହୁ ଆଡମ୍ବର ସହକାରେ ପାଳନ କରାଯାଏ।

ମକର ସଂକ୍ରାନ୍ତି ଉପଲକ୍ଷେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ଵଭୂଷଣ ହରିଚନ୍ଦନ ଓ ମୁଖ୍ୟମନ୍ତ୍ରୀ ୱାଇ.ଏସ୍. ଜଗନମୋହନ ରେଡ୍ଡୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ କରୋନା କଟକଣା ଯୋଗୁଁ ସୁରକ୍ଷିତ ଭାବେ ଉତ୍ସବ ପାଳନ ପାଇଁ ଅନୁରୋଧ କରିଛନ୍ତି।

Comment