ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ପାଇଁ ରଥକାଠ ସଂଗ୍ରହ କାର୍ଯ୍ୟର ଶୁଭାରମ୍ଭ ହୋଇଛି। ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରର ୪ ଜଣିଆ ପ୍ରତିନିଧି ଦଳ ମହାପ୍ରଭୁଙ୍କ ଆଜ୍ଞାମାଳ ସହ ମଙ୍ଗଳବାର ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ବଡ଼ମୂଳର ମା’ ବଡ଼ରାଉଳଙ୍କ ପୀଠରେ ପହଞ୍ଚିଥିଲେ। ସେଠାରେ ସ୍ୱତନ୍ତ୍ର ପୂଜା ଅର୍ଚ୍ଚନା କରାଯିବା ପରେ ରଥକାଠ ସଂଗ୍ରହର ପ୍ରକ୍ରିୟା ଆରମ୍ଭ ହୋଇଛି।

ରଥକାଠ ସଂଗ୍ରହ ନିମନ୍ତେ ମହାପ୍ରଭୁଙ୍କ ମାଳ, ଖଣ୍ଡୁଆ ଓ ମାହାର୍ଦ୍ଦ ଧରି ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ରଥ ତତ୍ତ୍ୱବଧାରକ ସୁଦର୍ଶନ ମେକାପ, ଅମିନ ଲକ୍ଷ୍ମଣ ମହାପାତ୍ର ଓ ଭୋଇ ସର୍ଦ୍ଦାର ରବି ଭୋଇ ନୟାଗଡ଼ରେ ପହଞ୍ଚିଥିଲେ।

ମଙ୍ଗଳବାର ସକାଳେ ଜିଲ୍ଲା ବନଖଣ୍ଡ ଅଧିକାରୀ ଏଚ୍ ଡି ଧନରାଜଙ୍କ ସହିତ ଶ୍ରୀମନ୍ଦିର ପ୍ରତିନିଧି ଦଳ ଗଣିଆଁ ବଡ଼ମୂଳର ବଡ଼ରାଉଳ ଠାକୁରାଣୀଙ୍କ ନିକଟରେ ପହଞ୍ଚି ମହାପ୍ରଭୁଙ୍କଠାରୁ ଆସିଥିବା ଉପହାର ସ୍ୱରୂପ ଶ୍ରୀଅଙ୍ଗ ମାଳ, ଖଣ୍ଡୁଆ ଓ ମହାପ୍ରସାଦ ମା’ ବଡ଼ରାଉଳଙ୍କୁ ଅର୍ପଣ କରାଯାଇଥିଲା।ଶ୍ରୀମନ୍ଦିର ପ୍ରତିନିଧି ଦଳ ଓ ଜିଲ୍ଲା ବନ ବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ଶୁଭ ମୂହୁର୍ତ୍ତରେ ମା’ ବଡ଼ରାଉଳ ଓ ବୃକ୍ଷ ଦେବତାଙ୍କୁ ପୂଜାର୍ଚ୍ଚନା କରା ଯାଇଥିଲା। ଏହି ସମୟରେ ନାମ ସଂକୀର୍ତ୍ତନ ଓ ହୋମ ଆଦି ପୂଜା ପାଠ ଦ୍ୱାରା ୨୦୨୧ ବର୍ଷ ରଥ ନିର୍ମାଣ ଲାଗି ଆବଶ୍ୟକ କାଠ ସଂଗ୍ରହ ବିଧି ଶୁଭାରମ୍ଭ ହୋଇଛି।

ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ନୟାଗଡ଼ରୁ ରଥ କାଠ ପହଞ୍ଚିବା ପରେ ମାଘ ମାସ ଶୁକ୍ଲପକ୍ଷ ଶ୍ରୀପଞ୍ଚମୀ ତିଥି (ଆସନ୍ତା ଫେବ୍ରୁଆରି ୧୬ ତାରିଖ)ରେ ରଥ କାଠ ଅନୁକୂଳ ପୂଜାର ବ୍ୟବସ୍ଥା ରହିଥିବା ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ ପ୍ରକାଶ କରିଛନ୍ତି।

Comment